Advertisment

ଭୁଶୁଡ଼ିଲା ବ୍ରିଜ୍, ନଦୀରେ ଖସି ପଡ଼ିଲା ୫ ଗାଡ଼ି; ୧୧ ମୃତ, ୯ ଉଦ୍ଧାର

୧୯୮୧ରେ ଏହି ବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ୧୯୮୫ରେ ଏହାକୁ ଲୋକଙ୍କ ପାଇଁ ଖୋଲା ଯାଇଥିଲା।

ଅଦ୍ୟତନ ହୋଇଛି
Bridge collapsed

Bridge collapsed

Advertisment

ଏକ ବ୍ରିଜ୍ ଭୁଶୁଡ଼ି ପଡ଼ିବାରୁ ୧୧ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ବୁଧବାର ସକାଳେ ଗୁଜରାଟର ବଡୋଦରା ଜିଲ୍ଲା ପାଦରା ସବ୍‌-ଡିଭିଜନରେ ଘଟିଛି ଏହି ଘଟଣା।

Advertisment

ମହୀସାଗର ନଦୀ ଉପରେ ତିଆରି ହୋଇଥିବା ଗମ୍ଭୀରା-ମୁଜପୁର ବ୍ରିଜ ବଡୋଦରା ଓ ଆନନ୍ଦ ଜିଲ୍ଲାକୁ ସଂଯୋଗ କରେ। ଆଜି ଏହାର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ବ୍ରିଜ୍‌ର ଉକ୍ତ ଅଂଶ ଭୁଶୁଡ଼ି ପଡ଼ିବା ବେଳେ ତା’ ଉପରେ ୫ଟି ଗାଡ଼ି- ଦୁଇଟି ଟ୍ରକ୍‌, ଦୁଇଟି ଭ୍ୟାନ ଓ ଗୋଟିଏ ଅଟୋରିକ୍‌ସା କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ସବୁ ଗାଡ଼ି ନଦୀରେ ପଡ଼ିଯାଇଥିଲେ। ଏକ ବଡ଼ ଟ୍ୟାଙ୍କର ନଦୀରେ ପଡୁ ପଡୁ ଅଳ୍ପକେ ବର୍ତ୍ତି ଯାଇଛି। ତେବେ ଏହା ଭଙ୍ଗା ବ୍ରିଜ୍‌ରେ ଫସି ରହିଛି। ତାକୁ ବାହାର କରାଯାଇପାରିନି। 

ବ୍ରିଜ୍‌ଟି ଭୁଶୁଡ଼ି ପଡ଼ିବା ପରେ ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ ସହିତ ବଡୋଦରା ଜିଲ୍ଲା ପ୍ରଶାସନର ଅଧିକାରୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକମାନେ ମଧ୍ୟ ନଦୀରେ ପଡ଼ିଥିବା ଗାଡ଼ିଗୁଡ଼ିକରୁ ଆହତମାନଙ୍କୁ ଉଦ୍ଧାର କରିବାରେ ସେମାନଙ୍କୁ ସାହାଯ୍ୟ କରିଥିଲେ। ୯ ଜଣଙ୍କ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଉଦ୍ଧାର ହୋଇଥିବା ୯ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍‌। ଏହା ସେଣ୍ଟ୍ରାଲ ଗୁଜରାଟ ଓ ସୌରାଷ୍ଟ୍ରକୁ ସଂଯୋଗ କରେ। ଆନନ୍ଦ, ବଡୋଦରା, ଭରୁଚ ଓ ଅଙ୍କଲେଶ୍ୱର ଲୋକଙ୍କ ପାଇଁ ଏହା ବହୁତ ଗୁରୁତ୍ୱ ରଖେ। ଏହି ବ୍ରିଜ୍‌ରେ ସଦାବେଳେ ଭିଡ଼ ଦେଖିବାକୁ ମିଳେ। ତଥାପି ଦୀର୍ଘ ବର୍ଷ ହେଲା ପ୍ରଶାସନ ଏହାକୁ ଅବେହଳା କରିଆସିଥିଲା। ଏହାର ଅବସ୍ଥା ଶୋଚନୀୟ ହୋଇଯାଇଥିଲେ ହେଁ, ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଇ ନଥିଲା। ସେଥିପାଇଁ ଆଜି ଏମିତି ଏକ ଅଘଟଣ ଘଟିଛି। 

ଏହି ବ୍ରିଜ୍‌ର ଅବସ୍ଥାକୁ ଦୃଷ୍ଟିରେ ରଖି ଏକ ନୂଆ ବ୍ରିଜ୍ ନିର୍ମାଣ କରିବା ପାଇଁ ତିନି ମାସ ତଳେ ମୁଖ୍ୟମନ୍ତ୍ରୀ ୨୧୨ କୋଟି ଟଙ୍କା ଅନୁମୋଦନ କରିଥିଲେ। କିନ୍ତୁ ଅର୍ଥ ମଞ୍ଜୁର ହୋଇଥିବା ସତ୍ତ୍ୱେ ଏଯାବତ ବ୍ରିଜ୍‌ର ଡିଜାଇନ ପ୍ରସ୍ତୁତ ହୋଇପାରିନି କି ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇପାରିନି।

ଆଜି ବ୍ରିଜ୍ ଭୁଶୁଡ଼ି ପଡ଼ିବା ପରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏକ ଟିମ୍‌କୁ ସେଠାକୁ ପଠାଇଛନ୍ତି। ତଦନ୍ତ କରି ସବିଶେଷ ରିପୋର୍ଟ ଦେବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ଗୁଜରାଟ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସେହିଭଳି ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। 

ଗମ୍ଭୀରା-ମୁଜପୁର ବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ୧୯୮୧ ମସିହାରେ ଆରମ୍ଭ ହୋଇଥିଲା। ୧୯୮୫ରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା ଓ ଏହାକୁ ଲୋକଙ୍କ ପାଇଁ ଖୋଲି ଦିଆଯାଇଥିଲା। ବ୍ରିଜ୍‌ର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ଏହା ଉପରେ ଭାରିଯାନ ଚଳାଚଳକୁ ଅନୁମତି ନଦେବା ପାଇଁ ୨୦୧୭ରେ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ପ୍ରାୟ ୯୦୦ ମିଟର ଲମ୍ବ ଏହି ବ୍ରିଜ୍‌ରେ ୨୩ଟି ସ୍ପାନ ଥିବା ବେଳେ ଆଜି ସେଥିରୁ ଗୋଟିଏ ଭୁଶୁଡ଼ି ପଡ଼ିଛି।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe