Advertisment

ଭୋଟ୍ ବଦଳରେ ଲାଞ୍ଚ କାରବାର: ସାଂସଦ ଓ ବିଧାୟକଙ୍କୁ ସୁରକ୍ଷା ନାହିଁ

ଭୋଟ୍ ବଦଳରେ ନୋଟ୍ ନେଉଥିବା ସାଂସଦ କିମ୍ବା ବିଧାୟକଙ୍କ ପାଇଁ କୌଣସି ଆଇନଗତ ସୁରକ୍ଷା ନାହିଁ। ପୂର୍ବରୁ ଦିଆଯାଇଥିବା ନିଷ୍ପତ୍ତିକୁ ରଦ୍ଦ କଲେ ସୁପ୍ରିମକୋର୍ଟ।

author-image
Debibandita Barick
ଅଦ୍ୟତନ ହୋଇଛି
undefined

Supreme Court

ଭୋଟ୍ ବଦଳରେ ଲାଞ୍ଚ ନେବା ମାମଲାରେ ସାଂସଦ ଓ ବିଧାୟକମାନଙ୍କୁ ଦିଆଯାଇଥିବା ଆଇନଗତ ସୁରକ୍ଷା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ଏ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ଅଦାଲତ କହିଛନ୍ତି, ଭୋଟ୍ ବଦଳରେ ନୋଟ୍ ନେଉଥିବା ସାଂସଦ କିମ୍ବା ବିଧାୟକଙ୍କ ପାଇଁ କୌଣସି ପ୍ରକାର ଆଇନଗତ ସୁରକ୍ଷା ନାହିଁ। ପୂର୍ବରୁ ଦିଆଯାଇଥିବା ନିଷ୍ପତ୍ତିକୁ ରଦ୍ଦ କରାଯାଉଛି। 

Advertisment

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ସାତ ଜଣିଆ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍ ଏସ୍ ବୋପାନ୍ନା, ଜଷ୍ଟିସ୍ ଏମ୍ ସୁନ୍ଦରେଶ, ଜଷ୍ଟିସ୍ ପିଏସ୍ ନରସିଂହ, ଜେବି ପରଦିୱାଲ, ଜଷ୍ଟିସ୍ ସଞ୍ଜୟ କୁମାର ଏବଂ ଜଷ୍ଟିସ୍ ମନୋଜ ମିଶ୍ର ଉପସ୍ଥିତ ଥିଲେ।

୧୯୯୮ରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ଖଣ୍ଡପୀଠ ଦେଇଥିବା ରାୟ ଅନୁସାରେ, ଯଦି ନିର୍ବାଚନ ସମୟରେ କୌଣସି ବିଧାୟକ କିମ୍ବା ସାଂସଦ ଲାଞ୍ଚ କାରବାର କରିଛନ୍ତି, ତେବେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ। ଅଦାଲତଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିଲା। ଗତ ବର୍ଷ ଅକ୍ଟୋବର ୫ରେ ଅଦାଲତ ଏ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

Advertisment

ଆଜି ରାୟ ପ୍ରକାଶ କରି ଅଦାଲତ କହିଛନ୍ତି, "ଭୋଟ୍ ପାଇଁ ଲାଞ୍ଚ କାରବାରରେ ସାଂସଦ / ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ। ୧୯୯୮ରେ ଦିଆଯାଇଥିବା ରାୟରେ ଆମେ ସହମତ ନାହୁଁ। ସମ୍ବିଧାନର ଧାରା ୧୦୫ ଏବଂ ୧୯୪ରେ ଲାଞ୍ଚ ଉପରେ ଛାଡ଼ ପାଇଁ କୌଣସି ବ୍ୟବସ୍ଥା ନାହିଁ, କାରଣ ଲାଞ୍ଚ ଏକ ଅପରାଧିକ କାର୍ଯ୍ୟ। ତେଣୁ ଏଥିରେ କୌଣସି ପ୍ରକାର ଆଶ୍ୱସ୍ଥି ମିଳିପାରିବ ନାହିଁ।"

ଏହି ଶୁଣାଣି ସମୟରେ ଗୃହରେ ସଦସ୍ୟମାନେ ଦେଉଥିବା ଅପମାନଜନକ ବକ୍ତବ୍ୟକୁ ଅପରାଧ ବୋଲି ବିଚାର କରିବାର ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଗୃହରେ ବିବାଦୀୟ କିମ୍ବା ଆପତ୍ତିଜନକ ବିବୃତ୍ତି ରଖୁଥିବା ସଦସ୍ୟଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ଅଦାଲତ କିନ୍ତୁ ଏହି ପ୍ରସ୍ତାବକୁ ଖଣ୍ଡନ କରି ଦେଇଛନ୍ତି।

ସାଂସଦ କିମ୍ବା ବିଧାୟକଙ୍କର ଗୃହରେ ବିବୃତ୍ତି ଦେବାରେ ସ୍ୱାଧୀନତା ରହିଛି। ଗୃହ ଭିତରେ ସେମାନଙ୍କ ଟିପ୍ପଣୀ ପାଇଁ ଦଣ୍ଡିତ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।  

Supreme Court Bribe For Vote MLA MP