Advertisment

ବିରୋଧୀ ଶୂନ୍ୟ ହେଲା ନାଗାଲାଣ୍ଡ, ସରକାରଙ୍କୁ ସମର୍ଥନ କଲେ ସବୁ ବିଧାୟକ

ନିର୍ବାଚନରେ ଜିତିଥିବା ସବୁ ଦଳର ବିଧାୟକ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କୁ ସମର୍ଥନ ଘୋଷଣା କରିଛନ୍ତି।

author-image
Hemant Lenka
Neiphiu Rio

Neiphiu Rio

କ୍ରମାଗତ ଦ୍ୱିତୀୟ ଥର ପାଇଁ ବିରୋଧୀ ଶୂନ୍ୟ ହୋଇଛି ନାଗାଲାଣ୍ଡ ବିଧାନସଭା। ନିର୍ବାଚନରେ ଜିତିଥିବା ସବୁ ଦଳର ବିଧାୟକ ମୁଖ୍ୟମନ୍ତ୍ରୀ ନେଇଫିଉ ରିଓଙ୍କୁ ସମର୍ଥନ ଘୋଷଣା କରିଛନ୍ତି। କିନ୍ତୁ ସମସ୍ତ ବିଧାୟକ ବିଧିବଦ୍ଧ ଭାବେ ସରକାରରେ ସାମିଲ ହେବେ ନା ବାହରୁ ସମର୍ଥନ ଯୋଗାଇବେ, ସେକଥା ସ୍ପଷ୍ଟ ହୋଇନି।

Advertisment

ସବୁ ବିଧାୟକଙ୍କୁ ସରକାରରେ ସାମିଲ କରାଯିବ କି ନାହିଁ, ତା’ର ନିଷ୍ପତ୍ତି କ୍ଷମତାରେ ଥିବା ଏନଡିପିପି-ବିଜେପି ମେଣ୍ଟ ମିଳିତ ଭାବେ ନେବେ ବୋଲି ନାଗାଲାଣ୍ଡ ଡେପୁଟି ମୁଖ୍ୟମନ୍ତ୍ରୀ ୱାଇ ପାଟ୍ଟୋନ ସୂଚନା ଦେଇଛନ୍ତି। ରିଓ ଏନଡିପିପି ମୁଖ୍ୟ ହୋଇଥିବା ବେଳେ ତାଙ୍କ ଡେପୁଟି ପାଟ୍ଟୋନ ହେଉଛନ୍ତି ବିଜେପି ନେତା।

୨୦୨୧ରେ ମଧ୍ୟ ନାଗାଲାଣ୍ଡ ବିଧାନସଭା ବିରୋଧୀ ଶୂନ୍ୟ ରହିଥିଲା। ସବୁ ଦଳର ବିଧାୟକ ସରକାରଙ୍କୁ ସମର୍ଥନ କରିବାରୁ ଏନଡିପିପି-ବିଜେପି ମେଣ୍ଟର ନାଁ ପିପୁଲ୍ସ ଡେମୋକ୍ରାଟିକ ଆଲିଆନ୍ସ ଗଭର୍ଣ୍ଣମେଣ୍ଟରୁ ୟୁନାଇଟେଡ ଡେମୋକ୍ରାଟିକ ଆଲିଆନ୍ସ(ୟୁଡିଏ) ହୋଇଥିଲା। ସେତେବେଳେ ଏକମାତ୍ର ବିରୋଧୀ ଦଳ ଭାବେ ଏନିପିଏଫ ୨୬ ବିଧାୟକଙ୍କ ସହ ରହିଥିଲା। ହେଲେ ପରବର୍ତ୍ତୀ ଅବସ୍ଥାରେ ଜଣେ ସ୍ୱାଧୀନ ବିଧାୟକଙ୍କ ସହ ଏନପିଏଫର ୨୬ ଜଣ ବିଧାୟକ ସରକାରଙ୍କୁ ସମର୍ଥନ ଘୋଷଣା କରିଥିଲେ।

Advertisment

ଏବେ ମଧ୍ୟ ଫେବୃଆରୀ ୨୭ ବିଧାନସଭା ନିର୍ବାଚନ ପରେ ସମାନ ସ୍ଥିତି ଦେଖାଦେଇଛି। ନାଗାଲାଣ୍ଡର ୬୦ ବିଧାନସଭା ଆସନରୁ ଏନଡିପିପି ଓ ବିଜେପି ମେଣ୍ଟ ୩୭ଟି ସ୍ଥାନରେ ବିଜୟୀ ହୋଇଥିଲେ। ଉପ ମୁଖ୍ୟମନ୍ତ୍ରୀ ପାଟ୍ଟୋନ କହିଛନ୍ତି, “ପ୍ରାୟ ସବୁ ଦଳର ବିଧାୟକ ସରକାରଙ୍କୁ ସମର୍ଥନ କରିବେ ବୋଲି ଚିଠି ମାଧ୍ୟମରେ ଜଣାଇଛନ୍ତି। ତେଣୁ ରାଜ୍ୟରେ ବିରୋଧୀ ଶୂନ୍ୟ ସରକାର କାମ କରିବ। ଏ ବିଷୟରେ ଆମେ ଆଲୋଚନା କରୁଛୁ। କିନ୍ତୁ ବର୍ତ୍ତମାନ ଆମେ ୩୭ ବିଧାୟକଙ୍କ ସହ ଦୃଢ଼ ସ୍ଥିତିରେ ରହିଛୁ।”

ଉତ୍ତରପୂର୍ବ ରାଜ୍ୟ ବାହାରର ୪ଟି ଦଳ ସହ ମୋଟ ୮ଟି ପାର୍ଟି ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ଜିତିଛନ୍ତି। ଶରଦ ପାୱାରଙ୍କ ଏନସିପି ରାଜ୍ୟରେ ତୃତୀୟ ସର୍ବବୃହତ୍ତ ଦଳ ଭାବେ ୭ଟି ଆସନ ଜିତିଛି।

ବିଜେପି ୨୦ଟି ଆସନ ଜିତିଥିଲା। ଏନସିପି ଓ ବିଜେପି ପରସ୍ପର ବିରୋଧରେ ଲଢ଼ୁଥିଲେ ହେଁ ନାଗାଲାଣ୍ଡରେ ଏନସିପି ଖୋଲାଖୋଲି ଭାବେ ରିଓ ସରକାରଙ୍କୁ ସମର୍ଥନ କରିଛି। ଏହାବାଦ ଏନପିପିର ୩ ଜଣ, ଲୋକ ଜନଶକ୍ତି ପାର୍ଟି-ରାମ ବିଳାଶ ଓ ରାମଦାସ ଅଠୱାଲେଙ୍କ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ ୨ଟି ଲେଖାଏ ଆସନ ଜିତିଛନ୍ତି। ଏମାନେ ସମସ୍ତେ ଏନଡିଏ ସହ ଥିବାରୁ ନାଗଲାଣ୍ଡରେ ବିଜେପି ମେଣ୍ଟ ସରକାରକୁ ସମର୍ଥନ କରିଛନ୍ତି।

ନୀତୀଶ କୁମାରଙ୍କ ଜେଡିୟୁ ଗୋଟିଏ ଆସନ ଜିତିଥିବା ବେଳେ ସେ ମଧ୍ୟ ସରକାରଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ତେବେ ନୀତୀଶ କୁମାର ପୁଣି ଏନଡିଏକୁ ଫେରିବେ କି ପ୍ରଶ୍ନର ଉତ୍ତର ବିଜେପି ଦେଇନାହିଁ। 

Bjp Nagaland