Advertisment

୨ ହଜାର ଟଙ୍କିଆ ନୋଟ୍ ବଦଳାଇବାକୁ ଫର୍ମ ଫିଲପ କିମ୍ୱା ପରିଚୟପତ୍ର ଦରକାର ପଡ଼ିବନି, ଏସ୍‌ବିଆଇ ଦେଲା ସୂଚନା

ଜାରି କରାଯାଇଛି ଗାଇଡଲାଇନରେ କୁହାଯାଇଛି ଯେ, ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ କୌଣସି ବ୍ୟକ୍ତିଙ୍କୁ ରିକ୍ୟୁଜିସନ ସ୍ଲିପ ଦରକାର ପଡ଼ିବ ନାହିଁ।

author-image
Niranjan Mishra
ଅଦ୍ୟତନ ହୋଇଛି
Rs 2,000 currency notes.

Rs 2,000 currency notes.

୨ ହଜାର ଟଙ୍କିଆ ନୋଟ୍‌ ବଦଳ ନେଇ ଏସ୍‌ବିଆଇ ଦେଲା ଗୁରୁତ୍ୱପୂର୍ଣ୍ଣ ସୂଚନା। ଯଦି ଆପଣ ୨୩ ମେ’ ପରେ ୨ ହଜାର ଟଙ୍କିଆ ନୋଟ୍ ବଦଳ କରି ଅନ୍ୟ ଭାରତୀୟ ମୁଦ୍ରା ବ୍ୟାଙ୍କରୁ ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏବାବଦରେ ଏକ ଜରୁରୀ ସୂଚନା ରହିଛି। ୨୦୦୦ ଟଙ୍କିଆ ନୋଟ ବଦଳ କରିବା ନିମନ୍ତେ ବ୍ୟାଙ୍କରେ କୌଣସି ଫର୍ମ ପୂରଣ କରିବାକୁ ପଡ଼ିବନି କିମ୍ବା କୌଣସି ପରିଚୟପତ୍ର ମଧ୍ୟ ଦେଖାଇବାକୁ ପଡ଼ିବନି। ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍‌ବିଆଇ) ଏନେଇ ଆଜି ବିଜ୍ଞପ୍ତିରେ ସୂଚନା ଜାରି କରିଛି।

Advertisment

ଜାରି ଗାଇଡଲାଇନରେ କୁହାଯାଇଛି ଯେ, ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ କୌଣସି ବ୍ୟକ୍ତିଙ୍କୁ ରିକ୍ୟୁଜିସନ ସ୍ଲିପ ଦରକାର ପଡ଼ିବ ନାହିଁ। ଲୋକଙ୍କୁ କୌଣସି ପରିଚୟ ପତ୍ର ମଧ୍ୟ ଦେଖାଇବାକୁ ପଡ଼ିବ ନାହିଁ। ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ୨ ହଜାର ଟଙ୍କିଆ ନୋଟ୍ ଲୋକେ ଆରାମରେ ବଦଳ କରିପାରିବେ।

ଏସ୍‌ବିଆଇ ପକ୍ଷରୁ ଏହିଭଳି ନିର୍ଦ୍ଦେଶ ତା’ର ସମସ୍ତ ସର୍କଲ ଓ ଲୋକାଲ ଅଫିସକୁ ପଠାଯାଇଛି। ଏସ୍‌ବିଆଇ ସିଜିଏମ୍‌ଙ୍କ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି।

Advertisment

୨୩ ମେ’ ଠାରୁ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଲୋକେ ସେମାନଙ୍କ ପାଖରେ ରହି ଯାଇଥିବା ୨ ହଜାର ଟଙ୍କାକୁ ଯେଉଁ କୌଣସି ଏସ୍‌ବିଆଇ ବ୍ୟାଙ୍କରେ ବଦଳାଇ ପାରିବେ। ତେବେ ଗ୍ରାହକମାନେ ଏହି ନୋଟ୍‌କୁ ବ୍ୟାଙ୍କକୁ ଦେଇ ନିଜ ଆକାଉଣ୍ଟରେ ଡିପୋଜିଟ୍ କରିବା ବେଳେ ବ୍ୟାଙ୍କରେ ଥିବା ଡିପୋଜିଟ୍ ନିୟମକୁ ପାଳନ କରିବାକୁ ହେବ।

୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ବ୍ୟାଙ୍କରେ ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରିବା ସହିତ ପରିଚୟପତ୍ର ସହିତ ଅନ୍ୟାନ କାଗଜପତ୍ର ଜମା କରିବାକୁ ପଡ଼ିବ ବୋଲି ସୋଶାଲ ମିଡିଆରେ ବିଭିନ୍ନ ପ୍ରକାର ଚର୍ଚ୍ଚା ହେବା ପରେ ଏସ୍‌ବିଆଇ ପକ୍ଷରୁ ଏହି ଗାଇଡଲାଇନ ଜାରି କରାଯାଇଛି, ଯାହା ଲୋକଙ୍କୁ ଆଶ୍ୱସ୍ତ କରିଛି।

SBI Noticeଏସ୍‌ବିଆଇ ପକ୍ଷରୁ ଜାରି ବିଜ୍ଞପ୍ତି

ସେହିପରି ଗ୍ରାମାଞ୍ଚଳରେ ରହୁଥିବା ଲୋକେ ବିଜନେସ୍ କରେସ୍ପଣ୍ଡେଣ୍ଟ ସେଣ୍ଟର ଯାଇ ମଧ୍ୟ ୨ ହଜାର ଟଙ୍କା ବଦଳାଇ ପରିବେ। ମାତ୍ର ଏହି କେନ୍ଦ୍ରରେ ମାତ୍ର ୪ ହଜାର ଟଙ୍କା ପର୍ଯ୍ୟନ୍ତ ୨ ହଜାର ଟଙ୍କା ନୋଟ୍ ବଦଳାଇ ହେବ। ସୂଚନା ଥାଉକି ଏହି କେନ୍ଦ୍ର ଏକ ବ୍ୟାଙ୍କ ଭଳି କାମ କରେ ଓ ଗ୍ରାମାଞ୍ଚଳରେ ଲୋକଙ୍କ ବ୍ୟାଙ୍କ ଖାତା ଖୋଲିବାରେ ଓ ଟଙ୍କା ଦେଣନେଣରେ ସାହାଯ୍ୟ କରେ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ର ଘୋଷଣା ଅନୁଯାୟୀ ସେପ୍ଟେମ୍ବର ୩୦ ସୁଦ୍ଧା ବଜାରରେ ଥିବା ସବୁ ୨୦୦୦ ଟଙ୍କିଆ ନୋଟକୁ ପ୍ରତ୍ୟାହାର କରି ନିଆଯିବ। ତେବେ ସେତେଦିନ ପର୍ଯ୍ୟନ୍ତ ଏହାର କାରବାର ଚାଲିପାରିବ। ଲୋକେ ନିଜ ପାଖରେ ରଖିଥିବା ୨୦୦୦ ଟଙ୍କିଆ ନୋଟ୍ ଗୁଡ଼ିକୁ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କରେ ବଦଳାଇ ପାରିବେ।

ସେହିପରି ଦେଶରେ ଆରବିଆଇର ୩୧ ସ୍ଥାନରେ ଥିବା ଆଞ୍ଚଳିକ କାର୍ଯ୍ୟଳୟ ମଧ୍ୟରୁ ୧୯ଟି ଆଞ୍ଚଳିକ ଅଫିସ ଓ ଅନ୍ୟାନ୍ୟ ବ୍ୟାଙ୍କରେ ମଧ୍ୟ ମେ’ ୨୩ ତାରିଖରୁ ଲୋକେ ୨୦୦୦ ଟଙ୍କିଆ ନୋଟ୍ ବଦଳାଇପାରିବେ। ଆରବିଆଇର ଏହି ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକ ହେଲା ଅହମ୍ମଦାବାଦ, ବାଙ୍ଗାଲୁରୁ, ବେଲାପୁର, ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, ଗୁଆହାଟୀ, ହାଇଦ୍ରାବାଦ, ଜୟପୁର, ଜାମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା ଓ ତିରଅନନ୍ତପୁରମ୍।

