ନୀତୀଶ କୁମାରଙ୍କ କ୍ୟାବିନେଟରୁ ଇସ୍ତଫା ଦେଲେ ସନ୍ତୋଷ କୁମାର ସୁମନ

ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ସନ୍ତୋଷ କୁମାର ସୁମନ।

ଇସ୍ତଫା ଦେଇଥିବା ସନ୍ତୋଷ କୁମାର ସୁମନ (ଫାଇଲ ଫଟୋ)

  • Published: Tuesday, 13 June 2023
  • , Updated: 13 June 2023, 05:08 PM IST

ବିହାର ରାଜନୀତିରେ ସବୁ କିଛି ଠିକ ନାହିଁ। ଶାସକ ମେଣ୍ଟରେ ଫାଟ ସୃଷ୍ଟି ହେବାର ସଙ୍କେତ ମିଳିଛି। ଜେଡିୟୁ ଓ ଆରଜେଡି ସହ ହାତ ମିଳାଇଥିବା ଛୋଟ ଛୋଟ ଦଳ ଗୁଡ଼ିକ ଆଉ ନିଜର ଅସ୍ଥିତ୍ୱ ନେଇ ସୁରକ୍ଷିତ ମଣୁ ନାହାନ୍ତି। ଏଥିପାଇଁ ସେମାନେ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରୁଛନ୍ତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ସନ୍ତୋଷ କୁମାର ସୁମନ।

ଜେଡିୟୁ ସହ ତାଙ୍କ ଦଳ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା(ଏଚଏଏମ) ମଧ୍ୟ ସରକାରର ଅଂଶ ବିଶେଷ ରହିଛି। ହେଲେ ଏଚଏଏମକୁ ଏବେ ଜେଡିୟୁରେ ଲୀନ କରିବାକୁ ଚାପ ପଡ଼ୁଥିବାରୁ ସୁମନ ଇସ୍ତଫା ଦେଇଥିବା କହିଛନ୍ତି। ସେ କହିଛନ୍ତି, “ଆମ ଦଳର ଅସ୍ଥିତ୍ୱ ଏବେ ବିପଦରେ। ମୁଁ ଏହାର ସୁରକ୍ଷା ପାଇଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି।”

ଜୁନ ୨୩ରେ ପାଟନାରେ ହେବାକୁ ଥିବା ବିରୋଧୀଙ୍କ ବିରାଟ ସମାବେଶରେ ଏଚଏଏମ ଯୋଗଦେବ କି ପ୍ରଶ୍ନରେ ସୁମନ କହିଛନ୍ତି, “ଆମକୁ ଡକାଯାଇ ନାହିଁ। ଆମକୁ ଦଳ ଭାବେ ମଧ୍ୟ ବିଚାରକୁ ନିଆଯାଉ ନାହିଁ। ଆମକୁ ତ ନିମନ୍ତ୍ରଣ କରାଯାଇନି, ଆମେ ସେଠାକୁ ଯିବୁ କେମିତି? ଅନେକ ଜୀବଜନ୍ତୁ ଜଙ୍ଗଲରେ ରୁହନ୍ତି। ସେଠାରେ ସିଂହ ଓ ଛୋଟ ଜନ୍ତୁ ରୁହନ୍ତି, ଯେଉଁମାନେ ଶିକାର କରନ୍ତି।

ସମସ୍ତେ ସମସ୍ତଙ୍କ ଠାରୁ ଖସି ବାକୁ ଚେଷ୍ଟା କରନ୍ତି। ହରିଣ ମଧ୍ୟ ଶୀକାର ନ ହେବାକୁ ସବୁବେଳେ ଚେଷ୍ଟା କରେ। ଆମେ ମଧ୍ୟ ଏଯାଏ ଶୀକାରରୁ ବଞ୍ଚି ଆସିଛୁ। କିନ୍ତୁ ଆଜି ଆମକୁ ଅନୁଭବ ହେଉଛି ଯେ ଏହା ଆଉ ବେଶୀ ଦିନ ସମ୍ଭବ ନୁହେଁ।”

ଶ୍ରୀ ସୁମନଙ୍କ କହିବା କଥା ଯେ ତାଙ୍କ ଦଳ ଏଯାଏ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଯିବ କି ନାହିଁ, ସେ ପ୍ରସଙ୍ଗରେ ଆଦୌ ଚିନ୍ତା କରନି। ସେ କହିଛନ୍ତି, “ଆମେ ସ୍ୱାଧୀନ ପାର୍ଟି। ଆମେ ସବୁବେଳେ ଆମର ସୁରକ୍ଷା ଓ ଅସ୍ଥିତ୍ୱ ସମ୍ପର୍କରେ ଭାବିଥାଉ। ଏବେ ମୁଁ କିଛି ବି ଭାବି ନାହିଁ। ମୁଁ ଏବେ ବି ମହାଗଠବନ୍ଧନର ଅଂଶବିଶେଷ ହେବାକୁ ଚାହେଁ।”

ଶ୍ରୀ ସୁମନ ହେଉଛନ୍ତି ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତେନ ରାମ ମାଞ୍ଝୀଙ୍କ ପୁଅ। ସେ ନୀତୀଶ କୁମାରଙ୍କ ସରକାରରେ ଏସ୍‌ସି/ଏସଟି କଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ। ଜେଡିୟୁ, ଆରଜେଡି ସହ ମିଶି ଏଚଏଏମ ସରକାରରେ ରହିଛି। ସୁମନ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ହେଁ ଏବେ ବି ଶାସକ ମେଣ୍ଟରେ ରହିଥିବା ସ୍ପଷ୍ଟ କରିଛନ୍ତି।

ସନ୍ତୋଷ କୁମାର ସୁମନ ତାଙ୍କ ଇସ୍ତଫାପତ୍ର ବିହାରର ସଂସଦୀୟ ବ୍ୟାପର ମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କ ନିକଟକୁ ପଠାଇଛନ୍ତି।

Related story