Advertisment

ପୁଣି ବିରୋଧୀଙ୍କୁ ଏକାଠି କରିବାକୁ ଦିଲ୍ଲୀରେ ନୀତୀଶ କୁମାର

ମଙ୍ଗଳବାର ଇଡି ଚାକିରି ପାଇଁ ଜମି ଦୁର୍ନୀତି ଘଟଣାରେ ଲାଲୁଙ୍କ ପୁଅ ତଥା ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦଙ୍କୁ ଜେରା କରିଥିଲା। ଗୋଟିଏ ପଟେ ଇଡି ତେଜସ୍ୱୀଙ୍କୁ ଜେରା କରୁଥିବା ବେଳେ ଅନ୍ୟପଟେ ନୀତୀଶ କୁମାର ତାଙ୍କ ବାପା ଲାଲୁଙ୍କୁ ଭେଟିଛନ୍ତି।

author-image
Hemant Lenka
Nitish Kumar

Nitish Kumar

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ବିଜେପି ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ମଙ୍ଗଳବାର ସେ ଦିଲ୍ଲୀରେ ପହଞ୍ଚିବା ସହ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି। ତାଙ୍କ ସହ ସେ ଢେର ସମୟ ରୁଦ୍ଧଦ୍ୱାର ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

Advertisment

ବୁଧବାର ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଅନ୍ୟ ଅଣ ବିଜେପି ନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ଦଳଗୁଡ଼ିକୁ କେମିତି ଏକାଠି କରାଯିବ, ସେସବୁ ବିଷୟରେ ଆଲୋଚନା କରିବା ପାଇଁ ନୀତୀଶ କୁମାର ଦିଲ୍ଲୀରେ ପହଞ୍ଚିଥିବା କୁହାଯାଉଛି।

ନୀତୀଶ କୁମାରଙ୍କ ଏହି ଦିଲ୍ଲୀ ଗସ୍ତ ସମୟରେ ତାଙ୍କ ସହ ଜେଡିୟୁ ସଭାପତି ରାଜୀବ ରଞ୍ଜନ ଓରଫ ଲଲନ ସିଂହ ଓ ଜଳ ସମ୍ପଦ ମନ୍ତ୍ରୀ ସଞ୍ଜୟ ଝା ଆସିଛନ୍ତି। ଏମାନେ ସମସ୍ତେ କିଡ୍‌ନୀ ପ୍ରତିରୋପଣ ପରେ ଲାଲୁ ପ୍ରସାଦଙ୍କୁ ପ୍ରଥମଥର ଭେଟିଛନ୍ତି। ଏଜେଣ୍ଡା ରାଜନୀତିକ ଥିଲେ ମଧ୍ୟ ଏପରି ଭେଟଘାଟକୁ ନେଇ ଉଭୟ ଆରଜେଡି ଓ ଜେଡିୟୁ ବିସ୍ତୃତ ତଥ୍ୟ ଦେଇନାହାନ୍ତି।

Advertisment

ଆରଜେଡି ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ “ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଥିଲେ। ସେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏଥିସହ ଉଭୟ ବର୍ତ୍ତମାନର ସମାଜିକ ଓ ରାଜନୀତିକ ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମଙ୍ଗଳବାର ଇଡି ଚାକିରି ପାଇଁ ଜମି ଦୁର୍ନୀତି ଘଟଣାରେ ଲାଲୁଙ୍କ ପୁଅ ତଥା ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦଙ୍କୁ ଜେରା କରିଥିଲା। ଗୋଟିଏ ପଟେ ଇଡି ତେଜସ୍ୱୀଙ୍କୁ ଜେରା କରୁଥିବା ବେଳେ ଅନ୍ୟପଟେ ନୀତୀଶ କୁମାର ତାଙ୍କ ବାପା ଲାଲୁଙ୍କୁ ଭେଟିଛନ୍ତି।

