/odisha-reporter/media/post_attachments/uploadimage/library/16_9/16_9_0/Nikhil_1749197052.jpg)
Nikhil
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)ର ବିଜୟ ଉତ୍ସବ ବେଳେ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ପୁଲିସ୍ ୪ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଆରସିବିର ମାର୍କେଟିଂ ହେଡ୍ ନିଖିଲ ସୋସାଲେ ରହିଛନ୍ତି। ନିଖିଲଙ୍କ ବ୍ୟତୀତ ଡିଏନଲ ଏଣ୍ଟରଟେନମେଣ୍ଟ ନେଟୱର୍କର ୩ ଜଣ ଅଧିକାରୀଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଛି। ବୁଧବାର ହୋଇଥିବା ଦଳାଚକଟା ଘଟଣାରେ ଏମାନଙ୍କୁ ବେଙ୍ଗାଲୁରୁ ପୁଲିସ୍ ଶୁକ୍ରବାର ସକାଳେ ୪ ଜଣଙ୍କୁ ବାନ୍ଧିଛି।
ଆରସିବି ପ୍ରଥମଥର ଆଇପିଏଲ ଟ୍ରଫି ଜିତିଥିବା ବେଳେ ବୁଧବାର ଅପରାହ୍ନରେ ବେଙ୍ଗାଲୁରୁରେ ବିଜୟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଅସମ୍ଭାଳ ଭିଡ଼ ଯୋଗୁ ଦଳଚକଟା ସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ କ୍ରିକେଟ ପ୍ରେମୀ ଆହତ ହୋଇଥିଲେ।
ଦଳାଚକଟା ଘଟଣାରେ ଆରସିବି ଅଧିକାରୀ, ଡିଏନଏ ଏଣ୍ଟରଟେନମେଣ୍ଟ ଓ କର୍ଣ୍ଣାଟକା କ୍ରିକେଟ ଆସୋସିଏସନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶ ପରେ ଏପରି ଗିରଫଦାରୀ ହୋଇଛି। ନିଖିଲ ଆଜି ସକାଳେ ବେଙ୍ଗାଲୁରୁ ଏୟାରପୋର୍ଟରୁ ମୁମ୍ବାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେହିପରି ଡିଏନଏ ଏଣ୍ଟରଟେନମେଣ୍ଟ ନେଟୱର୍କର ସୁନୀଲ ମାଥ୍ୟୁ(ନିର୍ଦ୍ଦେଶକ ଓ ଉପ ସଭାପତି), ସୁମନ୍ତ(ଡିଏନଏ ଟିକେଟିଂ ଅଫିସିଆଲ) ଓ କିରଣ କୁମାର(ମ୍ୟାନେଜର) ମଧ୍ୟ ଗିରଫ ହୋଇଛନ୍ତି।
ଗିରଫଦାରୀ ବ୍ୟତୀତ ଦଳାଚକଟା ଘଟଣାରେ ରାଜ୍ୟ ସରକାର ବେଙ୍ଗାଲୁରୁ ପୁଲିସ୍ କମିଶନର ବି ଦୟାନନ୍ଦଙ୍କ ବ୍ୟତୀତ ଏକାଧିକ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ୩୦ ଦିନ ଭିତରେ ଘଟଣାର ତଦନ୍ତ ସାରିବା ପାଇଁ କର୍ଣ୍ଣାଟକା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ମାଇକେଲ ଡିଚୁନାଙ୍କ ନେତୃତ୍ୱରେ ଗୋଟିଏ ନ୍ୟାୟିକ କମିଶନ ଗଠନ କରାଯାଇଛି।
ସୂତ୍ର ଅନୁସାରେ, ବିନା ଆଲୋଚନାରେ ବିଜୟ ଶୋଭାଯାତ୍ରା ଘୋଷଣା ଠାରୁ ଆହୁରି ଏକ ଭୟଙ୍କର କାମ କରିଥିଲା ଆରସିବି। ଆରସିବି ପକ୍ଷରୁ ଫ୍ରି ଏଣ୍ଟ୍ରୀ ବ୍ୟବସ୍ଥା କରାଯାଇଥିଲା। ପୁଲିସ୍ ଅତି କମରେ ପଞ୍ଜୀକରଣ ବ୍ୟବସ୍ଥା କରିବାକୁ କହିଥିଲେ ହେଁ ଆରସିବି ଶୁଣି ନଥିଲା। କେବଳ ସୀମିତ ଏଣ୍ଟ୍ରୀ ଉଲ୍ଲେଖ କରି ଆରସିବି ଗୋଟିଏ ୱେବସାଇଟର ଲିଙ୍କ ଦେଇଥିଲା।
