Advertisment

Nitin Nabin: ବିଜେପିରେ ଆରମ୍ଭ ହେଲା ‘ନବୀନ’ ଯୁଗ

୪୫ ବର୍ଷୀୟ ନୀତୀନ ନବୀନ ସବୁଠାରୁ କନିଷ୍ଠ ସଦସ୍ୟ ଭାବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ରେକର୍ଡ କରିଛନ୍ତି। ସେ ହେଉଛନ୍ତି ବିଜେପି ନେତା ତଥା ପୂର୍ବତନ ବିଧାୟକ ନବୀନ କିଶୋର ପ୍ରସାଦ ସିହ୍ନାଙ୍କ ପୁଅ।

Nitin-Nabin

ନୀତୀନ ନବୀନ

Advertisment

ବିଜେପି(Bjp)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ନୀତୀନ ନବୀନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେପି କମାଣ ଧରିଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାମ କରୁଥିବା ଜେପି ନଡ୍ଡାଙ୍କ ଠାରୁ ୪୫ ବର୍ଷୀୟ ନୀତୀନ ନବୀନ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଦାୟିତ୍ୱ ନେବା ପରେ ବିଜେପିରେ ଗୋଟିଏ ‘ନବୀନ’ ଯୁଗ ଆରମ୍ଭ ହୋଇଛି। ବିଜେପି ଇତିହାସରେ ନୀତୀନ ନବୀନ ସବୁଠାରୁ କନିଷ୍ଠ ସଦସ୍ୟ ଭାବେ ଅଧ୍ୟକ୍ଷ ପଦ ଅଳଙ୍କୃତ କରିଛନ୍ତି। 

Advertisment

ଅଧ୍ୟକ୍ଷ ପଦ ପାଇଁ ବିଜେପି ନିର୍ବାଚନ ତାରିଖ ଘୋଷଣା କରିଥିଲେ ହେଁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ନୀତୀନ ନବୀନ। ସେ ଏକମାତ୍ର ପ୍ରାର୍ଥୀ ରହିଥିବାରୁ ବିନା ନିର୍ବାଚନରେ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ନୀତୀନ ନାମାଙ୍କନ ବେଳେ ୩୭ ସେଟ୍ ସମର୍ଥନର ପତ୍ର ଦାଖଲ ହୋଇଥିଲା।

ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପ୍ରସ୍ତାବକ ରହିଥିଲେ। ଏହାବାଦ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ନୀତୀନଙ୍କ ପାଇଁ ସମର୍ଥନ ପତ୍ର ବିଜେପିର ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ କରିଥିଲେ। ଅଧ୍ୟକ୍ଷ ହେବା ପୂର୍ବରୁ ଡିସେମ୍ବର ୧୪ରେ ନୀତୀନ ନବୀନଙ୍କୁ ଦଳର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏବେ ସେ ବିଧିବଦ୍ଧ ଭାବେ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। 

Advertisment

ଆଜି ଅଧ୍ୟକ୍ଷ ପଦର ଦାୟିତ୍ୱ ବିଜେପି ମୁଖ୍ୟାଳୟରେ ଗ୍ରହଣ କରିବା ପୂର୍ବରୁ ନୀତୀନ ଦିଲ୍ଲୀର ବିଭିନ୍ନ ପ୍ରସିଦ୍ଧ ମନ୍ଦିର ସମେତ ଗୁରୁଦ୍ୱାର ବଙ୍ଗଲା ସାହିବ ଯାଇଥିଲେ। ଏହି ସମୟରେ ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ ଓ ଦିଲ୍ଲୀର ମନ୍ତ୍ରୀ ପରଭେଶ ସାହେବ ସିଂହ ବର୍ମା ଉପସ୍ଥିତ ରହିଥିଲେ। 

ଏହାପରେ ସେ ବିଜେପି ମୁଖ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ପ୍ରମୁଖ ମୁଖ୍ୟାଳୟରେ ପହଞ୍ଚି ନୀତୀନ ନବୀନଙ୍କୁ ସ୍ୱାଗତ କରିଛନ୍ତି।

୪୫ ବର୍ଷୀୟ ନୀତୀନ ନବୀନ ସବୁଠାରୁ କନିଷ୍ଠ ସଦସ୍ୟ ଭାବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବାର ରେକର୍ଡ କରିଛନ୍ତି। ସେ ହେଉଛନ୍ତି ବିଜେପି ନେତା ତଥା ପୂର୍ବତନ ବିଧାୟକ ନବୀନ କିଶୋର ପ୍ରସାଦ ସିହ୍ନାଙ୍କ ପୁଅ। ବିହାରର ବାଙ୍କିପୁର ବିଧାନସଭା ଆସନରୁ କ୍ରମାଗତ ୫ଥର ଜିତିଛନ୍ତି ନବୀନ। ଏଯାଏ ସେ କେବେ ହେଲେ ପରାଜୟର ସ୍ୱାଦ ଚାଖି ନାହାନ୍ତି। 

