/odisha-reporter/media/post_attachments/uploadimage/library/16_9/16_9_0/Waqf_1744887462.jpg)
Waqf
ସଂସଦର ଉଭୟ ଗୃହରେ ପାରିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନକ୍ରମେ ସମଗ୍ର ଦେଶରେ ଏପ୍ରିଲ ୮ରୁ ସରକାର ୱାକଫ ସଂଶୋଧନ ଆଇନ ଲାଗୁ କରିଥିଲେ। ମୁସଲିମମାନେ ଦାନ କରିଥିବା ସମ୍ପତ୍ତିର ପରିଚାଳନା କରୁଥିବା ୱାକଫ ବୋର୍ଡରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବାକୁ ସରକାର ପ୍ରଚଳିତ ୱାକଫ ଆଇନରେ ସଂଶୋଧନ କରିଥିବା ପୂରା ଦେଶକୁ ଜଣାଇଥିଲେ। ଏହାକୁ ବିରୋଧୀ ଓ ମୁସଲିମ ସଂଗଠନଗୁଡ଼ିକ ବିରୋଧ କରୁଥିଲେ ହେଁ କେନ୍ଦ୍ର ସରକାର ଆଇନକୁ ଲାଗୁ କରିଥିଲେ।
ହେଲେ କେନ୍ଦ୍ର ସରକାରଙ୍କୁ ଆଜି ସୁପ୍ରିମକୋର୍ଟ ୱାକଫ ସଂଶୋଧନ ଆଇନ ପ୍ରସଙ୍ଗରେ ଶକ୍ତ ଝଟକା ଦେଇଛନ୍ତି। ଆଇନରେ ଥିବା ଏକାଧିକ ବ୍ୟବସ୍ଥା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ନୂଆ ଆଇନରେ ଥିବା ୱାକଫ ବୋର୍ଡ ଓ କାଉନସିଲ ଅଣ ମୁସଲିମଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ଉପରେ ସୁପ୍ରିମ ରୋକ ଲାଗିଛି। ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ନୂଆ ଆଇନରେ ଥିବା ୱାକଫ ବାଇ ୟୁଜର ବ୍ୟବସ୍ଥାକୁ ଅଚଳ ନ କରିବାକୁ ବି କହିଛନ୍ତି।
‘ୱାକଫ ବାଇ ୟୁଜର’- ନିୟମ ଅନୁସାରେ ବୈଧ କାଗଜପତ୍ର ବିନା ଦୀର୍ଘ ବର୍ଷ ଧରି ଯଦି କୌଣସି ସମ୍ପତ୍ତି ଧାର୍ମିକ କିମ୍ବା ଚ୍ୟାରିଟେବୁଲ କାମ ପାଇଁ ବ୍ୟବହାର ହେଉଛି, ତା’ହେଲେ ଏହାକୁ ୱାକଫ ସମ୍ପତ୍ତି ଭାବେ ବିବେଚନା କରାଯିବ। କିନ୍ତୁ ନୂଆ ନିୟମରେ ଏହାକୁ ବଦଳାଇ ଦିଆଯାଇଛି। ବିବାଦୀୟ କିମ୍ବା ସରକାରୀ ଜମିରେ ଏହା ଲାଗୁ ହୋଇପାରିବ ନାହିଁ ବୋଲି ଏବେ କେନ୍ଦ୍ର ସରକାର ଆଣିଥିବା ଆଇନରେ ବ୍ୟବସ୍ଥା କରିଛନ୍ତି। ଏବେ ସୁପ୍ରିମକୋର୍ଟ ମେ’ ୫ ତାରିଖରେ ହେବାକୁ ଥିବା ଶୁଣାଣି ଯାଏ ପୂର୍ବ ପ୍ରଚଳିତ ନିୟମରେ କୌଣସି ପରିବର୍ତ୍ତନ ନ କରିବାକୁ କହିଛନ୍ତି।