ଆରସିବି ମ୍ୟାନେଜମେଣ୍ଟକୁ ବୁଧବାର କୌଣସି ବିଜୟ ଉତ୍ସବ ପାଳନ ନ କରିବାକୁ ଅନୁରୋଧ କରାଯାଇଥିଲା। ରବିବାର ଯାଏ ଅପେକ୍ଷା କରିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପରାମର୍ଶକୁ ପ୍ରାଞ୍ଚାଇଜ ବିରୋଧ କରିଥିଲା। ପ୍ରାଞ୍ଚାଇଜ ପକ୍ଷରୁ ଯୁକ୍ତି କରାଯାଇଥିଲା ଯେ ରବିବାର ବେଳକୁ ଦଳରେ ଥିବା ବିଦେଶୀ ଖେଳାଳିମାନେ ନିଜ ଦେଶକୁ ଚାଲି ଯାଇଥିବେ। ସେମାନେ ବିଜୟ ଉତ୍ସବରେ ସାମିଲ ହୋଇପାରିବେନି। ତେଣୁ ପ୍ରାଞ୍ଚାଇଜ ବୁଧବାର ବିଜୟ ଉତ୍ସବ ପାଳିବା ସପକ୍ଷରେ ରହିଥିଲା।
ପ୍ରଶାସନର ପରାମର୍ଶ ସତ୍ତ୍ୱେ ବିଜୟ ଉତ୍ସବ ଚିନ୍ନାସ୍ୱାମୀରେ ଆୟୋଜନ କରାଯାଇଥିଲା। ଷ୍ଟାଡିୟମ ଭିତରେ ବିଜୟ ଉତ୍ସବ ଚାଲି ଥିବା ବେଳେ ବାହାରେ ଅସମ୍ଭାଳ ଭିଡ଼ ଦେଖାଯାଇଥିଲା। ପ୍ରବେଶ ପାଇଁ କୌଣସି ଟିକେଟର ବ୍ୟବସ୍ଥା ହୋଇ ନଥିବାରୁ ଲକ୍ଷାଧିକ ଲୋକ ଷ୍ଟାଡିମୟ ଭିତରକୁ ଯିବାକୁ ଚେଷ୍ଟା କରିଥିଲେ।
ଜୁନ ୩ ତାରିଖରେ ପୁଲିସ୍ କର୍ମଚାରୀମାନେ ବିଳମ୍ବିତ ରାତି ଯାଏ କମ କରିଥିଲେ। ଜୁନ ୪ ତାରିଖ ଭୋର ୪ଟା ଯାଏ ସେମାନଙ୍କୁ ଡ୍ୟୁଟି କରିବାକୁ ପଡ଼ିଥିଲା। କାରଣ ଜୁନ ୩ରେ ଆରସିବି ତା’ର ପ୍ରଥମ ଆଇପିଏଲ ଟ୍ରଫି ଜିତିବାରୁ ଫ୍ୟାନ୍ସମାନେ ବେଙ୍ଗାଲୁରୁ ରାସ୍ତାରେ ଉତ୍ସବ ମନାଇ ଥିଲେ। ଫଳରେ ପୁଲିସକୁ ରାତି ୪ଟା ଯାଏ ସେବା ଯୋଗାଇବାକୁ ପଡ଼ିଥିଲା।
ପୁଲିସ୍ କର୍ମଚାରୀମାନେ ଭୋର ଯାଏ କାମ କରିଥିବାରୁ ବୁଧବାର ସକାଳୁ ପୁଣି ଭିଡ଼ ନିୟନ୍ତ୍ରଣ କାମରେ ନିୟୋଜିତ ହେବା ସମ୍ଭବ ନୁହେଁ ବୋଲି ଆରସିବି ମ୍ୟାନେଜମେଣ୍ଟକୁ କହିଥିଲେ। ତଥାପି ଆରସିବି ପକ୍ଷରୁ ବିଜୟ ଉତ୍ସବ ବୁଧବାର ଅପରାହ୍ନ ୫ଟାରେ ହେବ ଓ ଫ୍ୟାନ୍ସମାନେ ଯଥାଶୀଘ୍ର ମାଗଣା ପାସ ପାଇଁ ଲିଙ୍କରେ ଦିଆଯାଇଥିବା ୱେବସାଇଟକୁ ଯିବାକୁ କୁହାଯାଇଥିଲା।
ବାସ୍ ଏହାପରେ ଚିନ୍ନାସ୍ୱାମୀରେ ଅସମ୍ଭାଳ ଭିଡ଼ ହୋଇଥିଲା। ଶେଷରେ ଦଳାଚକଟା ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଆରସିବି ପକ୍ଷରୁ ମୃତକଙ୍କ ପରିବାର ପ୍ରତି ୧୦ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି।
ନିଖିଲ ସୋସାଲେ କିଏ?
ନିଖିଲ ସୋସାଲେ ବହୁ ବର୍ଷ ହେଲାଣି ଆରସିବି ସହ ଜଡ଼ିତ। ସେ ଡିଜାଇନ, ରଣନୀତି ଓ ମାର୍କେଟିଂ କାମ ଦଳ ପାଇଁ କରନ୍ତି। ଆଇପିଏଲରେ ଆରସିବିର ବ୍ରାଣ୍ଡ ଓ ବ୍ୟବସାୟିକ କାର୍ଯ୍ୟକ୍ରମର ନେତୃତ୍ୱ ନିଅନ୍ତି। ଆରସିବିର ସମସ୍ତ ମ୍ୟାଚ୍ ବେଳେ ତାଙ୍କୁ ବିରାଟଙ୍କ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଷ୍ଟାଣ୍ଡରେ ଦେଖିବାକୁ ମିଳୁଥିଲା।
ତାଙ୍କୁ ଇନଷ୍ଟାଗ୍ରାମରେ ମାତ୍ର ୬୩୭ ଜଣ ଅନୁସରଣ କରନ୍ତି। ଏମାନଙ୍କ ମଧ୍ୟରେ ଉଭୟ ବିରାଟ ଓ ଅନୁଷ୍କା ରହିଛନ୍ତି। ସେ ମାଳବିକା ନାୟକଙ୍କୁ ବିବାହ କରିଛନ୍ତି। ମାଳବିକା ହେଉଛନ୍ତି ଇଞ୍ଜୋ ଟେକ୍ନୋଲୋଜି ପ୍ରାଇଭେଟ ଲିଃର ବିଜେନେସ ଡେଭଲପମେଣ୍ଟ ଓ ପାର୍ଟନରଶିପ ବିଭାଗର ମୁଖ୍ୟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
