Advertisment

ବ୍ରିଜ ଉପରୁ ନବଜାତକୁ ଫିଙ୍ଗି ଦେଇଥିଲେ ଜନ୍ମଦାତା, ୫୦ କ୍ଷତ ଚିହ୍ନ ସହ ଥିଲା କାମୁଡ଼ା ଦାଗ

ଜନ୍ମ କରିବା ପରେ ତାକୁ ବାପା ମା’ ବ୍ରିଜ ଉପରେ ଛିଡ଼ା ହୋଇ ଜଙ୍ଗଲିଆ ଅଞ୍ଚଳକୁ ଫିଙ୍ଗି ଦେଇଥିଲେ। ଏଥିଯୋଗୁ ନବଜାତ ଶିଶୁ ପୁତ୍ର ଦେହରେ ୫୦ରୁ ଅଧିକ କ୍ଷତି ଚିହ୍ନ ରହିଥିଲା।

Newborn Was Thrown Off

Newborn Was Thrown Off

Advertisment

ଅଗଷ୍ଟ ମାସରେ ଗୋଟିଏ ବଡ଼ ଗଛରୁ ୭ ଦିନର ନବଜାତକୁ ଉଦ୍ଧାର କରାଯାଇଥିଲା। ଜନ୍ମ କରିବା ପରେ ତାକୁ ବାପା ମା’ ବ୍ରିଜ ଉପରେ ଛିଡ଼ା ହୋଇ ଜଙ୍ଗଲିଆ ଅଞ୍ଚଳକୁ ଫିଙ୍ଗି ଦେଇଥିଲେ। ଏଥିଯୋଗୁ ନବଜାତ ଶିଶୁ ପୁତ୍ର ଦେହରେ ୫୦ରୁ ଅଧିକ କ୍ଷତି ଚିହ୍ନ ରହିଥିଲା। ଗଛରେ ଲାଖିଥିବା ଅବସ୍ଥାରେ ତାକୁ କୌଣସି ପଶୁ କିମ୍ବା ପକ୍ଷୀ ପଛ ପଟୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ କାମୁଡ଼ି ମଧ୍ୟ ଦେଇଥିଲା।

Advertisment

ଉତ୍ତର ପ୍ରଦେଶରରୁ ହମିରପୁରରୁ ଶିଶୁଟିକୁ ଉଦ୍ଧାର କରାଯାଇଥିବା ବେଳେ ଚିକିତ୍ସା ପାଇଁ ତା’କୁ କାନପୁରରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତା’ ଅବସ୍ଥା ଏତେ ସଙ୍କଟାପନ୍ନ ଥିଲା ଯେ ଡାକ୍ତରମାନେ ସେ ବଞ୍ଚିବ କି ନାହିଁ, ସେନେଇ ଦ୍ୱନ୍ଦ୍ୱରେ ରହିଥିଲେ।

ଅଗଷ୍ଟ ୨୬ରେ ପିଲାଟିକୁ ଉଦ୍ଧାର କରାଯାଇଥିଲା। ସେଦିନ ଜନ୍ମାଷ୍ଠମୀ ଥିବାରୁ ତା’ ନାଁ ରଖାଯାଇଥିଲା କ୍ରିଷ୍ଣା। ସେ ଅବଶ୍ୟ ପ୍ରତିକୂଳ ସ୍ଥିତିରେ ତା’ର ଜୀବନର ଯାତ୍ରା ଏକାକୀ ଆରମ୍ଭ କରିଥିଲା। କିନ୍ତୁ ଏବେ ଯେତେବେଳେ ୨ ମାସ ପରେ ସୁସ୍ଥ ହୋଇ ହସ୍ପିଟାଲରୁ ବାହାରିଛି ସେତେବେଳେ ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଛି। ହସ୍ପିଟାଲର ଡାକ୍ତର ଓ ନର୍ସଙ୍କ ଠାରୁ ଆରମ୍ଭ କରି କର୍ମଚାରୀମାନେ କ୍ରିଷ୍ଣାଙ୍କୁ ଲୁହ ଭିଜା ଆଖିରେ ପୁଲିସ୍‌ ଓ ଶିଶୁ କଲ୍ୟାଣ ବିଭାଗକୁ ହସ୍ତାନ୍ତର କରିଛନ୍ତି।

