/odisha-reporter/media/post_attachments/uploadimage/library/16_9/16_9_0/VP_1753257985.jpg)
VP
ଭାରତୀୟ ନିର୍ବାଚନ କମିଶନ ଆସନ୍ତା ୪୮ରୁ ୭୨ ଘଣ୍ଟା ମଧ୍ୟରେ ଉପ ରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା କରିବେ। ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ଦେଶକୁ ନୂଆ ଉପ ରାଷ୍ଟ୍ରପତି ମିଳିବେ। ଏଥିପାଇଁ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି।
ଏବେ ଇଲେକ୍ଟୋରାଲ କଲେଜ୍ ପ୍ରସ୍ତୁତି ଓ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଆରମ୍ଭ ହୋଇଛି। ପୂର୍ବରୁ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନ ବ୍ୟବସ୍ଥା ଉପରେ ଅନୁଧ୍ୟାନ କରାଯାଉଛି। ଏସବୁ ପ୍ରକ୍ରିୟା ଶେଷ ହେବା ମାତ୍ରେ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ।
ସୋମବାର ରାତିରେ ଭାରତର ଉପ ରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଅପ୍ରତ୍ୟାଶିତ ଢଙ୍ଗରେ ଇସ୍ତଫା ଦେଇଥିଲେ। ଏଥିଯୋଗୁ ଉପ ରାଷ୍ଟ୍ରପତି ପଦ ଖାଲି ପଡ଼ିଛି। ତେଣୁ ଭାରତୀୟ ନିର୍ବାଚନ କମିଶନ ଏହି ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଧନଖଡ଼ ସୋମବାର ଇସ୍ତଫା ଦେଇଥିବା ବେଳେ ମଙ୍ଗଳବାର ସକାଳେ ଏହାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ଗ୍ରହଣ କରି ନେଇଥିଲେ। ଧନଖଡ଼ଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆହୁରି ୨ ବର୍ଷ ବାକି ରହିଥିଲା।
ଭାରତୀୟ ସମ୍ବିଧାନର ଧାରା ୬୮(୨) ଅନୁସାରେ ଉପ ରାଷ୍ଟ୍ରପତିଙ୍କ ଇସ୍ତଫାର ନିର୍ଦ୍ଦିଷ୍ଟ ସମୟ ସୀମା ପଦରେ ଏହି ପଦ ପୂରଣ ପାଇଁ ନିର୍ବାଚନ ଶେଷ କରିବାର କୌଣସି ପ୍ରାବଧାନ ନାହିଁ। କେବଳ ନିର୍ବାଚନ ଯଥା ଶୀଘ୍ର ଶେଷ କରିବାକୁ ଏହି ଧାରାରେ ଉଲ୍ଲେଖ କରାଯାଇଛି।
ନିର୍ବାଚନ କମିଶନ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କମିଶନଙ୍କୁ ଉପ ରାଷ୍ଟ୍ରପତିଙ୍କ ଇସ୍ତଫା ସମ୍ପର୍କରେ ବିଧିବଦ୍ଧ ଭାବେ ଅବଗତ କରାଯାଇଥିଲା। ଏହାପରେ କମିଶନ ପକ୍ଷରୁ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ।
ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ନିର୍ବାଚନ ଆଇନ ୧୯୫୨ରେ କୁହାଯାଇଛି ଯେ ଥରେ ବିଜ୍ଞପ୍ତି ପ୍ରକାଶ ପାଇବା ମାତ୍ରେ ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ବାଚନ କମିଶନ ବାଧ୍ୟ। ନାମାଙ୍କନ, ପ୍ରାର୍ଥିପତ୍ର ଯାଞ୍ଚ, ନାମାଙ୍କନ ପ୍ରତ୍ୟାହାର, ଭୋଟିଂ ଓ ଗଣତି ଆଦି ସର୍ବାଧିକ ୩୨ ଦିନ ମଧ୍ୟରେ ଶେଷ ହେବ।
ସେହି ଅନୁସାରେ, ଭାରତର ନୂଆ ଉପ ରାଷ୍ଟ୍ରପତି ନିର୍ବାଚିତ ହେବ ଓ ଅଗଷ୍ଟ ଶେଷ ସୁଦ୍ଧା ପଦ ଓ ଗୋପନୀୟତାର ଶପଥ ନେବେ। ବିଜ୍ଞପ୍ତି ପ୍ରକାଶ ପାଇବାର ସର୍ବାଧିକ ୧୪ ଦିନ ମଧ୍ୟରେ ନାମାଙ୍କନ ଦାଖଲ କରାଯିବା ବାଧ୍ୟତାମୂଳକ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
