Nitish Kumar
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବା ପାଇଁ ଅଣ୍ଟା ଭିଡ଼ିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଆଉ ପାଦେ ଆଗେଇଛନ୍ତି। ରବିବାର ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିବା ବେଳେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି।
କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ ପାଇଁ ବିରାଟ ବୈଠକର ଯୋଜନା ହୋଇଥିଲା। ଏହି ବୈଠକର ତାରିଖ ଓ ସ୍ଥାନ ସମ୍ପର୍କରେ ଆଲୋଚନା କରିବା ପାଇଁ ଆଜି ନୀତୀଶ କୁମାର ଦିଲ୍ଲୀରେ ଖଡଗେ ଓ ରାହୁଲ ଗାନ୍ଧିଙ୍କୁ ଭେଟିଥିବା ଜଣାପଡ଼ିଛି।
ସେହିପରି ବିରୋଧୀ ଦଳଗୁଡ଼ିକ ସଂସଦର ନୂଆ ବିଲ୍ଡିଂ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ କି ନାହିଁ, ସେ ବିଷୟରେ ମଧ୍ୟ ନୀତୀଶ ଆଲୋଚନା କରିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଆସନ୍ତା ୨୮ ତାରିଖରେ ସଂସଦର ନୂଆ ବିଲଡିଂକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ।
ବୈଠକ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତା କେସି ଭେନୁଗୋପାଲ କହିଛନ୍ତି, “ବିରୋଧୀ ଦଳଗୁଡ଼ିକର ବୈଠକ ଆୟୋଜନ କରାଯିବ। ଆସନ୍ତା ଦିନେ କି ଦୁଇ ଦିନ ଭିତରେ ଏହାର ତାରିଖ ଓ ସ୍ଥାନ ସମ୍ପର୍କରେ ସୂଚନା ଦିଆଯିବ। ଅଧିକାଂଶ ବିରୋଧୀ ଦଳର ନେତା ବୈଠକରେ ଯୋଗଦେବେ।”
ନୀତୀଶ କୁମାରଙ୍କ ସହ ଆଲୋଚନା କରିବା ପରେ ଖଡଗେ ନିଜ ଟ୍ୱିଟର ଆକାଉଣ୍ଟରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଓ ରାହୁଲ ଗାନ୍ଧି ଏକାଠି ନୀତୀଶ କୁମାରଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।
ଏହି ଭିଡିଓ ସହ ଖଡଗେ ଲେଖିଛନ୍ତି ଯେ “ଏବେ ଦେଶ ଏକଜୁଟ ହେବ। ଗଣତନ୍ତ୍ରକୁ ସଶକ୍ତ କରିବାକୁ ହିଁ ଆମର ବାର୍ତ୍ତା। ରାହୁଲ ଗାନ୍ଧି ଓ ଆମେ ଦେଶରେ ଦେଖାଯାଇଥିବା ରାଜନୀତିକ ସ୍ଥିତି ସମ୍ପର୍କରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଆଲୋଚନା କରିଛୁ। ଦେଶକୁ ନୂଆ ଦିଗଦର୍ଶନ ଦେବା ପାଇଁ ଜାରି ରହିଥିବା ପ୍ରକ୍ରିୟାକୁ ଆଗକୁ ନେଇଛୁ।”
ଆଜି ନୀତୀଶ କୁମାର ଦିଲ୍ଲୀର ୧୦ ରାଜାଜୀ ମାର୍ଗ ଠାରେ ଥିବା ଖଡଗେଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଥିଲେ। ବରିଷ୍ଠ କଂଗ୍ରେସ ନେତା ଭେନୁଗୋପାଲ ଓ ଜେଡିୟୁ ସଭାପତି ଲଲନ ସିଂହ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ନୀତୀଶଙ୍କ ସହ ଦିଲ୍ଲୀ ଆସିଥିବା ଆରଜେଡି ନେତା ତେଜସ୍ୱୀ ମଧ୍ୟ ଆଜି ଏହି ବୈଠକରେ ଯୋଗ ଦେବାର ଥିଲା। ହେଲେ ସେ ଅସୁସ୍ଥ ଅନୁଭବ କରିବାରୁ ଖଡଗେଙ୍କୁ ଭେଟି ପାରି ନାହାନ୍ତି।
ଅରବିନ୍ଦ କେଜ୍ରିୱାଲ, ମମତା ବାନାର୍ଜୀ ଓ ଅଖିଲେଶ ଯାଦବଙ୍କ ଭଳି ନେତାଙ୍କୁ କଂଗ୍ରେସ ସହ ଗୋଟିଏ ମଞ୍ଚରେ ଏକାଠି କରିବାକୁ ନୀତୀଶ କୁମାର ଉଦ୍ୟମ ଜାରି ରଖିଛନ୍ତି। ପୂର୍ବରୁ ଏହି ୩ ନେତା ଅଣ କଂଗ୍ରେସ ମେଣ୍ଟ ସପକ୍ଷରେ ମତ ରଖୁଥିଲେ। କିନ୍ତୁ ଏବେ ୩ ନେତା ମଧ୍ୟ ପରୋକ୍ଷରେ ବିରୋଧୀ ଏକତା କଥା କହି କଂଗ୍ରେସ ସହ ବୁଝାମଣା କରିବାର ସଙ୍କେତ ଦେଇଛନ୍ତି।
ତେବେ ନୀତୀଶ କୁମାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଫଳତାର ସହ ବିଜେପି ବିରୋଧୀ ମଞ୍ଚରେ ସାମିଲ କରି ପାରି ନାହାନ୍ତି। ନୀତୀଶ ଓଡ଼ିଶା ଆସି ନୀବନଙ୍କୁ ଦେଖା କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1684767278.jpg)