Advertisment

କାନପୁରର ଲାଲା ଲଜପତ ରାଏ ହସ୍ପିଟାଲରେ କ୍ରିଷ୍ଣାର ଚିକିତ୍ସା ଚାଲିଥିଲା। ଏହାର ପ୍ରିନ୍ସିପାଲ କହିଛନ୍ତି ଯେ ୨ ମାସ ତଳେ ପିଲାଟିକୁ ହମିରପୁରରୁ ଗୁରୁତର ଅବସ୍ଥାରେ ଅଣାଯାଇଥିଲା।

ଡାକ୍ତର ସଞ୍ଜୟ କାଲା କହିଛନ୍ତି, “ହମିରପୁର ନିକଟ ରଥ ଠାରେ ଥିବା ବ୍ରିଜ ଉପରୁ ପିଲାଟିକୁ ଫିଙ୍ଗି ଦିଆଯାଇଥିଲା। ସେ ଗୋଟିଏ ବଡ଼ ଗଛରେ ଲାଖି ଯାଇଥିଲା। ଗଛରେ ମାଡ଼ ହେବାରୁ ତା’ ଶରୀରରେ ଏକାଧିକ କ୍ଷତ ଚିହ୍ନ ହୋଇଥିଲା। ତା’ ପଛ ଭାଗରେ କାମୁଡ଼ା ଦାଗ ରହିଛି। କିଛି କାଉ କିମ୍ବା ଜନ୍ତୁ ତା’କୁ ଭୟଙ୍କର ଢଙ୍ଗରେ କାମୁଡ଼ି ଥିବା ଅନୁମାନ କରାଯାଉଛି। ହମିରପୁର ଜିଲ୍ଲା ହସ୍ପିଟାଲରୁ ୫୦ରୁ ଅଧିକ କ୍ଷତଚିହ୍ନ ସହ ପିଲାଟିକୁ ଗୁରୁତର ଅବସ୍ଥାରେ ଏଠାକୁ ଅଣାଯାଇଥିଲା।”

ଜନ୍ମାଷ୍ଠମୀରେ ପିଲାଟିକୁ ଉଦ୍ଧାର କରାଯାଇଥିବାରୁ ହସ୍ପିଟାଲର କର୍ମଚାରୀମାନେ ତା’ ନାଁ କ୍ରିଷ୍ଣା ରଖିଥିଲେ। ଯେତେବେଳେ ଯନ୍ତ୍ରଣା ଯୋଗୁ ପିଲାଟି କାନ୍ଦୁଥିଲା ସେତେବେଳେ ନର୍ସମାନେ କିଛି ଦୂରରେ ଛିଡ଼ା ହୋଇ ତା’ ପାଇଁ ବିଭିନ୍ନ ପ୍ରକାରର ଲୋରି ଗାଉଥିଲେ। କାରଣ ତା’ ଦେହରେ ଥିବା କ୍ଷତ ଚିହ୍ନ ଯୋଗୁ ସେମାନେ ପିଲାଟିକୁ କୋଳରେ ଧରିବାକୁ ସକ୍ଷମ ହେଉ ନଥିଲେ।

ତା’ର ଯନ୍ତ୍ରଣା ଓ କାନ୍ଦ ଦେଖି ନର୍ସମାନଙ୍କ ଆଖି ମଧ୍ୟ ଜକେଇ ଆସେ। କିଛି ନର୍ସ ତା’ ପାଇଁ ଗୀତ ଗାଉଥିବା ବେଳେ ଆଉ କିଛି ବେଶ ସତର୍କତାର ସହ ତା’ର କ୍ଷତ ଚିହ୍ନକୁ ଆଉଁସି ଦିଅନ୍ତି ବୋଲି ଜଣେ କର୍ମଚାରୀ କହିଛନ୍ତି।