ଶୁଣାଣି ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟ ଦେଖି ଖଣ୍ଡପୀଠଙ୍କୁ ନିଶ୍ଚିତ କରିଛନ୍ତି ଯେ ୱାକଫ ବୋର୍ଡରେ କୌଣସି ନିଯୁକ୍ତି ଦିଆଯିବ ନାହିଁ। ନୂଆ ଆଇନରେ ୱାକଫ ବୋର୍ଡ ଗଠନରେ ପରିବର୍ତ୍ତନ କରାଯିବା ସହ ଏଥିରେ ଅଣ ମୁସଲିମ ସଦସ୍ୟଙ୍କ ଉପସ୍ଥିତକୁ ବାଧ୍ୟତାମୂଳକ କରାଯାଇଥିଲା। ସର୍ବୋଚ୍ଚ ଅଦାଲତ କହିଛନ୍ତି, “ସଲିସିଟର ଜେନେରାଲ ମେହତା(ତୁଷାର ମେହତା) ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ୨୦୨୫ ଆଇନ ଅନୁସାରେ କୌଣସି ବୋର୍ଡ ଓ କାଉନସିଲରେ ନିଯୁକ୍ତି ହୋଇପାରିବ ନାହିଁ ବୋଲି ଆମକୁ ସୁନିଶ୍ଚିତ କରିଛନ୍ତି। ସେ ଆହୁରି ମଧ୍ୟ ନିଶ୍ଚିତ କରିଛନ୍ତି ଯେ ସମସ୍ତ ୱାକଫ ବିଶେଷ କରି ୱାକଫ ବାଇ ୟୁଜର ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେବ ନାହିଁ। ନୂଆ ନିୟମ ଲାଗୁ କରିବାକୁ ବିଜ୍ଞପ୍ତି ଜାରି ହୋଇଥିଲେ ହେଁ ଏହା କାର୍ଯ୍ୟକାରୀ ହେବନି।”
ସୁପ୍ରିମକୋର୍ଟ ଆଜି ଦେଇଥିବା ନିର୍ଦ୍ଦେଶର ଅର୍ଥ ହେଲା ଦେଶ ତମାମ ରହିଥିବା ୱାକଫ ସମ୍ପତ୍ତିର ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ। ମାମଲା କୋର୍ଟରେ ଥିବାରୁ ବିବାଦରେ ଥିବା ୱାକଫ ସମ୍ପତ୍ତିରେ ମଧ୍ୟ ସରକାର ହାତ ମାରିପାରିବେ ନାହିଁ। ୱାକଫ ସଂଶୋଧ ଆଇନ ଆସିବା ପୂର୍ବରୁ ଯାହା ସବୁ ଚାଲିଥିଲା, ଏବେ ବି ସେସବୁ ବଳବତ୍ତର ରହିବ। ଏପ୍ରିଲ ୮ରେ ଦେଶରେ ଲାଗୁ ହୋଇଥିବା ୱାକଫ ଆଇନରେ ୱାକଫ ବାଇ ୟୁଜର ପ୍ରାବଧାନକୁ ହଟାଇ ଦିଆଯାଇଥିଲେ। ଏହାକୁ ବିରୋଧୀ ବିରୋଧ କରୁଥିଲେ।
କେନ୍ଦ୍ର ପକ୍ଷରୁ ମାମଲା ପରିଚାଳନା କରୁଥିବା ତୁଷାର ମେହତା ୱାକଫ ଆଇନ ସପକ୍ଷରେ ନିଜର ତଥ୍ୟ ଉପସ୍ଥାପନ ପାଇଁ ୭ ଦିନର ସମୟ ମାଗିଥିଲେ। ଏଥିପାଇଁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ଏହାର ପ୍ରତିଉତ୍ତର ରଖିବାକୁ ଆବେଦନକାରୀଙ୍କୁ ୫ ଦିନର ସମୟ ମିଳିବ। ତେବେ ସୁପ୍ରିମକୋର୍ଟ ଆଜି ଶୁଣାଣି ବେଳେ ୱାକଫ ସଂଶୋଧନ ଆଇନ ଉପରେ ସଂପୂର୍ଣ୍ଣ ରୋକ ଲାଗିବ ନାହିଁ ବୋଲି ସଙ୍କେତ ଦେଇଛନ୍ତି।
