ନୀତୀଶ କୁମାର
ବିହାରରେ ସରିବ ନୀତୀଶ କୁମାର(Nitish Kumar)ଙ୍କ ଯୁଗ। ଦୀର୍ଘ ୨୦ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ନୀତୀଶ କୁମାର ରାଜ୍ୟ ଶାସନରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ସେ ରାଜ୍ୟସଭାକୁ ଯିବେ। ଆଜି ସେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି। ସେ ନାମାଙ୍କନ ଭରିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ।
ଆଜି ନୀତୀଶ କୁମାର ନାମାଙ୍କନ ଭରିବାକୁ ଥିବାରୁ ମଧ୍ୟାହ୍ନ ସମୟରେ ଅମିତ ଶାହ ପାଟନାରେ ପହଞ୍ଚିଥିଲେ। ଏହାପରେ ସେ ନୀତୀଶ କୁମାରଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ। ସେଠାରେ ତାଙ୍କୁ ନିଜେ ନୀତୀଶ କୁମାର ସ୍ୱାଗତ କରିଛନ୍ତି। ଶାହଙ୍କ ସହ ଆଲୋଚନା କରିବା ପରେ ନୀତୀଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି। ସେ ରାଜ୍ୟସଭା ଯାଉଥିବା ସ୍ପଷ୍ଟ କରିବା ସହ ବିହାରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ନୀତୀଶ କୁମାର ରାଜ୍ୟସଭା ଯାଉଥିବା ନିଶ୍ଚିତ ହେବା ପରେ ସେ ଆସନ୍ତା ୧୬ ତାରିଖ ଯାଏ ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ ବୋଲି ଜେଡିୟୁ ପକ୍ଷରୁ କୁହାଯାଇଛି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦ ଛାଡ଼ୁଥିବା ବେଳେ ତାଙ୍କ ପୁଅ ନିଶାନ୍ତ ରାଜ୍ୟ ରାଜନୀତିରେ ଡେବ୍ୟୁ କରିବେ। ବିଜେପି ମୁଖ୍ୟମନ୍ତ୍ରୀ ପଦ ହାତେଇବାକୁ ଥିବା ବେଳେ ନିଶାନ୍ତ ବିହାରର ଉପ ମୁଖ୍ୟମନ୍ତ୍ରୀ ହେବେ।
ରାଜ୍ୟସଭା ନାମାଙ୍କନ ଦାଖଲ କରିବା ପୂର୍ବରୁ ନୀତୀଶ କୁମାର ବିହାର ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ବିହାରରେ ଗଠନ ହେବାକୁ ଥିବା ନୂଆ ସରକାରକୁ ସେ ପୂର୍ଣ୍ଣ ସମର୍ଥନ କରିବେ ବୋଲି ମଧ୍ୟ କହିଛନ୍ତି।
ମାତ୍ର ୪ ମାସ ତଳେ ରେକର୍ଡ ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତୀଶ କୁମାର। ଏବେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ରାଜ୍ୟସଭାକୁ ଯାଉଛନ୍ତି। ଏହାପୂର୍ବରୁ ସେ ଏକ୍ସରେ ଲେଖିଛନ୍ତି ଯେ “ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆପଣମାନେ ନିଜର ବିଶ୍ୱାସ ଓ ସମର୍ଥନ ମୋ ଉପରେ ରଖି ଆସିଛନ୍ତି। ଏହି ବିଶ୍ୱାସର ଶକ୍ତି ବଳରେ ଆମେ ବିହାର ଓ ଆପଣ ସମସ୍ତଙ୍କର ସେବା ଅତି ନିଷ୍ଠାର ସହ କରି ଆସିଛୁ।
ଆପଣଙ୍କ ବିଶ୍ୱାସର ଶକ୍ତି ପେଇଁ ଆଜି ବିହାର ବିକାଶ ଓ ସମ୍ମାନର ନୂଆ ସ୍ତରରେ ପହଞ୍ଚି ପାରିଛି। ଏଥିପାଇଁ ପୂର୍ବରୁ ମଧ୍ୟ ମୁଁ ଆପଣମାନଙ୍କ ନିକଟରେ ଅନେକ ଥର କୃତଜ୍ଞତା ପ୍ରକାଶ କରିଛି। ସଂସଦୀୟ ଜୀବନ ଆରମ୍ଭ କରିବା ସମୟରେ ମୋ ମନରେ ଗୋଟିଏ ଇଚ୍ଛା ଥିଲା। ମୁଁ ବିହାର ବିଧାନ ମଣ୍ଡଳର ଦୁଇଟି ଯାକ ସଦନ ଓ ସଂସଦର ଦୁଇଟି ଯାକ ସଦନର ସଦସ୍ୟ ହେବାକୁ ଇଚ୍ଛା ରଖିଥିଲି। ଏହିକ୍ରମରେ ମୁଁ ଏଥର ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ରାଜ୍ୟସଭାର ସଦସ୍ୟ ହେବାକୁ ଚାହୁଁଛି।
ମୁଁ ଆପଣମାନଙ୍କୁ ପୂରା ସ୍ପଷ୍ଟ ଭାବେ ବିଶ୍ୱାସ ଦେବାକୁ ଚାହୁଁଛି ଯେ ଆପଣମାନଙ୍କ ସହ ମୋର ଏ ସମ୍ପର୍କ ଭବିଷ୍ୟତରେ ମଧ୍ୟ ଯୋଡ଼ି ହୋଇ ରହିବ। ଆପଣମାନଙ୍କ ସହ ମିଶି ବିକଶିତ ବିହାର ଗଠନ କାମରେ ମୁଁ ସାମିଲ ହେବି। ବିହାରରେ ଯେଉଁ ନୂଆ ସରକାର ଗଠନ ହେବ, ତା’କୁ ମୋର ପୂର୍ଣ୍ଣସମର୍ଥନ ରହିବ।”
ଯଦି ନୀତୀଶ କୁମାର ରାଜ୍ୟସଭାକୁ ନିର୍ବାଚିତ ହୁଅନ୍ତି, ତା’ହେଲେ ସେ ତାଙ୍କ ରାଜନୀତିକ କ୍ୟାରିୟରରେ ଆଉ ଏକ ମାଇଲଖୁଣ୍ଟ ହାସଲ କରିବେ। ପୂର୍ବରୁ ସେ ବିହାର ବିଧାନସଭା, ବିହାର ବିଧାନ ପରିଷଦ ଓ ଲୋକସଭାରେ କାର୍ଯ୍ୟ କରି ସାରିଛନ୍ତି। ଏବେ ସେ ରାଜ୍ୟସଭାରେ ମଧ୍ୟ ସଦସ୍ୟ ଭାବେ କାର୍ଯ୍ୟ କରିବେ। ବିହାରର ୨ଟି ସଦନ ଓ ସଂସଦର ୨ଟି ଯାକ ସଦନରେ କାମ କରିଥିବା ବିରଳ ରାଜନେତା ବନିଯିବେ ନୀତୀଶ କୁମାର।
ଜେଡିୟୁ ସୂତ୍ରରେ କୁହାଯାଇଛି ଯେ ନୀତୀଶ କୁମାର ଆଜି ନାମାଙ୍କନ ଦାଖଲ କରିଥିଲେ ହେଁ ମୁଖ୍ୟମନ୍ତ୍ରୀ ଭାବେ ମାର୍ଚ୍ଚ୧ ୬ ଯାଏ କାମ କରିବେ। ମାର୍ଚ୍ଚ ୧୬ ନିର୍ବାଚନ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/05/nitish-kumar-2026-03-05-13-58-20.jpg)