Rat
ସରକାରୀ ହସ୍ପିଟାଲର ବିକଳ ସ୍ୱାସ୍ଥ୍ୟସେବା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଗୋଟିଏ ସରକାରୀ ହସ୍ପିଟାଲରେ ସାଂଘାତିକ ଘଟଣା ଘଟିଛି। ଏଠାକାର ଶିଶୁ ଚିକିତ୍ସା ସର୍ଜରୀ ବିଭାଗରେ ମୂଷା ଆତଙ୍କ ଦେଖା ଯାଇଛି।
ଶିଶୁ ଚିକିତ୍ସା ବିଭାଗରେ ରହିଥିବା ୨ ଜଣ ନବଜାତ ମୂଷା ଆକ୍ରମଣର ଶିକାର ହୋଇଛନ୍ତି। ହସ୍ପିଟାଲ ବେଡରେ ଥିବା ଦୁଇ ନବଜାତଙ୍କୁ ମୂଷା କାମୁଡ଼ି ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇବା ହଇଚଇ ସୃଷ୍ଟି କରିଛି। ଶିଶୁ ବିଭାଗ ବେଡରେ ମୂଷା ବୁଲୁଥିବାର ଫଟୋ ଓ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଘଟଣା ପରେ ନବଜାତଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ହସ୍ପିଟାଲ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଅଗଷ୍ଟ ୩୦-୩୧ ରାତିରେ ଦୁଇ ନବଜାତଙ୍କୁ ମୂଷା କାମୁଡ଼ି ଦେଇଥିଲା। ଜଣଙ୍କ ହାତରେ ଓ ଆଉ ଜଣଙ୍କ କାନ୍ଧରେ କାମୁଡ଼ାର ଦାଗକୁ ଚିହ୍ନଟ କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ମଙ୍ଗଳବାର ଜଣଙ୍କର ମୃତ୍ୟୁ ହୋଇଛି।
ତେବେ ମୂଷା କାମୁଡ଼ା ଯୋଗୁ ନୁହେଁ ଅନ୍ୟ ସଂକ୍ରମଣ ଯୋଗୁ ପିଲାଟି ଆଖି ବୁଜିଥିବା ଡାକ୍ତରମାନେ ସଫେଇ ଦେଇଛନ୍ତି। କିନ୍ତୁ ନବଜାତ ରହୁଥିବା ୱାର୍ଡରେ ମୂଷା ବୁଲୁଥିବା ଫଟୋ ସାମ୍ନାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଏମଜିଏମ ମେଡିକାଲ କଲେଜର ଡିନ ଡାକ୍ତର ଅରବିନ୍ଦଙ୍କ କହିବା କଥା ଯେ ସୁରକ୍ଷାରେ ତ୍ରୁଟି ହୋଇଛି ଓ ପୂରା ଘଟଣାର ତଦନ୍ତ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ସେ କହିଛନ୍ତି, “ଶିଶୁ ଚିକିତ୍ସା ସର୍ଜରୀ ୱାର୍ଡରେ ୨ ଜଣ ନବଜାତଙ୍କୁ ମୂଷା କାମୁଡ଼ିଥିବା ମାମଲା ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରୁ ଜଣେ ପୂର୍ବରୁ ହିଁ ଗୁରୁତର ଅବସ୍ଥାରେ ରହିଥିଲେ। ମଙ୍ଗଳବାର ପିଲାଟିର ମୃତ୍ୟୁ ହୋଇଛି। ତଥାପି ମୂଷା କାମୁଡ଼ିବା ହସ୍ପିଟାଲ ସୁରକ୍ଷା ପ୍ରୋଟକଲ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।”
ଡାକ୍ତରମାନଙ୍କ କହିବା କଥା ଯେ ମଙ୍ଗଳବାର ପ୍ରାଣ ହରାଇଥିବା ଶିଶୁ ଜଣଙ୍କୁ ଖାରଗୋନରୁ ଗୁରୁତର ଅବସ୍ଥାରେ ଅଣାଯାଇଥିଲା। ତା’ର ହିମଗ୍ଲୋବିନ କମ ରହିଥିଲା ଓ ଅଙ୍ଗପ୍ରତ୍ୟେଙ୍ଗ ଗୁଡ଼ିକ ଠିକ ଭାବେ ବିକଶିତ ହୋଇ ନଥିଲା। ତା’କୁ ଅମ୍ଳଜାନ ଓ ଭେଣ୍ଟିଲେଟରରେ ରଖାଯାଇଥିଲା। ଏସବୁ ଚ୍ୟାଲେଞ୍ଜ ଭିତରେ ମୂଷା କାମୁଡ଼ିବା ସ୍ଥିତିକୁ ଆହୁରି ଜଟିଳ କରିଥିଲା। ଚିକିତ୍ସା ବେଳେ ପିଲାଟିର ଯତ୍ନ ପରିବାର ଲୋକ ମଧ୍ୟ ନେଇ ନଥିଲେ ବୋଲି ଡାକ୍ତରମାନେ କହିଛନ୍ତି।
ଅନ୍ୟପକ୍ଷରେ ମୂଷା କାମୁଡ଼ାର ଶିକାର ହୋଇଥିବା ଦ୍ୱିତୀୟ ନବାଜତର ଅବସ୍ଥା ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି। ଡାକ୍ତରମାନେ ତା’ର ଏକାଧିକ ଅସ୍ତ୍ରୋପଚାର କରିଥିବା ମଧ୍ୟ କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Rat_1756891420.jpg)