BJP
ଦେଶର ଷ୍ଟାର ରେସଲରମାନେ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଗିରଫ ଦାବି କରିଛନ୍ତି। ହେଲେ ତାଙ୍କୁ ଏବେ ଗିରଫ କରାଯାଇ ପାରିବ ନାହିଁ। ତାଙ୍କ ବିରୋଧରେ ଏଯାଏ କୌଣସି ପ୍ରମାଣ ମିଳିନି ବୋଲି ଆଜି ଦିଲ୍ଲୀ ପୁଲିସ୍ କହିଛି। ଏଥିସହ ପୁଲିସ୍ ୧୫ ଦିନ ମଧ୍ୟରେ ତା’ର ତଦନ୍ତ ରିପୋର୍ଟ ଦାଖଲ କରିବ ବୋଲି ସୂଚନା ଦେଇଛି।
ଦେଶ ପାଇଁ ଅଲିମ୍ପିକ୍ସରେ ପଦକ ଜିତିଥିବା ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ସମେତ ବିଶ୍ୱ ରେସଲିଂ ଚାମ୍ପିୟନଶିପରେ ପଦକ ଜିତିଥିବା ଭିନେଶ ଫୋଗଟ ଓ ଅନ୍ୟମାନେ ବିଜେପି ସାଂସଦ ବ୍ରିଜଭୂଷଣଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।
ବ୍ରିଜଭୂଷଣ ଅନେକ ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ଦେଇଥିବା ସେମାନେ ଜାନୁଆରୀ ମାସରୁ ଅଭିଯୋଗ କରି ଆସୁଛନ୍ତି। ଦେଶର ଷ୍ଟାର ରେସଲରମାନଙ୍କ ଅଭିଯୋଗ ସତ୍ତ୍ୱେ ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ହେଉ ନାହିଁ।
ଏହାକୁ ନେଇ ଗତ ଏପ୍ରିଲ ୨୩ରୁ ରେସଲରମାନେ ଯନ୍ତରମନ୍ତରରେ ଆନ୍ଦୋଳନ ଆରମ୍ଭ କରିଥିଲେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ପ୍ରଥମେ ଏଫଆଇଆର ରୁଜୁ କରିବାକୁ ଅମଙ୍ଗ ହେଉଥିବା ଦିଲ୍ଲୀ ପୁଲିସ୍ ଏଥିରେ ରାଜି ହୋଇଥିଲା। ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଦିଲ୍ଲୀ ପୁଲିସ୍ ଏଫଆଇଆର ରୁଜୁ କରିଛି। ହେଲେ ବ୍ରିଜ ଭୂଷଣ ବେଧଡ଼କ ବାହାରେ ବୁଲିବାରେ ଲାଗିଛନ୍ତି।
ତାଙ୍କ ବିରୋଧରେ ପୁଲିସ୍ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ଏହାକୁ ବିରୋଧ କରି ରେସଲରମାନେ ୨୮ ତାରିଖରେ ସଂସଦର ନୂଆ ବିଲଡିଂ ଅଭିମୁଖେ ଯିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।
ପୁଲିସ୍ ଦେଶ ପାଇଁ ମେଡାଲ ଜିତିଥିବା ରେସଲରମାନଙ୍କୁ ଥାନାରେ ଅଟକ ରଖିଥିଲା। ଦିନକ ପରେ ସେମାନଙ୍କ ନାଁରେ ଏଫଆଇଆର ରୁଜୁ କରାଯିବା ସହ ଯନ୍ତରମନ୍ତରରେ ଥିବା ରେସଲରଙ୍କ ଆନ୍ଦୋଳନ ସ୍ଥଳକୁ ହଟାଇ ଦେଇଥିଲା।
ଏକଦା ଦେଶକୁ ଗୌରବାନ୍ୱିତ କରିଥିବା ରେସଲରଙ୍କ ପ୍ରତି ପୁଲିସ୍ ଓ ପ୍ରଶାସନର ଏପରି ପଦକ୍ଷେପକୁ ସମସ୍ତେ ନିନ୍ଦା କରିଥିଲେ। ଏଥିରେ ରେସଲରମାନେ ମଧ୍ୟ ମର୍ମାହତ ହୋଇ ଗତକାଲି ଦେଶ ପାଇଁ ଜିତିଥିବା ମେଡାଲକୁ ଗଙ୍ଗା ନଦୀରେ ବିସର୍ଜନ କରିଦେବେ ବୋଲି ଘୋଷଣା କରିଥିଲେ।
ତେବେ ଶେଷ ମୁହୂର୍ତ୍ତରେ ଚାଷୀ ନେତା ନରେଶ ଟିକାୟତ ସେମାନଙ୍କୁ ଅଟକାଇଥିଲେ। ଦୀର୍ଘ ସମୟ ଧରି ବୁଝାସୁଝା କରିବା ପରେ ରେସଲରମାନେ ବ୍ରିଜ ଭୂଷଣଙ୍କୁ ଗିରଫ କରିବା ପାଇଁ ୫ ଦିନର ସମୟ ସରକାରଙ୍କୁ ଦେଇଥିଲେ।
ହେଲେ ଆଜି ଦିଲ୍ଲୀ ପୁଲିସ୍ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓ ଗିରଫ ପାଇଁ ଉପଯୁକ୍ତ ପ୍ରମାଣ ମିଳିନାହିଁ ବୋଲି କହିଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ବର୍ତ୍ତମାନ ସୁଦ୍ଧ ସରିଥିବା ତଦନ୍ତକୁ ଦେଖିଲେ କୁସ୍ତି ମହାସଂଘର ସଭାପତିଙ୍କୁ ଗିରଫ ପାଇଁ ଉପଯୁକ୍ତ ପ୍ରମାଣ ମିଳିନାହିଁ।
ରେସଲରମାନେ କରିଥିବା ଦାବିକୁ ପ୍ରମାଣ କରିବାକୁ ଏଯାଏ ଉପଯୁକ୍ତ ତଥ୍ୟ ମିଳିନି। ପୂରା ଘଟଣାରେ ଗୋଟିଏ ରିପୋର୍ଟ ଆମେ ୧୫ ଦିନ ମଧ୍ୟରେ କୋର୍ଟରେ ଦାଖଲ କରିବୁ। ଏହା ଚାର୍ଜଶିଟ କିମ୍ବା ଚୂଡ଼ାନ୍ତ ରିପୋର୍ଟ ଆକାରରେ ଦାଖଲ କରାଯିବ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJP_1685526457.jpg)