ସର୍ବୋଚ୍ଚ ଅଦାଲତ କହିଛନ୍ତି, “ଆମେ କହି ସାରିଛୁ ଯେ ଆଇନରେ କିଛି ସକାରାତ୍ମକ ବିଷୟବସ୍ତୁ ରହିଛି। ଆମେ ଏହା ଉପରେ ସଂପୂର୍ଣ୍ଣ ରୋକ ଲଗାଇବୁ ନାହିଁ। କିନ୍ତୁ ଏହି ସମୟରେ ଆମେ ଏହା ମଧ୍ୟ କହିବାକୁ ଚାହୁଁଛୁ ଯେ ବର୍ତ୍ତମାନ ଜାରି ରହିଥିବା ସ୍ଥିତିରେ ପରିବର୍ତ୍ତନ ନ ହେବା ଦରକାର। ୫ ବର୍ଷ ଇସଲାମ ଧର୍ମକୁ ଅନୁସର କରୁଥିବା, ଇତ୍ୟାଦି ଉପରେ ଆମେ ରୋକ ଲଗାଉ ନାହୁଁ।” ସୁପ୍ରିମକୋର୍ଟ ଏକଥା କହିବାର ଅର୍ଥ ହେଉଛି, ନୂଆ ଆଇନରେ କୁହାଯାଇଛି ଯେ ଇସଲାମକୁ ୫ ବର୍ଷ ଧରି ଅନୁସରଣ କରୁଥିବା ମୁସଲିମ ହିଁ ୱାକଫ ବା ସମ୍ପତ୍ତି ଦାନ କରିପାରିବେ।
ଆଜି ଶୁଣାଣି ବେଳେ ୱାକଫ ଆଇନ ବେଶ ଭଲ ବୋଲି ସୁପ୍ରିମକୋର୍ଟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ଏସଜି ମେହତା। ସେ କହିଥିଲେ ଯେ “ଆମେ ଆଇନରେ ସଂଶୋଧନ କରିବା ପୂର୍ବରୁ ଲକ୍ଷ ଲକ୍ଷ ମତାମତ ପାଇଥିଲୁ। ଗୋଟିଏ ପରେ ଗୋଟିଏ ଗାଁକୁ ୱାକଫ ଅଧିଗ୍ରହଣ କରି ନେଇଛି। ଘରୋଇ ସମ୍ପତ୍ତିକୁ ୱାକଫ ଅକ୍ତିଆର କରିଛି। ଲର୍ଡଶିପ ପ୍ରାଧିକୃତ ପ୍ରାବଧାନରେ ପରୋକ୍ଷ କିମ୍ବା ପ୍ରତ୍ୟେକ୍ଷ ରୋକ ଲଗାଇବା ପାଇଁ ପଦକ୍ଷେପ ନେଇ ଆପଣ ଅତ୍ୟନ୍ତ କରୋଠ ଆଭିମୁଖ୍ୟ ଗ୍ରହଣ କରିଛନ୍ତି।”
ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ପିଭି ସଞ୍ଜୟ କୁମାର ଓ ଜଷ୍ଟିସ କେଭି ବିଶ୍ୱନାଥନ ବୁଧବାର ଏହା ଉପରେ ମାରାଥନ ଶୁଣାଣି କରିବା ପରେ ଆଜି ୱାକଫ ଆଇନର କିଛି ପ୍ରାବଧାନ ଉପରେ ରୋକ ଲଗାଇବାକୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୫ ତାରିଖରେ ହେବ। ମେ’ ୫ ତାରିଖ ଶୁଣାଣି ବେଳେ କେବଳ ନିର୍ଦ୍ଦେଶ ଓ ଆବଶ୍ୟକ ଅନ୍ତରୀଣ ନିର୍ଦ୍ଦେଶ ପାରିତ ହେବ ବୋଲି ଖଣ୍ଡପୀଠ କହିଛନ୍ତି।
କୌତୁହଳର ବିଷୟ ହେଲା, ୫ ଆବେଦନକାରୀଙ୍କ ଓକିଲ ହିଁ ପରବର୍ତ୍ତୀ ଶୁଣାଣିରେ କୋର୍ଟରେ ଉପସ୍ଥିତ ରହିପାରିବେ। ୭୦ରୁ ଅଧିକ ଆବେଦନ ହୋଇଥିଲେ ହେଁ ଖଣ୍ଡପୀଠ ୫ ଆବେଦନକାରୀଙ୍କ ଓକିଲଙ୍କୁ କୋର୍ଟ ରୁମରେ ଉପସ୍ଥିତ ରହିବାକୁ ଅନୁମତି ଦେଇଛନ୍ତି। ତେବେ ଆବେଦନକାରୀମାନେ ପରସ୍ପର ସହ ଆଲୋଚନା କରି କେଉଁ ୫ ଓକିଲ ଉପସ୍ଥିତ ରହିବେ, ତା’ର ନିଷ୍ପତ୍ତି ନେଇ ପାରିବେ ବୋଲି ସ୍ୱାଧୀନତା ଦେଇଛନ୍ତି।
ଖଣ୍ଡପୀଠ କହିଛନ୍ତି, “ପରବର୍ତ୍ତୀ ଶୁଣାଣିରେ କେବଳ ୫ ରିଟ ପିଟିସନର୍ସ ରହିବେ। ଆମେ କେବଳ ୫ ଜଣଙ୍କୁ ଏଠାରେ ଚାହୁଁଛୁ। ଆପଣମାନେ ୫ ଜଣଙ୍କୁ ଚୟନ କରନ୍ତୁ।” ଅନ୍ୟ ଆବେଦନଗୁଡ଼ିକୁ ୫ ପିଟିସନ୍ସରେ ଆପ୍ଲିକେସନ ଭାବେ ବିବେଚନା କରାଯିବ। ସେହିପରି ମାମଲା କୌଣସି ଆବେଦନକାରୀଙ୍କ ନାଁ ନୁହେଁ, ବରଂ ଇନ ରେ-ୱାକଫ ସଂଶୋଧନ ଆକ୍ଟ ଭାବେ ବିବେଚତିତ ହେବ। ସର୍ବୋଚ୍ଚ ଅଦାଲତ ଉଭୟ ପକ୍ଷଙ୍କୁ ନୋଡାଲ କାଉନସିଲ ନିଯୁକ୍ତ କରିବାକୁ କହିଛନ୍ତି। ନୋଡାଲ କାଉନସିଲ ସଂଯୋଜକ ଭାବେ ବିଭିନ୍ନ ପକ୍ଷ ଓ ଖଣ୍ଡପୀଠଙ୍କ ମଧ୍ୟରେ କାମ କରିବେ।
ଶୁଣାଣି ବେଳେ କ’ଣ ସବୁ ହେଲା?
ଗୁରୁବାର ଯେତେବେଳେ ଶୁଣାଣି ହୋଇଥିଲା ସେତେବେଳେ ସଲିସିଟର ଜେନେରାଲ ତୁଷାର ମେହତା କୋର୍ଟଙ୍କୁ କୌଣସି ପ୍ରକାରର ରୋକ ନ ଲଗାଇବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ ଅନେକ ମାନସମନ୍ଥନ ଓ ପ୍ରସ୍ତାବ ପରେ ଆଇନ ପ୍ରସ୍ତୁତ କରାଯାଇଛି। ଶ୍ରୀ ମେହତା କହିଛନ୍ତି, “ଆଇନ ଉପରେ ରୋକ ଲଗାଇବା ପାଇଁ ଏସବୁ ଉପଯୁକ୍ତ ପ୍ରସଙ୍ଗ ନୁହେଁ।
କିଛି ଲୋକଙ୍କ ପ୍ରାଥମିକ ତଥ୍ୟ ଆଧାରରେ ରୋକ ଲଗା ଯାଇପାରିବ ନାହିଁ। ଆମକୁ ପୂର୍ବରୁ ହୋଇଥିବା ସଂଶୋଧନ ଓ ପୂର୍ବରୁ ଆଇନ ଇତ୍ୟାଦିକୁ ଦେଖିବାକୁ ପଡ଼ିବ। ଆମେ ଲକ୍ଷଲକ୍ଷ ପ୍ରସ୍ତାବ ପାଇଛୁ। ଗାଁ ପରେ ଗାଁ ୱାକଫ ଦଖଲ କରିଛି। ଅନେକ ଜମି ୱାକଫ ଭାବେ ବିବେଚନା କରାଯାଉଛି। ଏହି କୋର୍ଟ ସେସବୁ ଶୁଣାଣି କରିପାରନ୍ତି। ଅନେକ ଲୋକ ସେମାନଙ୍କ ସମ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି।”
