Advertisment

ଅଧିକାରୀଙ୍କ ଗୋଡ଼ ଛୁଇଁବାକୁ ଗଲେ ନୀତୀଶ କୁମାର, ଟାର୍ଗେଟ କଲା ଆରଜେଡି

ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡ଼ିଓରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜଣେ ଯନ୍ତ୍ରୀଙ୍କ ଗୋଡ଼ ଧରିବାକୁ ଅଗ୍ରସର ହେଉଛନ୍ତି। ନୀତୀଶଙ୍କ ଏଭଳି ହାବଭାବ ଦେଖି ବିରୋଧୀ ତାଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି। ‌

author-image
Niharika Rout
BIHAR

BIHAR

ଗତ ଜୁନ୍‌ ଓ ଜୁଲାଇ ମାସରେ ବିହାରରେ ଲଗାତାର ପୋଲ ଭୁଶୁଡ଼ିବା ପରେ ବିହାରରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏଭଳି ସମୟରେ ସୋଶାଲ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡ଼ିଓରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜଣେ ଯନ୍ତ୍ରୀଙ୍କ ଗୋଡ଼ ଧରିବାକୁ ଅଗ୍ରସର ହେଉଛନ୍ତି। ନୀତୀଶଙ୍କ ଏଭଳି ହାବଭାବ ଦେଖି ବିରୋଧୀ ତାଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି। ‌

Advertisment

ଗତକାଲି ପାଟନାଠାରେ ୩.୪ କିମି ଦୀର୍ଘ ଜେପି ଗଙ୍ଗା ପଥ ପୋଲର ତୃତୀୟ ପର୍ଯ୍ୟାୟ (ପାଟନା ମେରାଇନ୍‌ ଡ୍ରାଇଭ୍‌)ର ଉଦ୍‌ଘାଟନ କାର୍ଯ୍ୟକ୍ରମ ଥିଲା। ଏହି ସମୟରେ ହଠାତ୍‌ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଠିଆ ହୋଇ ଯନ୍ତ୍ରୀଙ୍କୁ କହିଲେ, ଆପଣ କାମରେ ଅହେତୁକ ବିଳମ୍ବ କରୁଛନ୍ତି। ତେବେ କ’ଣ ‌ମୁଁ ଆପଣଙ୍କ ଗୋଡ଼ ଧରିବି। କିନ୍ତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରନ୍ତୁ। ଯନ୍ତ୍ରୀ ଜଣକ ତୁରନ୍ତ ପଛକୁ ଘୁଞ୍ଚି ଯାଇ ହାତ ଯୋଡ଼ି ସେଭଳି ନ କରିବାକୁ ଅନୁରୋଧ କରିଥିଲେ। ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାନୁସାରେ, ଗଙ୍ଗା ନଦୀର ଦୀଦାରଗଞ୍ଜ ଠାରୁ ଦୀଦାରଗଞ୍ଜ ପର୍ଯ୍ୟନ୍ତ ୨୧.୫ କିମି ଜେପି ଗଙ୍ଗାପଥର ନିର୍ମାଣ କାର୍ଯ୍ୟ ୨୦୦୭ରେ ଅନୁମୋଦିତ ହୋଇଥିଲା। ୨୦୧୩ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତିନିଟି ପର୍ଯ୍ୟାୟରେ ମୋଟ ୧୨.୫ କିମି ଶେଷ ହୋଇଥିବା ବେଳେ ବଳକା ୮.୫ କିମି ବାକି ରହିଛି।

Advertisment

୧୧ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଏହା ଶେଷ ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତକାଲି ନିଜର ଧୈର୍ଯ୍ୟ ହରାଇଥିଲେ। ଉଦ୍‌ଘାଟନ ମଞ୍ଚ ଉପରୁ ହିଁ ତୁରନ୍ତ ବଳକା କାମ ଶେଷ କରିବାକୁ ଯନ୍ତ୍ରୀଙ୍କୁ ତାଗିଦ୍‌ କରିଥିଲେ ଏବଂ କାମ ଶେଷ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିଥିଲେ।

ଏହି ଭିଡିଓ ଭାଇରାଲ ହେବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସମଗ୍ର ବିଶ୍ୱରେ ଏପରି ଅସହାୟ, ଅକ୍ଷମ, ଲଜ୍ଜାହୀନ ମୁଖ୍ୟମନ୍ତ୍ରୀ ନ ଥିବେ, ଯିଏ କି କଥା କଥାରେ ଅଧିକାରୀମାନଙ୍କ ଆଗରେ ହାତ ଯୋଡ଼ିବାକୁ ପଛାଉ ନାହାନ୍ତି। କାରଣ ଏଠାରେ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଖାତିର କରନ୍ତି ନାହିଁ, ତାଙ୍କ ଆଦେଶ ପାଳନ କରିବା ଦୂରର କଥା। ଯେତେବେଳେ ଶାସକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ନ ରୁହେ, ବିଚାର କରିବାର କିମ୍ବା ନିଷ୍ପତ୍ତି ନେବାର କ୍ଷମତା ନ ରୁହେ ସେତେବେଳେ କଥା କଥାରେ ଅନ୍ୟର ଗୋଡ଼ ଧରିବାକୁ ପଡ଼ିଥାଏ। କାରଣ ସମସ୍ତଙ୍କୁ ଜଣା ଏଠାରେ ଶାସନ କିଏ ଚଳାଉଛି, କାହା ହାତରେ ରହିଛି ରିମୋଟ।

ଅପରପକ୍ଷେ, ବିଜେପି ଓ ଜେଡିୟୁ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ଏହାର ଜବାବରେ କୁହାଯାଇଛି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅନ୍ୟର ଗୋଡ଼ ଧରିବାକୁ ପ୍ରଚେଷ୍ଟା କରୁଛନ୍ତି, ସେ ତ କାହାକୁ ଗାଳି ଦେଉ ନାହାନ୍ତି, ନାଲି ଆଖି ଦେଖାଉ ନାହାନ୍ତି। ଏହା ନୀତୀଶ କୁମାରଙ୍କ ଭଦ୍ରାମୀ ଓ ବିନମ୍ରତାର ପରିଚୟ ବୋଲି ଜେଡିୟୁ ପକ୍ଷରୁ କୁହାଯାଇଛି।

Tejashwi Yadav Bihar Nitish Kumar JDU RJD