ଆରବିଆଇ କ୍ଲିନ୍‌ ନୋଟ୍ ପଲିସି ଅନ୍ତର୍ଗତ ୨ ହଜାର ଟଙ୍କିଆ ନୋଟ୍ ଚଳନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହି ପଲିସି ମୁତାବକ ଆରବିଆଇ ଧୀରେଧୀରେ ବଜାରରୁ ସମସ୍ତ ୨ ହଜାର ଟଙ୍କିଆ ନୋଟ୍ ଫେରାଇ ନେବ।

କୌଣସି ବ୍ୟକ୍ତି ଯଦି କୌଣସି ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ଚାହୁଁଥାଆନ୍ତି, ତା’ହେଲେ ସେ ସେହି ବ୍ୟାଙ୍କର ଯେ ଗ୍ରାହକ ହୋଇଥିବେ, ତା’ର ଆବଶ୍ୟକତା ନାହିଁ। ସେହିପରି ଯାହାର କୌଣସି ବ୍ୟାଙ୍କରେ ଆକାଉଣ୍ଟ ନଥିବ, ସେ ଗୋଟିଏ ଥରରେ କେବଳ ୨୦ ହଜାର ଟଙ୍କା ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ବଦଳାଇ ପାରିବେ। ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ବ୍ୟାଙ୍କରେ ଲାଇନ୍‌ରେ ଠିଆ ହୋଇ ପାଳି ପଡ଼ିବା ପରେ ଲୋକେ ଟଙ୍କା ବଦଳ କରିପାରିବେ। ଏଭଳି ଲୋକେ ବାରମ୍ବାର ମଧ୍ୟ କରିପାରିବେ।

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ନିମନ୍ତେ ବ୍ୟାଙ୍କ କର୍ତ୍ତୃପକ୍ଷ ଏ ବାବଦରେ ସ୍ୱତନ୍ତ୍ର ପଦକ୍ଷେପ ନେଇ ତୁରନ୍ତ ଟଙ୍କା ବଦଳାଇବାର ବ୍ୟବସ୍ଥା କରିବାକୁ କୁହାଯାଇଛି। ସୂଚନା ଥାଉକି ୨୦୧୭ରେ ୮୯ ପ୍ରତିଶତ ୨ହଜାର ଟଙ୍କିଆ ନୋଟ୍ ଜାରି ହୋଇଥିଲା। ଏହି ନୋଟ୍‌ର ଆୟୁ ୪ରୁ ୫ବର୍ଷ ରହିଥିଲା। ଜାରି ହୋଇଥିବା ୨ ହଜାର ଟଙ୍କିଆ ନୋଟ୍‌ର ମୋଟ ମୂଲ୍ୟ ୬.୭୩ ଲକ୍ଷ କୋଟି ଟଙ୍କା ଥିଲା। ଯାହା ପରବର୍ତ୍ତୀ ସମୟରେ ଧିରେଧିରେ ବଜାରରୁ ହଟାଇ ନେଉଥିଲା ଆରବିଆଇ। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ବଜାରରେ ମାତ୍ର ୧୦.୮ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ୍ କାରବାରରେ ଅଛି। ଯାହାର ମୋଟ ମୂଲ୍ୟ ୩.୬୨ ଲକ୍ଷ କୋଟି ଟଙ୍କା ବୋଲି ଆରବିଆଇ ସ୍ପଷ୍ଟ କରିଛି।

Black Money RBI SBI Money Power