/odisha-reporter/media/media_files/2025/10/21/toll-2025-10-21-17-21-41.jpg)
ଟୋଲ ପ୍ଲାଜା
ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେ(Uttar Pradesh)ରେ ଥିବା ଫତେହାବାଦ ଟୋଲ ପ୍ଲାଜା ଦେଇ ରବିବାର ରାତିରେ ଶହଶହ ଗାଡ଼ି ବିନା ଟୋଲ୍ରେ ଯାତାୟାତ କରିଛନ୍ତି। ଏଠାରେ କାମ କରୁଥିବା କର୍ମଚାରୀ ଦୀପାବଳିରେ ମିଳି ନଥିଲା ବୋନସ। ଏଥିପାଇଁ ସେମାନେ ଧାରଣା ଦେବା ସହ ସମସ୍ତଙ୍କ ପାଇଁ ଟୋଲ ଗେଟ ଖୋଲି ଦେଇଥିଲେ।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଶହଶହ ଗାଡ଼ି ଏହି ଟୋଲ ପ୍ଲାଜାରେ ଅତିକ୍ରମ କରୁଛନ୍ତି। କିନ୍ତୁ ସେମାନଙ୍କୁ ଯିବା ଆସିବା ପାଇଁ କୌଣସି ଟଙ୍କା ଦେବାକୁ ପଡ଼ୁନାହିଁ। ବିନା ଟୋଲ ଫି’ରେ ଗାଡ଼ିଗୁଡ଼ିକ ଯାତାୟାତ କରିବା ଯୋଗୁ କେନ୍ଦ୍ର ସରକାରଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଗାଡ଼ି ଗୁଡ଼ିକ ଅନାୟସରେ ଟୋଲ ପ୍ଲାଜା ଅତିକ୍ରମ କରୁଥିବା ବେଳେ କର୍ମଚାରୀମାନେ ଧାରଣାରେ ବସିଥିବା ଦେଖାଯାଉଛି।
ଜଣେ କର୍ମଚାରୀ କହିଛନ୍ତି, “ମୁଁ ଏହି କମ୍ପାନୀ ସହ ବର୍ଷେ ହେଲା କାମ କରୁଛି। କିନ୍ତୁ ସେମାନେ ଆମକୁ ବୋନସ ଦେଇ ନାହାନ୍ତି। ଆମେ କଠିନ ପରିଶ୍ରମ କରୁଥିଲେ ହେଁ ସେମାନେ ଆମକୁ ଠିକଣା ସମୟରେ ଦରମା ମଧ୍ୟ ଦେଉନାହାନ୍ତି। ଏବେ ସେମାନେ ଆମ ବଦଳରେ ଅନ୍ୟ କର୍ମଚାରୀ ରଖିବେ, କିନ୍ତୁ ଆମକୁ ବୋନସ ଦେବେ ନାହିଁ ବୋଲି ଧମକ ଦେଉଛନ୍ତି।”
ଏହି କର୍ମଚାରୀମାନେ ଶରିସାଇ ଓ ଦତାର କମ୍ପାନୀମାନେ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଦୀପାବଳି ବୋନସ ବ୍ୟାଙ୍କ ଆକାଉଣ୍ଟରେ ପୈଠ ହୋଇଯିବ ବୋଲି କମ୍ପାନୀ ପକ୍ଷରୁ ଗତ ସପ୍ତାହରେ କୁହାଯାଇଥିଲା। କିନ୍ତୁ କମ୍ପାନୀ ସେମିତି କିଛି ବି ପଦକ୍ଷେପ ନେଇ ନଥିବା ସେମାନେ ଅଭିଯୋଗ କରିଛନ୍ତି।
ଏହାର ପ୍ରତିବାଦରେ ରବିବାର ରାତିରେ କର୍ମଚାରୀମାନେ ଟୋଲ ବୁଥ(Toll Plaza)ର ବୁମ ବାରିୟରକୁ ଖୋଲି ଦେଇଥିଲେ। ସେମାନେ ଧାରଣାରେ ପ୍ରାୟ ୧୦ ଘଣ୍ଟା ବସିଥିଲେ। କମ୍ପାନୀ ପକ୍ଷରୁ ବୋନସ ପ୍ରତିଶ୍ରୁତି ମିଳିବା ପରେ ସେମାନଙ୍କ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ରିପୋର୍ଟ ଲେଖା ହେବା ବେଳକୁ କମ୍ପାନୀ ତରଫରୁ କୌଣସି ବିବୃତି ଜାରି କରାଯାଇ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
