/odisha-reporter/media/post_attachments/uploadimage/library/16_9/16_9_0/Khalid_1756812957.jpg)
Khalid
୨୦୨୦ ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନ୍ୟୁର ପୂର୍ବତନ ଛାତ୍ର ଉମର ଖାଲିଦ, ଶର୍ଜିଲ ଇମାମ ଓ ଅନ୍ୟ ୭ ଜଣ ଦିଲ୍ଲୀ ହାଇକୋର୍ଟରେ ନିରାଶ ହୋଇଛନ୍ତି। ସେମାନଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ୨୦୨୦ ଦିଲ୍ଲୀ ଦଙ୍ଗା ପଛରେ ଥିବା ବଡ଼ଧରଣର ଷଡ଼ଯନ୍ତ୍ର ପଛରେ ଏହି ଛାତ୍ର ନେତାମାନେ ଥିବା ଅଭିଯୋଗ ହୋଇଛି।
ଇମାମ ଓ ଖାଲିଦଙ୍କ ବ୍ୟତୀତ ଜଷ୍ଟିସ ନବୀନ ଚାୱାଲା ଓ ଶୈଳନ୍ଦର କୌରଙ୍କ ଖଣ୍ଡପୀଠ ମହମ୍ମଦ ସଲୀମ ଖାନ, ଶିଫା ଉର ରେହମନ, ଅଥର ଖାନ, ମୀରାନ ହାଇଦର, ଶଦାବ ଅହମଦ ଅବଦୁଲ ଖାଲିଦ ସୈଫି ଓ ଗୁଲଫିଶା ଫାତିମାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଖାଲିଦ ଓ ଇମାମଙ୍କ ଜାମିନ ଆବେଦନ ୨୦୨୨ରୁ ହାଇକୋର୍ଟ ପଡ଼ି ରହିଥିଲା।
ଛାତ୍ର ନେତାମାନଙ୍କ ପାଇଁ ମାମଲା ପରିଚାଳନା କରୁଥିବା ଓକିଲ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି। ଏହାପୂର୍ବରୁ ହାଇକୋର୍ଟର ସ୍ୱତନ୍ତ୍ର ବେଞ୍ଚ ଦିଲ୍ଲୀ ଦଙ୍ଗାର ଅନ୍ୟତମ ଅଭିଯୁକ୍ତ ତସଲୀମ ଅହମଦଙ୍କ ଜାମିନ ଆବେଦନକୁ ମଧ୍ୟ ଅଗ୍ରାହ୍ୟ କରିଥିଲେ।
ସିଏଏକୁ ନେଇ ଉତ୍ତରପୂର୍ବ ଦିଲ୍ଲୀରେ ୨୦୨୦ ମିସିହା ଫେବୃଆରୀ ମାସରେ ସାଂପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା। ଏହା ପଛରେ ଥିବା ବିରାଟ ଷଡ଼ଯନ୍ତ୍ରରେ ଇମାମ ଓ ଖାଲିଦଙ୍କ ଭଳି ଛାତ୍ରନେତା ରହିଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ଦଙ୍ଗାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଓ ୭୦୦ରୁ ଅଧିକ ଆହତ ହୋଇଥିଲେ।
ଦିଲ୍ଲୀ ପୁଲିସ୍ ପକ୍ଷରୁ ଖାଲିଦ, ଇମାମ ଓ ଅନ୍ୟମାନଙ୍କୁ ଦଙ୍ଗାର ମାଷ୍ଟରମାଇଣ୍ଡ ଭାବେ ଦର୍ଶାଯାଇଛି। ସେମାନଙ୍କ ବିରୋଧରେ ୟୁଏପିଏ ଆଧାରରେ ମାମଲା କରାଯାଇଛି। ଖାଲିଦଙ୍କୁ ୨୦୨୦ ସେପ୍ଟେମ୍ବର ମାସରେ ଗିରଫ କରାଯାଇଥିଲା। ସେବେଠାରୁ ସେ ଜେଲରେ ରହିଛନ୍ତି। ଗତବର୍ଷ ଡିସେମ୍ବର ମାସରେ ପରିବାରରେ ଆୟୋଜିତ ଗୋଟିଏ ବାହାଘର ପାଇଁ ଖାଲିଦଙ୍କୁ ୭ ଦିନର ଜାମିନ ମିଳିଥିଲା।
ଖାଲିଦି ୪ ବର୍ଷରୁ ଅଧିକ ସମୟ ଜେଲରେ ରହିଥିବା ବେଳେ ମାମଲାର ଶୁଣାଣି ବେଶ ଧିମା ଚାଲିଛି। ତେଣୁ ତାଙ୍କୁ ଜାମିନ ଦିଆଯାଉ ବୋଲି ତାଙ୍କ ଓକିଲ ଯୁକ୍ତି କରିଥିଲେ। ହେଲେ ସରକାରୀ ଓକିଲ ତଥା ସଲିସିଟର ଜେନେରାଲ ତୁଷାର ମେହେଟା ଏହାକୁ ବିରୋଧ କରିଥିଲେ। ଖାଲିଦ ଓ ଅନ୍ୟାମାନେ ଦେଶ ବିରୋଧରେ ଷଡ଼ଯନ୍ତ୍ର କରିଥିବାରୁ ସେମାନେ ନିର୍ଦ୍ଦୋଷ ସାବ୍ୟସ୍ତ ହେବା ଯାଏ ଜେଲରେ ରହିବା ଭଲ ବୋଲି କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
