/odisha-reporter/media/media_files/2026/01/05/khalid-2026-01-05-13-05-32.jpg)
ଉମର ଖାଲିଦ ଓ ସର୍ଜିଲ ଇମାମ
ବହୁ ଚର୍ଚ୍ଚିତ ୨୦୨୦ ମସିହା ଦିଲ୍ଲୀ ଦଙ୍ଗା(Delhi Riots) ଷଡ଼ଯନ୍ତ୍ର ମାମଲାରେ ନିରାଶ ହୋଇଛନ୍ତି ଛାତ୍ର ନେତା ଉମର ଖାଲିଦ(Umar Khalid) ଓ ସର୍ଜିଲ ଇମାମ। ସୁପ୍ରିମକୋର୍ଟ ଏହି ମାମଲାରେ ଅନ୍ୟ ୫ ଅଭିଯୁକ୍ତଙ୍କୁ ଜାମିନ ଦେଇଥିଲେ ହେଁ ଉମର ଓ ଇମାମଙ୍କୁ କୌଣସି ଆଶ୍ୱସ୍ତି ଦେଇ ନାହାନ୍ତି। ଗୋଟିଏ ଅପରାଧିକ ଷଡ଼ଯନ୍ତ୍ରର ପ୍ରମାଣ ଉମର ଓ ଇମାମଙ୍କ ବିରୋଧରେ ମିଳିଥିବାରୁ ଉଭୟଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ।
ଜଷ୍ଟିସ ଅରବିନ୍ଦ କୁମାର ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ଦିଲ୍ଲୀ ଦଙ୍ଗା ମାମଲାର ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି କରିଛନ୍ତି। ୨୦୨୦ରୁ ଏହି ଅଭିଯୁକ୍ତମାନେ ଜେଲରେ ରହିଛନ୍ତି। ଆଜି ଖଣ୍ଡପୀଠ ଉମର ଓ ଇମାମଙ୍କୁ ଜାମିନ ଦେଇ ନାହାନ୍ତି। କିନ୍ତୁ ଉଭୟ ବର୍ଷକ ମଧ୍ୟରେ ଆଉ ଥରେ ଜାମିନ ଆବେଦନ କରିପାରିବେ ବୋଲି କହିଛନ୍ତି।
ଉମର ଓ ଇମାମ ନିରାଶ ହୋଇଥିଲେ ହେଁ ୫ ବର୍ଷ ହେଲା ଜେଲରେ ଥିବା ଗୁଲଫିଶ ଫାତିମା, ମୀରାନ ହାଇଦର, ଶିଫା ଉର ରେହମାନ, ମହମ୍ମଦ ସଲୀମ ଖାନ ଓ ଶାଦାବ ଅହମଦ ଆଜି ସର୍ବୋଚ୍ଚ ଅଦାଲତରୁ ଜାମିନ ପାଇଛନ୍ତି।
ଖାଲିଦ ଓ ଇମାମଙ୍କ ଜାମିନ ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି, ଅଭିଯୋଗ ହୋଇଥିବା ଅପରାଧିକ ଷଡ଼ଯନ୍ତ୍ରରେ ଦୁଇ ଅଭିଯୁକ୍ତଙ୍କ ଭୂମିକା ରହିଥିବା ପ୍ରାଥମିକ ଯାଞ୍ଚରୁ ପ୍ରମାଣ ମିଳିଛି। ଏହାର ସବୁ ପ୍ରମାଣ ସରକାରୀ ଓକିଲ କୋର୍ଟଙ୍କ ଆଗରେ ଉପସ୍ଥାପନ କରିବାକୁ ସକ୍ଷମ ହୋଇଛନ୍ତି। ସରକାରୀ ଓକିଲ ଦାଖଲ କରିଥିବା ପ୍ରମାଣରେ କୋର୍ଟ ସନ୍ତୁଷ୍ଟ। ତେଣୁ ଦୁଇ ଅଭିଯୁକ୍ତଙ୍କ ଆବେଦନକୁ ଖାରଜ କରାଯାଉଛି। ଶୁଣାଣିର ଏହି ପର୍ଯ୍ୟାୟରେ ଉଭୟଙ୍କ ଜାମିନ ଯର୍ଥାର୍ଥ ନୁହେଁ ବୋଲି କୋର୍ଟ କହିଛନ୍ତି।