ଲାଲୁ ଓ ନୀତୀଶ କୁମାରଙ୍କ ବୈଠକ ବେଳେ ଉପସ୍ଥିତ ଥିବା ଜଣେ ବରିଷ୍ଠ ଆରଜେଡି ନେତା କହିଛନ୍ତି, ୨୦୨୪ରେ ବିଜେପିକୁ ଚେକ ଦେବା ପାଇଁ ସମସ୍ତ ବିରୋଧୀ ତଥା ସମାନ ଚିନ୍ତାଧାରା ରଖିଥିବା ଦଳଗୁଡ଼ିକୁ କେମିତି ଗୋଟିଏ ମଞ୍ଚରେ ଏକାଠି କରାଯିବ, ସେବିଷୟରେ ଉଭୟ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ କିଏ ହେବେ, ତାହା ପ୍ରସଙ୍ଗ ନୁହେଁ। ଦେଶକୁ କେମିତି ପ୍ରଭାବୀ ବିକଳ୍ପ ଦିଆଯାଇ ପାରିବ ଓ ଆମେ ତା’ ଉପରେ କେମିତି କାମ କରିବା, ସେସବୁ ବିଷୟରେ ଉଭୟ କଥା ହୋଇଛନ୍ତି।

୨୦୦୪ରେ ମଧ୍ୟ ବିରୋଧୀ ବିନା ପ୍ରଧାନମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିଥିଲେ। ତଥାପି ୟୁପିଏ ନିର୍ବାଚନ ଜିତିଥିଲା। ବିରୋଧୀ କଂଗ୍ରେସ ଛତା ତଳକୁ ଆସିବାକୁ ଚାହୁଁଛନ୍ତି। କିନ୍ତୁ ଯେଉଁ ସବୁ ରାଜ୍ୟରେ ଅନ୍ୟ ରାଜନୀତିକ ଦଳ ଭଲ ସ୍ଥିତିରେ ରହିଛନ୍ତି, ସେଠାରେ ସେମାନଙ୍କୁ ଡ୍ରାଇଭିଂ ସିଟ୍‌ରେ ବସିବା ପାଇଁ ଛାଡ଼ିବାକୁ ପଡ଼ିବ ବୋଲି ନେତା ଜଣଙ୍କ କହିଛନ୍ତି।

ସୂତ୍ର ଅନୁସାରେ ନୀତୀଶ କୁମାର ତାଙ୍କ ୩ ଦିନିଆ ଦିଲ୍ଲୀ ଗସ୍ତ ସମୟରେ ଅନେକ ଅଣ ବିଜେପି ନେତାଙ୍କୁ ଭିଟେବେ। ବିରୋଧୀଙ୍କୁ ଏକାଠି କରିବା ପାଇଁ ତୃତୀୟ ଥର ପାଇଁ ନୀତୀଶ କୁମାର ଦିଲ୍ଲୀ ଆସିଛନ୍ତି। ପୂର୍ବରୁ ସେପ୍ଟେମ୍ବର ୫ରେ ସେ ଦିଲ୍ଲୀ ଆସିବା ସହ ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ବାମପନ୍ଥୀ ନେତା ସୀତାରାମ ୟେଚୁରୀ, ଡି ରାଜା, ଏନସିପି ସୁପ୍ରିମୋ ଶରଦ ପାୱାର ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭେଟିଥିଲେ।

ନୀତୀଶ କୁମାର ପୁଣି ସେପ୍ଟେମ୍ବର ୨୬ରେ ଦିଲ୍ଲୀ ଆସିଥିଲେ। ଏହି ସମୟରେ ତାଙ୍କ ସହ ଲାଲୁ ରହିଥିଲେ। ଉଭୟ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କୁ ଭେଟି ଦୀର୍ଘ ସମୟ ଆଲୋଚନା କରିଥିଲେ।

Congress Tejashwi Yadav Delhi Bihar Nitish Kumar Lalu Prasad Yadav Mallikarjun Kharge