Corona
ପୂରା ବିଶ୍ୱରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ। ନୂଆ କରୋନା ଭାରିଏଣ୍ଟ ନିମ୍ବସ (ଏନବି.୧.୮.୧) ସଂକ୍ରମଣ ବୃଦ୍ଧିର କାରଣ ସାଜିଥିବାରୁ ଏହା ଉପରେ ହୁ ନଜର ରଖିଛି। ଓମିକ୍ରାନର ଏହି ସବ ଭାରିଏଣ୍ଟ ପ୍ରଥମଥର ଜାନୁଆରୀ ମାସରେ ଚିହ୍ନଟ ହୋଇଥିଲା। ଏବେ ବିଶ୍ୱର ବିଭିନ୍ନ ଦେଶରେ ନିମ୍ବସ ଯୋଗୁ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।
ଆମେରିକା ଓ ବ୍ରିଟେନରେ ମାମଲା
ଜିଆଇଏସଏଆଇଡିର ତଥ୍ୟ ଅନୁସାରେ, ଆମେରିକାର ୧୩ଟି ରାଜ୍ୟରୁ ନମ୍ବସ ଭାରିଏଣ୍ଟ ଠାବ ହୋଇଛି। ଏହା ମଧ୍ୟରେ କାଲିଫର୍ଣ୍ଣିଆ, ନ୍ୟୁଜର୍ସି, ନ୍ୟୁୟର୍କ ଭଳି ସହର ରହିଛି। ବ୍ରିଟେନରେ ମଧ୍ୟ ସଂକ୍ରମଣ ପୂର୍ବାପେକ୍ଷା ହୁହୁ ହୋଇ ବଢ଼ି ଚାଲିଛି। ସପ୍ତାହକ ମଧ୍ୟରେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା ୧୦% ବୃଦ୍ଧି ପାଇଛି। ୯୪୭ ଜଣ କରୋନା ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଏସିଆରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଛି
ଭାରତ, ଚାଇନା, ସିଙ୍ଗାପୁର ଓ ଥାଇଲ୍ୟାଣ୍ଡ ଭଳି ଏସୀୟ ଦେଶରେ ମଧ୍ୟ କିଛି ମାସ ହେଲା ସଂକ୍ରମଣ ବୃଦ୍ଧି ପାଉଛି। ଭାରତରେ ସୋମବାର ସୁଦ୍ଧା କରୋନା ଜନିତ ମୃତ୍ୟୁସଂଖ୍ୟା ୧୦୦ ପାର କରିଛି। ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବାରୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଛି। କିନ୍ତୁ ଆଶ୍ୱସ୍ତର ବିଷୟ ହେଲେ ନିମ୍ବସ ଭାରିଏଣ୍ଟ ଏଯାଏ ଭାରତରେ ଠାବ ହୋଇନି।
ନିମ୍ବସ ଭାରିଏଣ୍ଟ କ’ଣ?
ଏନବି.୧.୮.୧କୁ ନିମ୍ବସ ଷ୍ଟ୍ରେନ କୁହାଯାଉଛି। ଏହା ଓମିକ୍ରାନର ସବ ଭାରିଏଣ୍ଟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୋଟ ୬ଟି ଭାରିଏଣ୍ଟର ପ୍ରଭାବ ସମ୍ପର୍କରେ ସମୀକ୍ଷା କରୁଛି। ଏହା ମଧ୍ୟରୁ ଗୋଟିଏ ହେଲା ନିମ୍ବସ ଭାରିଏଣ୍ଟ।
ନମ୍ବସର ଲକ୍ଷଣ
ଏହାର ଲକ୍ଷଣ ଅନ୍ୟ ଓମିକ୍ରନ ସବ ଭାରିଏଣ୍ଟ ଭଳି। କାଶ, ଜ୍ୱର, ଘୋଳାବିନ୍ଧା, ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ବାନ୍ତି ଓ ସ୍ୱାଦ ଏବଂ ଗନ୍ଧ ନ ବାରି ପାରିବା ଆଦି ଏହାର ଲକ୍ଷଣ। ଏହି ଭାରିଏଣ୍ଟରେ ଆକ୍ରାନ୍ତ ହେଉଥିବା ରୋଗୀମାନେ ବେଳେ ବେଳେ ଗଳା ଜନିତ ସମସ୍ୟାରେ ପଡ଼ି ପାରନ୍ତି। ସେମାନ ଗଳା ଯନ୍ତ୍ରଣା ହେବା ସହ ଫୁଲି ମଧ୍ୟ ଯାଇଥାଏ।
କ’ଣ ନମ୍ବସ ବିପଦଜନକ?
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନିମ୍ବସ ସ୍ୱାସ୍ଥ୍ୟାବସ୍ଥା ଉପରେ ସାଂଘାତିକ ପ୍ରଭାବ ପକାଇବାର ଆଶଙ୍କା କମ ବୋଲି କହିଛି। ଭାରିଏଣ୍ଟର ଲକ୍ଷଣ ଓ ସାଂଘାତିକ ରୂପକୁ ମାତ ଦେବାରେ ପ୍ରଚଳିତ ଟିକା ବେଶ ପ୍ରଭାବୀ। ଏପ୍ରିଲ ୨୧ରୁ ୨୭ ମଧ୍ୟରେ ବିଶ୍ୱର ମୋଟ ସଂକ୍ରମଣ ମଧ୍ୟରୁ ନମ୍ବସର ଭାଗ ୧୦.୭% ରହିଥିଲା। ୨୨ଟି ଦେଶରେ ଏହାକୁ ଠାବ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Corona_1750152134.jpg)