ବାକି ଅଭିଯୁକ୍ତଙ୍କ ତୁଳନାରେ ଉମର ଖାଲିଦ ଓ ସର୍ଜିଲ ଇମାମଙ୍କ ବିରୋଧରେ ଥିବା ଅଭିଯୋଗ ଭିନ୍ନ। ଏକଥା ସରକାରୀ ଦସ୍ତାବିଜ ଓ ସାକ୍ଷୀଙ୍କ ବୟାନରୁ ସ୍ପଷ୍ଟ ହୋଇଛି। ଏହି ପାର୍ଥକ୍ୟକୁ ଆଦୌ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ମଧ୍ୟ ଖଣ୍ଡପୀଠ କହିଛନ୍ତି।
ସେପ୍ଟେମ୍ବର ୨ରେ ଦିଲ୍ଲୀ ହାଇକୋର୍ଟ ଅଭିଯୁକ୍ତମାନଙ୍କ ଜାମିନ ଆବେଦନକୁ ଖାରଜ କରିଥିଲେ। ଏହାପରେ ସେମାନେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ଡିସେମ୍ବର ୧୦ରେ ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ୫ ଅଭିଯୁକ୍ତଙ୍କୁ ଜାମିନ ଦେଇଛନ୍ତି।
ଦିଲ୍ଲୀ ପୁଲିସ୍ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମହେଟା ଓ ଅତିରିକ୍ତ ସଲିସିଟର ଜେନେରାଲ ଏସ୍ଭି ରାଜୁ ପକ୍ଷ ରଖିଥିଲେ। ଅଭିଯୁକ୍ତଙ୍କ ପକ୍ଷରୁ କପିଲ ଶିବଲ, ଅଭିଷେକ ମନୁ ସିଙ୍ଘଭୀ, ସିଦ୍ଧାର୍ଥ ଡାଭେ, ସଲମାନ ଖୁର୍ସିଦ ଓ ସିଦ୍ଧାର୍ଥ ଲୁଥ୍ରା ଯୁକ୍ତି ଉପସ୍ଥାପନ କରିଥିଲେ।
ଭାରତର ସାର୍ବଭୌମତ୍ୱକୁ କ୍ଷତି ପହଞ୍ଚାଇବା ପାଇଁ ବେଶ ଯୋଜନାବଦ୍ଧ ଭାବେ ଦିଲ୍ଲୀରେ ଦଙ୍ଗା କରାଯାଇଥିଲା। ଏହା ଆଦୌ ସ୍ୱତ୍ତଃସ୍ଫୁତ ଭାବେ ହୋଇ ନଥିଲା। ସମସ୍ତ ଅଭିଯୁକ୍ତ ଗୋଟିଏ ନିର୍ଦ୍ଦିଷ୍ଟ ଷଡ଼ଯନ୍ତ୍ରର ଅଂଶବିଶେଷ ଥିଲେ ବୋଲି ଦିଲ୍ଲୀ ପୁଲିସ୍ର ଓକିଲ କୋର୍ଟଙ୍କୁ ଜଣାଇଛନ୍ତି।
ଉମର, ଇମାମ ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏ ଓ ଆଇପିସିର ବିଭିନ୍ନ ଦଫାରେ ମାମଲା ହୋଇଥିଲା। ଏମାନଙ୍କୁ ପୁଲିସ୍ ୫୩ ଜଣଙ୍କ ଜୀବନ ନେଇଥିବା ଦଙ୍ଗାର ମାଷ୍ଟରମାଇଣ୍ଡ ଭାବେ ଦର୍ଶାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
