ବିକ୍ଷୋଭ
ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସିକୁ ଲାଗିଛି ସୁପ୍ରିମ ଛାଟ। କଲେଜରେ ସମାନତା ଆଣିବା ଉଦ୍ଦେଶ୍ୟରେ ୟୁଜିସି ଜାରି କରିଥିବା ଜାତିଭିତ୍ତିକ କମିଟି ନିୟମ ଉପରେ ରୋକ ଲଗାଇ ଦେଇଛନ୍ତି ସୁପ୍ରିମକୋର୍ଟ। ୟୁଜିସିର ବିଭେଦତା ନିରୋଧ ନିୟମକୁ ସର୍ବୋଚ୍ଚ ଅଦାଲତ ସମାଲୋଚନା କରିବାକୁ ମଧ୍ୟ ପଛାଇ ନାହାନ୍ତି।
ୟୁଜିସି( UGC) ଜାରି କରିଥିବା ଗାଇଡଲାଇନରେ ସ୍ପଷ୍ଟତା ନାହିଁ ଓ ଏହାର ଦୁର୍ବ୍ୟବହାର ହୋଇପାରେ ବୋଲି ମଧ୍ୟ ସୁପ୍ରିମକୋର୍ଟ ଆଶଙ୍କା କରିଛନ୍ତି। ଏଥିସହ କେନ୍ଦ୍ର ସରକାର ଓ ୟୁଜିସିକୁ ସୁପ୍ରିମକୋର୍ଟ ନୋଟିସ କରି ଜବାବ ତଲବ କରିଛନ୍ତି। ମାମଲାର ବିଚାର ନ ସାରିବା ଯାଏ ନୂଆ ବିବାଦୀୟ ନିୟମକୁ ଲାଗୁ ନ କରିବାରୁ ମଧ୍ୟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ଜାତିଗତ ଭେଦଭାବ ଓ ଅନ୍ୟ ପକ୍ଷପାତିତାକୁ କେମିତି ପରିଚାଳନା କରିବେ, ସେନେଇ ୟୁନିଭର୍ସିଟି ଗ୍ରାଣ୍ଟ କମିଶନର ପ୍ରମୋସନ ଅଫ ଇକ୍ୟୁଟୀ ଇନ ହାଇଅର ଏଡୁକେସନ ଇନଷ୍ଟିଚ୍ୟୁସନ୍ସ ରେଗୁଲେସନ ୨୦୨୬ ଜାରି କରାଯାଇଥିଲା। ନୂଆ ନିୟମ ଅନୁସାରେ ପ୍ରତିଟି ଶିକ୍ଷାନୁଷ୍ଠାନ ଭେଦଭାବକୁ ରୋକିବା ଓ ଏହାର ସମାଧାନ ପାଇଁ ସମାନ ସୁଯୋଗ ସେଲ, ସମାନତା ରଖୁଥିବା କମିଟି, ୨୪ ଘଣ୍ଟିଆ ହେଲପ ଲାଇନ ନମ୍ବର ଓ ମନିଟରିଂ ଟିମ ଗଠନ କରିବେ ବୋଲି ନୂଆ ନିୟମରେ ବାଧ୍ୟତାମୂଳକ କରାଯାଇଥିଲା।
କିନ୍ତୁ ବିଜ୍ଞପ୍ତି ଜାରି ହେବା କ୍ଷଣି ଏହାକୁ ଦୃଢ଼ ଭାବେ ଦେଶବ୍ୟାପୀ ବିରୋଧ କରାଯାଉଛି। ବିଶେଷ କରି କିଛି ଶିକ୍ଷାର୍ଥୀ, ଶିକ୍ଷକ/ଶିକ୍ଷୟିତ୍ରୀ ଓ ସାମାଜିକ ସଂଗଠନ ଗୁଡ଼ିକ ଏହାକୁ ଜୋରଦାର ବିରୋଧ କରୁଛନ୍ତି। ନିୟମ ନିରପେକ୍ଷତାକୁ ବଜାୟୀ ରଖିବାକୁ ଅଣାଯାଇଥିବା କୁହାଯାଉଥିଲେ ହେଁ ବିକ୍ଷୋଭକାରୀ ଏହା ବିରୋଧରେ ମତ ରଖିଥିଲେ। ବିବାଦ ବଢ଼ିବାରୁ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।
