/odisha-reporter/media/media_files/2026/01/23/pm-modi-2026-01-23-15-12-32.jpg)
ପ୍ରଧାନମନ୍ତ୍ରୀ ମୋଦି
ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କେରଳର ଗୋଟିଏ ସାଧାରଣ ସଭାରେ କ୍ଷମତାସୀନ ବାମପନ୍ଥୀ ଓ ବିରୋଧୀ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ଆଗାମୀ ନିର୍ବାଚନରେ ବିଜେପି ନାତୃତ୍ୱାଧୀନ ଏନଡିଏକୁ ଗୋଟିଏ ସୁଯୋଗ ଦେବାକୁ ସେ କେରଳବାସୀଙ୍କୁ ଅନୁରୋଧ କରିଛନ୍ତି।
ନିଜର ଭାଷଣର ଶେଷ ଭାଗରେ ପ୍ରଧାନମନ୍ତ୍ରୀ ମୋଦି ହଠାତ ଇଂରାଜୀ ଶବ୍ଦର ବ୍ୟବହାର କରିଛନ୍ତି। ସେ କହିଛନ୍ତି, “ଏବେ ବିକଶିତ କେରଳର ସମୟ। ଏବେ ଏନଡିଏ ସରକାରର ସମୟ।”
କେରଳରେ ଘଟିଥିବା ସମବାୟ ବ୍ୟାଙ୍କ ଦୁର୍ନୀତିର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଉଭୟ ଏଲଡିଏଫ ଓ କଂଗ୍ରେସ ଶାସନରେ ବ୍ୟାପକ ଦୁର୍ନୀତି ହୋଇଛି। ସେ କହିଛନ୍ତି, “ଦୁର୍ନୀତି ଯୋଗୁ କେରଳର ବିକାଶ ଗୁରୁତ୍ୱର ଭାବେ ପ୍ରଭାବିତ ହୋଇଛି। ଏଲଡିଏଫ ସମୟରେ ବ୍ୟାଙ୍କରେ ଥିବା ସେଭିଂ ଡିପୋଜିଟ ମଧ୍ୟ ପ୍ରଭାବିତ ହୋଇଥିଲା। ସମବାୟ ବ୍ୟାଙ୍କ ଦୁର୍ନୀତି ଯୋଗୁ ଗରିବ ଓ ମଧ୍ୟବିତ୍ତଙ୍କ କଷ୍ଟ ଉପାର୍ଜିତ ଟଙ୍କାକୁ ଲୁଟ କରାଯାଇଥିଲା। ବିଜେପିକୁ ଗୋଟିଏ ସୁଯୋଗ ଦିଅନ୍ତୁ। ଲୁଟେରାମାନଙ୍କ ଠାରୁ ଗୋଟି ଗୋଟି କରି ସବୁ ଟଙ୍କା ଆମେ ନିଶ୍ଚିତ ଆଦାୟ କରିବୁ।”
ପ୍ରଧାନମନ୍ତ୍ରୀ ମୋଦି(PM Modi) ସାବରିମାଲା ମନ୍ଦିରର ସୁନା ଚୋରି ପ୍ରସଙ୍ଗ ଉଠାଇବା ସହ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କୁ ସୁଯୋଗ ମିଳିଲେ ଅଭିଯୋଗର ନିରପେକ୍ଷ ତଦନ୍ତ ହେବ ଓ ସମସ୍ତ ଦୋଷୀଙ୍କୁ ଜେଲକୁ ପଠାଯିବ ବୋଲି ମଧ୍ୟ କହିଛନ୍ତି।
ମୋଦି କହିଛନ୍ତି, “ଭଗବାନ ଆୟାପ୍ପାଙ୍କ ଉପରେ ପୂରା ଦେଶର ଗଭୀର ଆସ୍ଥା ରହିଛି। କିନ୍ତୁ ଏଲଡିଏଫ ସରକାର ସାବରିମାଲା ମନ୍ଦିରର ପରମ୍ପରାକୁ କ୍ଷତି ପହଞ୍ଚାଇବା ପାଇଁ କୌଣସି ସୁଯୋଗ ହାତ ଛଡ଼ା କରୁ ନାହାନ୍ତି। ଏବେ ଏଠାରୁ ସୁନା ଚୋରିର ରିପୋର୍ଟ ଆସିଛି।
ମନ୍ଦିରରୁ ସୁନା ଚୋରି, ତା’ପୁଣୀ ଭଗବାନଙ୍କ ନିକଟରୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ମୁଁ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହେଁ, ଯେଉଁ ମୁହୂର୍ତ୍ତରେ ବିଜେପି ସରକାର ଗଠନ ହେବ ତତକ୍ଷଣାତ ସବୁ ଅଭିଯୋଗର ତଦନ୍ତ ଆରମ୍ଭ ହେବ। ଏହାପରେ ଦୋଷୀଙ୍କୁ ଜେଲରେ ଭର୍ତ୍ତି କରାଯିବ। ଏହା ମୋଦିଙ୍କ ଗ୍ୟାରେଣ୍ଟୀ।”
କେରଳରେ ୪ଟି ନୂଆ ଟ୍ରେନ ସହ ଏକାଧିକ ବିକାଶମୂଳକ ପ୍ରକଳ୍ପ ଲଞ୍ଚ କରିବା ପରେ ମୋଦି ଏପରି ବୟାନ ଦେଇଛନ୍ତି। ଲଞ୍ଚ ହୋଇଥିବା ୪ ଟ୍ରେନ ମଧ୍ୟରେ ଥିରୁଅନନ୍ତପୁରମରୁ ଚାଲିବାକୁ ଥିବା ୩ଟି ଅମୃତ ଭାରତ ଟ୍ରେନ ରହିଛି।
ପ୍ରକଳ୍ପ ଲଞ୍ଚ ହେବା ବେଳେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଉପସ୍ଥିତ ରହିଥିଲେ। ଏହାପରେ ଅନୁଷ୍ଠିତ ଦଳୀୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି କେରଳର ଏଲଡିଏଫ ସରକାରଙ୍କୁ ସମାଲୋଚନା କରିଛନ୍ତି।
ଚଳିତ ବର୍ଷ ମେ’ ମାସରେ ୧୪୦ ଆସନ ବିଶିଷ୍ଟ କେରଳ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ। ଏହାପୂର୍ବରୁ ମୋଦି ସେଠାରେ ପ୍ରଚାର ଆରମ୍ଭ କରିଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
