ମୁଁ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଭୟ କରେନି, ଗୀତ ଛାଡ଼ିବିନି: ଗାୟିକା ନେହା ସିଂହ

ଭୋଜପୁରୀ ଗାୟିକା ନେହା ସିଂହ ରାଠୋର୍‌ଙ୍କୁ ଉତ୍ତର ପ୍ରଦେଶ ପୁଲିସ ନୋଟିସ୍‌ କରିଛି।

Neha Singh Rathore

  • Published: Wednesday, 22 February 2023
  • , Updated: 22 February 2023, 04:10 PM IST

ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ବିଦ୍ରୂପ କରି ବ୍ୟାଙ୍ଗାତ୍ମକ ଗୀତ ଗାଇଥିବା ଜଣେ ଭୋଜପୁରୀ ଗାୟିକା ନେହା ସିଂହ ରାଠୋର୍‌ଙ୍କୁ ଉତ୍ତର ପ୍ରଦେଶ ପୁଲିସ ନୋଟିସ୍‌ କରିଛି। କାନପୁରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଜଣେ ମାଆ ଓ ଝିଅଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ଗାୟିକା ନେହା ସିଂହ ରାଠୋର୍‌ ସରକାରଙ୍କୁ ସମାଲୋଚନା ଢଙ୍ଗରେ ‘ୟୁପି ମୈଁ କା ବା’ ଗୀତ ଗାଇଥିଲେ। ଏହା ପରେ ଭୋଜପୁରୀ ଗାୟିକା ନେହା ସିଂହ ରାଠୋର୍‌ଙ୍କୁ ପୁଲିସ ନୋଟିସ କରିଛି। ଏହାର ପ୍ରତିକ୍ରିୟାରେ ନେହା ସିଂହ କହିଛନ୍ତି ଯେ, ସେ କେବେ ବି ଦବିଯିବେ ନାହିଁ। ସେ କହିଛନ୍ତି ଯେ, ମୁଁ ମାତ୍ର ଜଣେ ‘ଲୋକସଙ୍ଗୀତ’ ଗାୟିକା। ଏହି ବଡ ନେତାଙ୍କ ସାମ୍ନାରେ ସେ କିଛି ବି ନୁହଁ । କିନ୍ତୁ ତାଙ୍କୁ ନୋଟିସ କରାଯିବା ହେଉଛି ଅସହିଷ୍ଣୁତା। ସମାଲୋଚନାର ପ୍ରତ୍ୟେକ ସ୍ୱରକୁ ଭୟଭୀତ କରିବା ପାଇଁ ସେମାନଙ୍କ ଉଦ୍ଦେଶ୍ୟ। ସେମାନଙ୍କର ଧାରଣା ଯେ, ପ୍ରତ୍ୟେକ ସ୍ୱର ସେମାନଙ୍କର ଭୋଟ୍ କାଟିପାରେ । ମୁଁ ସଙ୍ଗୀତ ସହ ଅଛି ଆଉ ମୁଁ ଗୀତ ଗାଇବା ଜାରି ରଖିବି। ସେମାନେ ଗତଥର ବହୁ ଟ୍ରୋଲ କରିଥିଲେ। ତଥାପି ମୁଁ ମୋର ଅଭିଯାନ ଜାରି ରଖିଥିଲି। ଏବେ କାହିଁକି ବନ୍ଦ କରିବି ବୋଲି ସେ କହିଛନ୍ତି। ମୁଁ ଭୟ କରେ ନାହିଁ ଏବଂ ଆଉ କୌଣସିମତେ ଦବିବାର ନାହିଁ ବୋଲି ସେ କହିଛନ୍ତି। ମୁଁ ମୋର ଓକିଲଙ୍କ ସହ କଥା ହେବି । ସେହିପରି ନେହା ସିଂହ ଅଭିଯୋଗ କରିଛନ୍ତି ଯେ, ନୋଟିସ ଦେବା ପୂର୍ବରୁ ପୁଲିସ ବିଭାଗ ତାଙ୍କ ସ୍ୱାମୀଙ୍କୁ ଜାଲରେ ଛନ୍ଦିବାକୁ ପୁଲିସ ଚେଷ୍ଟା କରିଥିଲା।

ସୂଚନାଯୋଗ୍ୟ, ନେହା ସିଂହ ରାଠୋର୍‌ ଗାଇଥିବା ଗୀତ ‘ୟୁପି ମୈଁ କା ବା’ ଗୀତଟି ସମାଜରେ ଅସହାବସ୍ଥାନ ଓ ଉତ୍ତେଜକ ପରିସ୍ଥିତି ସୃଷ୍ଟି କରୁଛି କହି ଉତ୍ତର ପ୍ରଦେଶ ପୁଲିସ ତାଙ୍କୁ ନୋଟିସ୍‌ କରିଛି । ଏ ଗୀତ ଓ ଏହାର ପ୍ରଯୋଜନା ବିଷୟକୁ ଆଧାର କରି ରାଠୋର୍‌ଙ୍କୁ ଗୁଡ଼ାଏ ପ୍ରଶ୍ନ ପଚରାଯାଇଛି ଏବଂ ସେ ସବୁର ଉତ୍ତର ଦେବାକୁ ତାଙ୍କୁ ୩ ଦିନ ସମୟ ଦିଆଯାଇଛି।

ପୁଲିସ ତାଙ୍କୁ ପଚାରିଛି ଯେ, ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ସେ କି, ନୁହେଁ? ଗୀତଟି ସେ ରଚନା କରିଛନ୍ତି କି, ନାହିଁ? ଗୀତର ତଥ୍ୟାବଳିକୁ ସେ ବିଶ୍ବାସ କରନ୍ତି କି, ନାହିଁ? ପୁଲିସ ଆହୁରି ମଧ୍ୟ ପଚାରିଛି ଯେ, ସମାଜ ଉପରେ ଏହି ଭିଡିଓର ପ୍ରତିକୂଳ ପ୍ରଭାବ ସମ୍ବନ୍ଧରେ ସେ ସଚେତନ ଥିଲେ ନା, ନାହିଁ?

ଉତ୍ତର ପ୍ରଦେଶ ପୁଲିସ ତାଙ୍କ ପ୍ରତି ଜାରି କରିଥିବା ନୋଟିସ୍‌ରେ ଉଲ୍ଲେଖ ଅଛି, ଏହି ଗୀତ ସମାଜରେ ଶତ୍ରୁତା ଓ ଉତ୍ତେଜନା ସୃଷ୍ଟି କରିଛି। ତେଣୁ, ଏହି ମାମଲାରେ ଆପଣ ସ୍ପଷ୍ଟୀକରଣ ଦେବାକୁ ଆଇନତଃ ବାଧ୍ୟ। ସଥିପାଇଁ, ନୋଟିସ ପାଇବାର ୩ ଦିନ ମଧ୍ୟରେ ଆପଣ ଜବାବ ଦାଖଲ କରିବା ଆବଶ୍ୟକ।

Related story