ଶୁଣାଡ଼ି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ୟୁଜିସି ଉପରେ କ୍ଷୁବ୍ଧ ହୋଇଛନ୍ତି। ସେ ପଚାରିଛନ୍ତି ଯେ “୭୫ ବର୍ଷ ମଧ୍ୟରେ ଜାତିବିହୀନ ସମାଜ ଗଠନ କରିବା ପାଇଁ ଆମେ ଯାହା ସବୁ ହାସଲ କରିଛୁ, କ’ଣ ସେସବୁକୁ ନେଇ ଆମେ ପୁଣି ଗୋଟିଏ ରକ୍ଷଣଶୀଳ ସମାଜ ଗଠନ କରୁଛେ? ରାଗିଂରେ ଘଟୁଥିବା ସବୁଠାରୁ ଖରାପ ଜିନିଷ ହେଉଛି ଯେ ଦକ୍ଷିଣ ଓ ଉତ୍ତରପୂର୍ବରୁ ଆସୁଥିବା ଶିକ୍ଷାର୍ଥୀମାନେ ନିଜସ୍ୱ ସଂସ୍କୃତି ନେଇ ଆସନ୍ତି। କିନ୍ତୁ ଏ ସମ୍ପର୍କରେ ଜାଣି ନଥିବା କିଛି ଅଜଣା ଲୋକ ସେମାନଙ୍କ ଉପରେ ଟିପ୍ପଣୀ କରନ୍ତି।
ଏହାପରେ ଆପଣ ଅଲଗା ଅଲଗା ହଷ୍ଟେଲ କଥା କହିଲେ। ଭାଗବନାନଙ୍କ ପାଇଁ.. ଏବେ ଆମ ସମାଜରେ ଇଣ୍ଟର କାଷ୍ଟ ବିବାହ ହେଉଛି ଓ ଆମେ ବି ହଷ୍ଟେଲରେ ରହି ଆସିଛୁ। ଏଠାରେ ସମସ୍ତେ ଏକାଠି ହୋଇ ରୁହନ୍ତି।”
ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୟମଳୟ ବାଗଚିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ କହିବା କଥା ଯେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାର ଆବଶ୍ୟକତା ରହିଛି। କାରଣ ଏହି ଗାଇଡଲାଇନ ସମାଜକୁ ଭାଗଭାଗ କରିବାର କ୍ଷମତା ରଖିଛି। ଏହାର ଗଭୀର ତଥା ସାଂଘାତିକ ପ୍ରଭାବ ମଧ୍ୟ ପଡ଼ିପାରେ। ୨୦୧୨ ଗାଇଡଲାଇନ ପୂର୍ବଭଳି ବଳବତ୍ତର ରହିବ ବୋଲି ଖଣ୍ଡପୀଠ କହିଛନ୍ତି।
ଖଣ୍ଡପୀଠ ମତ ରଖିଛନ୍ତି ଯେ “ଯଦି ଆମେ ଏଥିରେ ହସ୍ତକ୍ଷେପ ନ କରିବୁ, ତା’ହେଲେ ଏହାର ଭୟଙ୍କର ପ୍ରଭାବ ପଡ଼ିବ। ଏହା ସମାଜକୁ ଭାଗଭାଗ କରିପାରେ। ଏହାର ସାଂଘାତିକ ପ୍ରଭାବ ଭବିଷ୍ୟତରେ ଦେଖାଯାଇ ପାରେ। ପ୍ରାଥମିକ ଆକଳନରୁ ନିୟମର ଭାଷା ଅସ୍ପଷ୍ଟ ଓ ଏହାକୁ ବିଶେଷଜ୍ଞମାନେ ଦେଖିବା ଦରକାର।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/29/ugc-2026-01-29-13-46-16.jpg)