Advertisment

ସୁପ୍ରିମକୋର୍ଟରୁ ସିସୋଦିଆଙ୍କୁ ମିଳିଲାନି ଆଶ୍ୱସ୍ତି, ଏବେ ହାଇକୋର୍ଟ ଭରସା

ସୁପ୍ରିମକୋର୍ଟ ତାଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ଦେଇନାହାନ୍ତି। ଏଥିସହ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବାକୁ ତାଙ୍କୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।

author-image
Hemant Lenka
Manish Sisodia

Manish Sisodia

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ(ବର୍ତ୍ତମାନ ଇସ୍ତଫା ଦେଇ ସାରିଛନ୍ତି) ମନୀଷ ସିସୋଦିଆଙ୍କୁ ଝଟକା ଲାଗିଛି। ସେ ସିବିଆଇର ଗିରଫଦାରୀକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହେଲେ ସୁପ୍ରିମକୋର୍ଟ ତାଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ଦେଇନାହାନ୍ତି। ଏଥିସହ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବାକୁ ତାଙ୍କୁ ସର୍ବୋଚ୍ଚ ଅଦାଲତ କହିଛନ୍ତି।

Advertisment

ସିସୋଦିଆଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭୀ ଆଜି କୋର୍ଟରେ ଗିରଫଦାରୀକୁ ବେଆଇନ ଓ ସିବିଆଇ ଚାର୍ଜଶିଟରେ ସିସୋଦିଆଙ୍କ ନାଁ ନାହିଁ ବୋଲି କହିଥିଲେ। ଏଥିସହ ସିବିଆଇ ତାଙ୍କ ଘରେ ରେଡ୍‌ କରିଥିଲେ ମଧ୍ୟ କୌଣସି ପ୍ରକାରର ଆୟବର୍ହିଭୂତ ନଗଦ ଟଙ୍କା ମଧ୍ୟ ପାଇନି। ତଦନ୍ତରେ ସେ ସହଯୋଗ କରୁ ନାହାନ୍ତି ବୋଲି ସିବିଆଇ କହିବା ଏକ ଦୁର୍ବଳ ଯୁକ୍ତି ବୋଲି ସିଙ୍ଘଭୀ କହିଥିଲେ।

ଏହାର ଜବାବରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ, “ଆପଣ ହାଇକୋର୍ଟ ଯାଆନ୍ତୁ। ଆମର ଦ୍ୱାର ଖୋଲା ରହିଛି। କିନ୍ତୁ ଆମେ ବର୍ତ୍ତମାନ ସମୟରେ ଏପରି ଆବେଦନ ଶୁଣାଣି କରିପାରିବୁ ନାହିଁ।” ଏହା ଏକ ଖରାପ ପରମ୍ପରା। ଅପଣ ଦିଲ୍ଲୀରେ ଅଛନ୍ତି ବୋଲି ଏପରି କରିପାରିବେ ନାହିଁ ବୋଲି ଜଷ୍ଟିସ ପିଏସ ନରସୀମା କହିଛନ୍ତି। ସିବିଆଇ ଦ୍ୱାରା ସିସୋଦିଆଙ୍କ ଗିରଫଦାରୀକୁ ବେଆଇନ ଦର୍ଶାଇବାକୁ ସିଙ୍ଘଭୀ କହୁଥିବା ବେଳେ ଏହାର ଜବାବରେ ଜଷ୍ଟିସ ନରସୀମା ଏପରି କହିଛନ୍ତି।

Advertisment

ଆଜି ସକାଳେ ଯେତେବେଳେ ସୁପ୍ରିମକୋର୍ଟରେ ସିସୋଦିଆଙ୍କ ଆବେଦନ ସିଙ୍ଘଭୀ ଉପସ୍ଥାପନ କରିଥିଲେ ସେତେବେଳେ ସାମ୍ବାଦିକ ବିନୋଦ ଦୁଆଙ୍କ ମାମଲାର ରାୟ କଥା ଉଠାଇଥିଲେ। ଉକ୍ତ ରୟକୁ ଆଧାର କରି ସିସୋଦିଆଙ୍କୁ ଆଶ୍ୱସ୍ତି ଦେବାକୁ ସେ କହିଥିଲେ। ଏହାପରେ ସୁପ୍ରିମକୋର୍ଟ ଆବେଦନର ଶୁଣାଣି ଅପରାହ୍ନକୁ ଘୁଞ୍ଚାଇ ଦେଇଥିଲେ।

୨୦୨୧ ଜୁନ ମାସରେ ସୁପ୍ରିମକୋର୍ଟ ବିନୋଦ ଦୁଆଙ୍କ ନାଁରେ ରୁଜୁ ଦେଶଦ୍ରୋହ ମାମଲାରୁ ଖାରଜ କରିଥିଲେ। କେନ୍ଦ୍ରର କୋଭିଡ ବ୍ୟବସ୍ଥାକୁ ଶ୍ରୀ ଦୁଆ ସମାଲୋଚନା କରିଥିବାରୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଥିଲା। ଏହାକୁ ସେ ସିଧାସଳଖ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ଏହି ଘଟଣା ସିଙ୍ଘଭୀ ଉଠାଇବାରୁ ସର୍ବୋଚ୍ଚ ଅଦଲାତ କହିଛନ୍ତି ଯେ ଏହି ମାମଲା ସହ ବିନୋଦ ଦୁଆଙ୍କ ମାମଲାର କୌଣସି ସମ୍ପର୍କ ନାହିଁ। ବିନୋଦ ଦୁଆ ଜଣେ ସାମ୍ବାଦିକ। ତାଙ୍କ ମାମଲା ବାକ ସ୍ୱାଧୀନତା ସମ୍ପର୍କରେ ରହିଥିଲା। କିନ୍ତୁ ଏହି ମାମଲାଟି ଦୁର୍ନୀତି ସହ ଜଡ଼ିତ।

ସର୍ବୋଚ୍ଚ ଅଦାଲତଙ୍କ ଏପରି କଥା ଶୁଣି ସିସୋଦିଆଙ୍କ ଓକିଲ ତାଙ୍କ ଆବେଦ ପ୍ରତ୍ୟାହାର କରି ନେଇଛନ୍ତି। ଏବେ ସେ ଟ୍ରାଏଲ କୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି। ହେଲେ ଆମ ଆଦମୀ ପାର୍ଟି ପକ୍ଷରୁ ସିସୋଦିଆଙ୍କ ଗିରଫଦାରୀ ପ୍ରସଙ୍ଗ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି କୁହାଯାଇଛି।

CBI AAP Delhi Supreme Court