ଡାକ୍ତର ସଞ୍ଜୟଙ୍କ କହିବା କଥା ହସ୍ପିଟାଲରେ କ୍ରିଷ୍ଣାର ଚିକିତ୍ସା ପ୍ରାୟ ୨ ମାସ ଧରି ଚାଲିଥିଲା। ଅକ୍ଟୋବର ୨୪ରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବାରୁ ତାକୁ ପୁଲିସ୍‌ ଓ ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରାଯାଇଛି। ଯେତେବେଳେ କ୍ରିଷ୍ଣା ହସ୍ପିଟାଲ ଛାଡ଼ି ଥିଲା ସେତେବେଳେ ସମସ୍ତ କର୍ମଚାରୀ କାନ୍ଦି ପକାଇଥିଲେ। କାରଣ ତା’ ସହ ସହ ସମସ୍ତେ ଅଧିକ ମାତ୍ରାରେ ଜଡ଼ିତ ହୋଇଯାଇଥିଲେ। ସମସ୍ତେ ନିଜର ପିଲା ଭଳି ତା’ର ସେବା କରୁଥିଲେ।

ସେ କହିଛନ୍ତି, “ଦୁଇ ମାସ ମଧ୍ୟରେ ଆମେ ଯଦି ପିଲାଟିକୁ ଏତେ ନିଜର କରି ବସିଲୁ, ତା’ହେଲେ ତା’ ବାପା କେମିତି କଅଁଲ ଶିଶୁକୁ ବ୍ରିଜରୁ ପିଙ୍ଗି ପାରିଲେ? ଯଦି ସେମାନେ ପିଲାଟିକୁ ଚାହୁଁ ନଥିଲେ, ତା’ହେଲେ ତା’କୁ ହସ୍ପିଟାଲ, ମନ୍ଦିର କିମ୍ବା ମସଜିଦ ବାହାରେ ଛାଡ଼ି ଚାଲିଯାଇଥାଆନ୍ତେ। ଏହାଦ୍ୱାରା ସେ ୨ ମାସ ଧରି ଏତେ ଯନ୍ତ୍ରଣା ଅନୁଭବ କରି ନଥାଆନ୍ତା।”

ଆଇସିୟୁରେ କାର୍ଯ୍ୟ କରୁଥିବା ନର୍ସ ଲକ୍ଷ୍ମୀ କହିଛନ୍ତି, “୧୦ରୁ ୧୫ ଦିନ ଚିକିତ୍ସା ପରେ କ୍ରିଷ୍ଣା ସୁସ୍ଥ ହେବାକୁ ଆରମ୍ଭ କରିଥିଲା। ଆମେ ଭାବିଥିଲୁ ଯେ ତା’କୁ କୋଳରେ ଧରିବୁ। କିନ୍ତୁ ତା’ ଦେହର କ୍ଷତ ଚିହ୍ନ ଆମକୁ ରୋକିଥିଲା।

ଏବେ ସେ ସୁସ୍ଥ ହୋଇଯିବାରୁ ଆମେ ତା’କୁ କୋଳରେ ଧରିବା ଆରମ୍ଭ କରିଥିଲୁ। କିନ୍ତୁ ତା’କୁ ହସ୍ପିଟାଲରୁ ଯିବାକୁ ପଡ଼ିଛି। ସେ ପୂରା ସୁସ୍ଥ ହୋଇଯାଇଥିବାରୁ ଆମେ ଖୁସି। ଆମର ଆଶା ତା’ ଜୀବନ ସୁଖମୟ ହେବ।”

Uttar Pradesh Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe