Advertisment

Politics: ୪୫ ବର୍ଷୀୟ ନୀତିନ ନବୀନ ହେଲେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ

ନୀତିନ ପାଟନାର ବାଙ୍କୀପୁର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ବିହାରରେ ସେ ଦଳର ଜଣେ ବଡ଼ ନେତା। ଏଯାବତ ସେ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୬ରେ ଉପନିର୍ବାଚନରେ ବିଜୟୀ ହୋଇ ସେ ପ୍ରଥମେ ବିଧାନସଭାକୁ ଯାଇଥିଲେ।

author-image
Jitendra Garnayak
Nitin Nabin

ନୀତିନ ନବୀନ

ଭାରତୀୟ ଜନତା ପାର୍ଟି (BJP) ରବିବାର ନୀତିନ ନବୀନ ସିହ୍ନାଙ୍କୁ ଏହାର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି। ଦଳର ସଂସଦୀୟ ବୋର୍ଡ ତାଙ୍କୁ ଏହି ନିଯୁକ୍ତି ଦେଇଛି।

Advertisment

୪୫ ବର୍ଷୀୟ ନୀତିନ ନବୀନ ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାରରେ ସଡ଼କ ନିର୍ମାଣ ମନ୍ତ୍ରୀ ଅଛନ୍ତି। ବିହାରର ରାଜଧାନୀ ପାଟନାରେ ଜନ୍ମ ହୋଇଥିବା ନୀତିନ ନବୀନଙ୍କ ବାପାଙ୍କ ନାଁ ନବୀନ କିଶୋର ପ୍ରସାଦ ସିହ୍ନା। ସେ ବି ବିଜେପିର ଜଣେ ନେତା ଥିଲେ। ସେ ବିଧାୟକ ମଧ୍ୟ ହୋଇଥିଲେ। ତାଙ୍କର ମୃତ୍ୟୁ ପରେ ନୀତିନ ନବୀନ ନିର୍ବାଚନ ରାଜନୀତିରେ ପ୍ରବେଶ କରିଥିଲେ। 

ନୀତିନ ପାଟନାର ବାଙ୍କୀପୁର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ବିହାରରେ ସେ ଦଳର ଜଣେ ବଡ଼ ନେତା। ଏଯାବତ ସେ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୬ରେ ଉପନିର୍ବାଚନରେ ବିଜୟୀ ହୋଇ ସେ ପ୍ରଥମେ ବିଧାନସଭାକୁ ଯାଇଥିଲେ। ସେତେବେଳେ ସେ ପାଟନା ୱେଷ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ଏହି ଆସନରୁ ତାଙ୍କ ବାପା ନବୀନ କିଶୋର ପ୍ରସାଦ ସିହ୍ନା ୧୯୯୫, ୨୦୦୦ ଓ ୨୦୦୫ ନିର୍ବାଚନ ଜିତିଥିଲେ। ତାଙ୍କ ମୃତ୍ୟୁ ପରେ ୨୦୦୬ରେ ଏହି ଆସନରେ ହୋଇଥିବା ଉପନିର୍ବାଚନରେ ଜିତିଥିଲେ ନୀତିନ ନବୀନ।

Advertisment

୨୦୦୮ରେ ପାଟନା ୱେଷ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଭାଙ୍ଗି ବାଙ୍କୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ କରାଯାଇଥିଲା। ଏହି ଆସନରୁ ଲଗାତାର ୪ ଥର ହେଲାଣି ବିଜୟୀ ହୋଇଆସୁଛନ୍ତି ନୀତିନ ନବୀନ। ଏହି ଆସନରେ ସେ ୨୦୧୦, ୨୦୧୫, ୨୦୨୦ ଓ ୨୦୨୫ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ଚଳିତ ବର୍ଷ ଅନୁଷ୍ଠିତ ବିହାର ବିଧାନସଭା ନିର୍ବାଚନରେ ସେ ବାଙ୍କୀପୁର ଆସନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୫୧ ହଜାର ଭୋଟ୍‌ରେ ପରାସ୍ତ କରିଥିଲେ। 

ବିଜେପି ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସହିତ ଅନ୍ୟାନ୍ୟ ଶୀର୍ଷ ପଦପଦବୀରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ହେଉଥିବା ବେଳେ ଆଜି ନୀତିନ ନବୀନଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛି। ଜେପି ନଡ୍ଡା ଏବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଛନ୍ତି। ୨୦୨୦ ଜାନୁଅରୀ ମାସରେ ସେ ଏହି ପଦ ଗ୍ରହଣ କରିଥିଲେ। ୟା ଭିତରେ ତାଙ୍କ କାର୍ଯ୍ୟକାଳକୁ ଏକାଧିକ ଥର ବୃଦ୍ଧି କରାଯାଇଛି।  ୨୦୨୪ ସାଧାରଣ ନିର୍ବାଚନ ସହିତ ତା’ପୂର୍ବରୁ ଅନ୍ୟାନ୍ୟ ନିର୍ବାଚନ ଯୋଗୁ ଦଳ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଥିଲା।

ନୀତିନ ନବୀନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ ହେବା ପରେ ନୀତିନ ନବୀନଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ନୀତିନ ନବୀନ ଜଣେ ଯୁବ ନେତା ଓ ପରିଶ୍ରମୀ କାର୍ଯ୍ୟକର୍ତ୍ତା। ବିଧାୟକ ଓ ମନ୍ତ୍ରୀ ଭାବେ ତାଙ୍କ ରେକର୍ଡ ପ୍ରଶଂସନୀୟ। ତାଙ୍କ ନିଷ୍ଠା ସଂଗଠନକୁ ଦୃଢ଼ କରିବ। 

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଦଳର ଅନ୍ୟ ନେତାମାନେ ନୂଆ ଦାୟିତ୍ୱ ପାଇଁ ନୀତିନ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

Bjp