ସେ ପ୍ରଥମଥର ୨୦୦୬ରେ ବାଙ୍କୀପୁରରେ ହୋଇଥିବା ଉପ ନିର୍ବାଚନରେ ଜିତିଥିଲେ। ଏହି ସମୟରେ ସେ ତାଙ୍କ ନିକଟତମ ପ୍ରାର୍ଥୀଙ୍କୁ ପ୍ରାୟ ୬୦ ହଜାର ଖଣ୍ଡ ଭୋଟରେ ହରାଇଥିଲେ। ଗତବର୍ଷ ଅନୁଷ୍ଠିତ ବିହାର ବିଧାନସଭା ନିର୍ବାଚନରେ ସେ ୫୧ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। 

ନୀତୀନ ପାଟନାର ବାଙ୍କୀପୁର ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଛନ୍ତି। ବିହାରରେ ସେ ଦଳର ଜଣେ ବଡ଼ ନେତା। ଏଯାବତ ସେ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୬ରେ ଉପନିର୍ବାଚନରେ ବିଜୟୀ ହୋଇ ସେ ପ୍ରଥମେ ବିଧାନସଭାକୁ ଯାଇଥିଲେ। ସେତେବେଳେ ସେ ପାଟନା ୱେଷ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିଲେ। ଏହି ଆସନରୁ ତାଙ୍କ ବାପା ନବୀନ କିଶୋର ପ୍ରସାଦ ସିହ୍ନା ୧୯୯୫, ୨୦୦୦ ଓ ୨୦୦୫ ନିର୍ବାଚନ ଜିତିଥିଲେ। ତାଙ୍କ ମୃତ୍ୟୁ ପରେ ୨୦୦୬ରେ ଏହି ଆସନରେ ହୋଇଥିବା ଉପନିର୍ବାଚନରେ ଜିତିଥିଲେ ନୀତୀନ ନବୀନ। 

୨୦୦୮ରେ ପାଟନା ୱେଷ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଭାଙ୍ଗି ବାଙ୍କୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ କରାଯାଇଥିଲା। ଏହି ଆସନରୁ ଲଗାତାର ୪ ଥର ହେଲାଣି ବିଜୟୀ ହୋଇଆସୁଛନ୍ତି ନୀତୀନ ନବୀନ। ଏହି ଆସନରେ ସେ ୨୦୧୦, ୨୦୧୫, ୨୦୨୦ ଓ ୨୦୨୫ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। 

୨୦୨୩ ଛତିଶଗଡ଼ ନିର୍ବାଚନ ବେଳେ ନୀତୀନ ନବୀନଙ୍କୁ ସେଠାକାର ସହ ପ୍ରଭାରୀ ଭାବେ ନିଯୁକ୍ତି ମିଳିଥିଲା। ଏହି ନିର୍ବାଚନରେ ନବୀନଙ୍କ ରଣନୀତି ଯୋଗୁ ବିଜେପି ଦମଦାର ବିଜୟ ହାସଲ କରିଥିଲା। ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ଛତିଶଗଡ଼ରେ ୧୧ଟି ଆସନରୁ ୧୦ଟିରେ ଜିତି ନୂଆ ରେକର୍ଡ କରିଥିଲା। ଏହାପରେ ବେଶ ଚର୍ଚ୍ଚାକୁ ଆସିଥିଲେ ନୀତୀନ ନବୀନ। 

ଆରଏସଏସ ବ୍ୟାକଗ୍ରାଉଣ୍ଡରୁ ଆସିଥିବା ନବୀନ ଜଣେ ତୃଣମୂଳ ସ୍ତରର ସାଂଗଠନିକ ନେତା ଭାବେ ବେଶ ପରିଚିତ। ସେ ସାଂଗଠନିକ ସ୍ତରରୁ ଆସି ଆଜି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି। ନବୀନ ରାଞ୍ଚିରେ ଜନ୍ମିତ ଓ ଦୀପମାଲା ଶ୍ରୀବାସ୍ତବ ହେଉଛନ୍ତି ତାଙ୍କ ପତ୍ନୀ। ଏହି ଦମ୍ପତିଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। 

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe