/odisha-reporter/media/media_files/2025/11/20/sc-2025-11-20-14-29-35.jpg)
ସୁପ୍ରିମକୋର୍ଟ
ବିଧାୟକଙ୍କ ଦ୍ୱାରା ପାରିତ ବିଲ୍କୁ ଅନୁମୋଦନ ଦେବା ପାଇଁ ରାଜ୍ୟପାଳଙ୍କ ଆଗରେ କୌଣସ ସୀମା ଧାର୍ଯ୍ୟ କରାଯାଇ ପାରିବ ନାହିଁ। ସମାନ ନିୟମ ରାଷ୍ଟ୍ରପତିଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ। ଅର୍ଥାତ ବିଲ୍କୁ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ଆଗରେ ମଧ୍ୟ କୌଣସି ସୟମ ସୀମା ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ।
କିନ୍ତୁ ଦୀର୍ଘ ସମୟ ଧରି କୌଣସି ପ୍ରକାରର ନିଷ୍କ୍ରିୟତା ନ୍ୟାୟିକ ସମୀକ୍ଷାକୁ ଆମନ୍ତ୍ରିତ କରିପାରେ। ନ୍ୟାୟାଳୟ ଉଚିତ ସମୟ ସୀମା ମଧ୍ୟରେ ବିଲ ଉପରେ ନିର୍ଣ୍ଣୟ କରିବାକୁ କହିପାରିବେ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇଙ୍କ ନେତୃତ୍ୱାଧୀନ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏ ସଂକ୍ରାନ୍ତ ଆବେଦନର ଶୁଣାଣି ବେଳେ ଏପରି ରାୟ ଦେଇଛନ୍ତି। ବିଲ୍ ଉପରେ ରାଜ୍ୟପାଳଙ୍କ ନିଷ୍ପତ୍ତି କ୍ଷମତା ସମ୍ପର୍କରେ ରାଷ୍ଟ୍ରପତି(President) ଦ୍ରୌପଦୀ ମୁର୍ମୁ ପଚାରିଥିବା ସ୍ୱତନ୍ତ୍ର ପ୍ରଶ୍ନର ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏପରି ନିଷ୍କର୍ସରେ ପହଞ୍ଚିଛନ୍ତି।
ନିଜର ମତ ସ୍ପଷ୍ଟ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ବିଲ ଉପସ୍ଥାପନ କରାଯିବା ସମୟରେ ଜଣେ ରାଜ୍ୟପାଳଙ୍କ ପାଖରେ ୩ଟି ବିକଳ୍ପ ରହିଥାଏ। ବିଲକୁ ଅନୁମୋଦନ କରିବା, ବିଲକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା କିମ୍ବା ବିଧାନସଭାକୁ ପୁଣି ଏହାକୁ ଫେରସ୍ତ କରିବା ଭଳି ୩ଟି ବିକଳ୍ପ ରାଜ୍ୟପାଳଙ୍କ ପାଖରେ ରହିଛି। ଏହି ୩ ବିକଳ୍ପରୁ ବିବେକ ଅନୁସାରେ ଯେକୌଣସି ଗୋଟିଏକୁ ରାଜ୍ୟପାଳ ବାଛିବାର କ୍ଷମତା ପାଇଛନ୍ତି। ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ହେଉଥିବା ବିତର୍କରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।
ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ ରାଜ୍ୟପାଳମାନେ ଅନିର୍ଦ୍ଦିଷ୍ଟ କାଳ ଯାଏ କୌଣସି ବିଲକୁ ଅଟକାଇ ରଖି ପାରିବେ ନାହିଁ। ଲମ୍ବା ସମୟ ଧରି, ଅସ୍ପଷ୍ଟ ଓ ଅନିର୍ଦ୍ଦିଷ୍ଟ ସମୟ ପାଇଁ ନିଷ୍କ୍ରିୟତା ପରସ୍ଥିତିରେ ନ୍ୟାୟାଳୟ ହସ୍ତକ୍ଷେପ କରିପାରିବେ। ତେବେ ଏପରି ହସ୍ତକ୍ଷେପ ସୀମିତ। କୋର୍ଟ କେବଳ ରାଜ୍ୟପାଳଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଉପଯୁକ୍ତ ପଦକ୍ଷେପ ନେବାକୁ କହିପାରିବେ। ନିଷ୍କ୍ରିୟତାର ବୈଧତା ଉପରେ କୌଣସି ମତାମତ କୋର୍ଟ ଦେଇପାରିବେ ନେହିଁ।
କୋର୍ଟ କେବେ ହେଲେ କୌଣସି ସାମ୍ବିଧାନିକ ପଦାଧିକାରୀଙ୍କ ପାଇଁ କଠୋର ସମୟସୀମା ଧାର୍ଯ୍ୟ କରିପାରିବେ ନାହିଁ ବୋଲି ଖଣ୍ତପୀଠ ମତ ରଖିଛନ୍ତି। ରାଜ୍ୟପାଳଙ୍କ ବିବେକାଧିକାର ଉପରେ ସାମ୍ବିଧାନିକ ସୀମା ଉପରେ ଜୋର ଦେଇ ଖଣ୍ଡପୀଠ କହିଛନ୍ତି ଯେ ବିଲକୁ ଏକତରଫା ଭାବେ ଅଟକାଇବା ସଂଘୀୟ ବ୍ୟବସ୍ଥାର ଉଲ୍ଲଙ୍ଘନ। ଧାରା ୨୦୦କୁ ଯଦି ରାଜ୍ୟପାଳ ଅନୁସରଣ କରିବେ ନାହିଁ, ତା’ହେଲେ ଏହା ସଂଘୀୟ ବ୍ୟବସ୍ଥାର ସ୍ୱାର୍ଥ ବିରୋଧୀ ହେବ।
ତାମିଲନାଡୁ ରାଜ୍ୟପାଳ ଆରଏନ ରବି ଡିଏମକେ ସରକାର ପକ୍ଷରୁ ବିଧାନସଭାରେ ପାରିତ ହୋଇଥିବା ଏକାଧିକ ବିଲକୁ ଦୀର୍ଘ ସମୟ ଧରି ଅଟକାଇ ରଖିଥିବାରୁ ବିବାଦ ଦେଖାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଏପ୍ରି ୮ରେ ସର୍ବୋଚ୍ଚ ଅଦାଲତ ରାଜ୍ୟପାଳଙ୍କୁ ବିଲକୁ ଅନୁମୋଦନ ଦେବାକୁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଥିଲେ।
କିନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା ଉପରେ ପ୍ରଶ୍ନ ଉଠାଇ ସମ୍ବିଧାନର ଧାରା ୧୪୩(୧) ଅନୁସାରେ ସୁପ୍ରିମକୋର୍ଟଙ୍କୁ ଚିଠି କରିଥିଲେ। ବିଲ ଉପରେ ନିଷ୍ପତ୍ତି ନେବାକୁ କୋର୍ଟ କ’ଣ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ପାଇଁ ସମୟସୀମା ଧାର୍ଯ୍ୟ କରିପାରିବେ ବୋଲି ରାଷ୍ଟ୍ରପତି ମୁର୍ମୁ ପ୍ରଶ୍ନ କରିଥିଲେ।
ଏହାପରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି। ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜ୍ୟପାଳଙ୍କ ପାଇଁ ସମୟସୀମା ଧାର୍ଯ୍ୟ କରିବା ସମ୍ବିଧାନରେ ଥିବା ବିଧିବ୍ୟବସ୍ଥାର ବିରୋଧାଚରଣ ବୋଲି ଖଣ୍ଡପୀଠ(Supreme Court) କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