ଜଷ୍ଟିସ କୁମାର କହିଥିଲେ, “ଆମେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହୁଁ।” ଏସଜି ମେହତା କହିଥିଲେ, “କିନ୍ତୁ ରୋକ ଗୋଟିଏ କଠୋର ପଦକ୍ଷେପ। ମୋତେ ପ୍ରାଥମିକ ଜବାବ ଦାଖଲ କରିବାକୁ ଗୋଟିଏ ସପ୍ତାହର ସମୟ ଦୟା କରି ଦିଆଯାଉ।” ସିଜେଆଇ ଜଷ୍ଟିସ ଖାନ୍ନ କହିଛନ୍ତି, ଆଇନରେ କିଛି ସକାରାତ୍ମକ ବ୍ୟବସ୍ଥା ରହିଛି। କିନ୍ତୁ ଆଜି ଯାହା ସ୍ଥିତାବସ୍ଥା ରହିଛି, ତା’ହା ବଳବତ୍ତର ରହିବ।
କୌଣସି ୱାକଫ ସମ୍ପତ୍ତିକୁ ବଣ୍ଟା ଯାଇ ପାରିବ ନାହିଁ। ତେଣୁ କିଛି ପ୍ରାବଧାନରେ ରୋକ ଲଗାଇବା ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି। ତଥାପି ଅର୍ଡର ଦେବା ପୂର୍ବରୁ ଜବାବ ଦାଖଲ ପାଇଁ ସମୟ ଦେବା ପାଇଁ ମେହତା ଅନୁରୋଧ କରିଥିଲେ। କିନ୍ତୁ ଖଣ୍ଡପୀଠ କିଛି ପ୍ରାବଧାନରେ ରୋକ ଲଗାଇବା ସପକ୍ଷରେ ମତ ରଖିଥିଲେ।
ସିଜେଆଇ କହିଛନ୍ତି, “ବୋର୍ଡ କିମ୍ବା କାଉନସିଲରେ କୌଣସି ନିଯୁକ୍ତି ହେବ ନାହିଁ। ଯଦି କୌଣସି ସମ୍ପତ୍ତି ୧୯୯୫ ମସିହା ଆଇନ ଅନୁସାରେ ପଞ୍ଜିକରଣ ହୋଇଛି, ତା’ହେଲେ ସେଥିରେ କେହି ହାତ ମାରିପାରିବେ ନାହିଁ। ଆମେ କହିବାକୁ ଚାହୁଁଛୁ ଯେ କାର୍ଯ୍ୟପାଳିକା ନିଷ୍ପତ୍ତି ନେବ ଓ ନ୍ୟାପାଳିକା ନିର୍ଣ୍ଣୟ କରିବ।”
ଏହାପରେ ଏସ୍ଜି ମେହତା କହିଥିଲେ, “ବୋର୍ଡରେ ନିଯୁକ୍ତି ମୋ(ସରକାର) ହାତରେ ରହିଛି। ନିଯୁକ୍ତି ହେବ ନାହିଁ। ରାଜ୍ୟଗୁଡ଼ିକ ମଧ୍ୟ ଏଥିରେ ସାମିଲ ଅଛନ୍ତି। କୋର୍ଟଙ୍କ ନିର୍ଣ୍ଣୟ ପୂର୍ବରୁ ଯଦି କୌଣସି ରାଜ୍ୟ ନିଯୁକ୍ତି କରିଥିବେ, ତା’ହେଲେ ଏହାକୁ ଅବୈଧ ବିବେଚନା କରାଯିବ।”
କୋର୍ଟ ସଲିସିଟର ଜେନେରାଲଙ୍କ ପ୍ରତିଶ୍ରୁତିକୁ ରେକର୍ଡ କରିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୫ରେ ହେବ ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
