Fauja
କିମ୍ବଦନ୍ତୀ ମାରାଥନ ଧାବକ ଫୌଜା ସିଂହଙ୍କୁ ଗାଡ଼ି ମଡ଼ାଇ ଦେବା ଘଟଣାରେ ପଞ୍ଜାବ ପୁଲିସ୍ ଜଣେ ୩୦ ବର୍ଷୀୟ ଏନଆରଆଇଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଅମରିତପାଲ ସିଂହ ଢିଲନ। ସୋମବାର ଜଲନ୍ଧର ଜାତୀୟ ରାଜପଥରେ ଅମରିତପାଲ ସିଂହ ଢିଲନଙ୍କ କାର ୧୧୪ ବର୍ଷୀୟ ଫୌଜା ସିଂହଙ୍କୁ ଧକ୍କା ଦେଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଫୌଜା ସିଂହ ଆଖି ବୁଜି ଥିଲେ। ଘଟଣାର ୩୦ ଘଣ୍ଟା ମଧ୍ୟରେ ପୁଲିସ ଗାଡ଼ି ଚାଳକ ଅମରିତପାଲ ସିଂହଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି।
ଢିଲନଙ୍କ ପ୍ରକୃତ ଘର ଜଲନ୍ଧରର କରତାରପୁର ଅନ୍ତର୍ଗତ ଡାସୁପୁରା ଗାଁରେ। ହେଲେ ସେ କାନାଡାରେ ରୁହନ୍ତି। ନିକଟରେ ସେ ଭାରତ ଆସିଥିବା ବେଳେ ତାଙ୍କ ଗାଡ଼ି ଧକ୍କାରେ ଫୌଜା ସିଂହଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ରାତିରେ ପୁଲିସ୍ ତାଙ୍କୁ ଫୌଜା ସିଂହଙ୍କ ମୃତ୍ୟୁ ଘଟଣାରେ ଗିରଫ କରିଛି।
ପୁଲିସ୍ର କହିବା କଥା ଯେ ଫୌଜା ସିଂହଙ୍କ ଦୁର୍ଘଟଣା ପରେ ସେମାନେ କିଛି ସନ୍ଦିଗ୍ଧ ଗାଡ଼ିର ତାଲିକା ପ୍ରସ୍ତୁତ କରିଥିଲେ। ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଦୁର୍ଘଟଣା ଘଟାଇଥିବା ଫର୍ଚ୍ୟୁନର ଏସ୍ୟୁଭିକୁ ଚିହ୍ନଟ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି କରତାରପୁରରେ ରହୁଥିବା ବରିନ୍ଦର ସିଂହଙ୍କ ନାଁରେ ପଞ୍ଜିକୃତ ହୋଇଛି। ଏହି ତଥ୍ୟ ମିଳିବା ପରେ ପୁଲିସ୍ ଟିମ କରତାରପୁରେ ପହଞ୍ଚି ବରିନ୍ଦର ସିଂହଙ୍କୁ ଜେରା କରିଥିଲା।
ଜେରା ବେଳେ ଜଣାପଡ଼ିଥିଲା ଯେ ବରିନ୍ଦର ୨ ବର୍ଷ ତଳୁ ଅମରିତପାଲ ସିଂହ ଢିଲନଙ୍କୁ ଗାଡ଼ି ବିକ୍ରି କରି ସାରିଥିଲେ। ତାଙ୍କ ଠାରୁ ଖବର ପାଇବା ପରେ ପୁଲିସ୍ ଢିଲନଙ୍କ ପାଖରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା।
ପୁଲିସ୍ କହିଛି ଯେ ଢିଲନଙ୍କ ୩ ଜଣ ଭଉଣୀ ଓ ମା’ କାନାଡାରେ ରୁହନ୍ତି। ସେ ମଧ୍ୟ କାନାଡାରେ ରହୁଥିଲେ। କିନ୍ତୁ ନିକଟରେ ଭାରତକୁ ଆସିଥିଲେ। ଫୌଜା ସିଂହଙ୍କୁ ଧକ୍କା ଦେବା ପରେ ଢିଲନ ଜଲନ୍ଧର ସହର ଭିତରକୁ ଯାଇ ନଥିଲେ। ସେ ବିଭିନ୍ନ ଗାଁ ରାସ୍ତା ଦେଇ କରତାରପୁର ଘରେ ପହଞ୍ଚିଥିଲେ।
ପ୍ରାଥମିକ ପର୍ଯ୍ୟାୟ ପ୍ରଶ୍ନ ବେଳେ ଢିଲନ ଦୁର୍ଘଟଣାରେ ତାଙ୍କ ଗାଡ଼ି ସାମିଲ ଥିବା କଥାକୁ ସ୍ୱୀକାର କରିଛନ୍ତି। ତାଙ୍କ କହିବା କଥା ଯେ ସେ ନିଜର ଫୋନକୁ ମୁକେରିଆନରେ ବିକ୍ରି କରିବା ପରେ ଘରକୁ ଫେରୁଥିଲେ। ଏହି ସମୟରେ ବିଆସ ପିଣ୍ଡ ନିକଟରେ ତାଙ୍କ ଗାଡ଼ି ଜଣେ ବୟସ୍କ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲା।
ଢିଲନ ଦାବି କରିଛନ୍ତି ଯେ ତାଙ୍କ ଗାଡ଼ି ଫୌଜା ସିଂହଙ୍କୁ ଧକ୍କା ଦେଇଥିବା ସେ ଆଦୌ ଜାଣି ନଥିଲେ। ଏନେଇ ଖବର ପ୍ରକାଶ ପାଇବା ପରେ ସେ ଫୌଜା ସିଂହ ଜଣେ ମାରାଥନ ଧାବକ ଓ କାର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ।
ପୁଲିସ୍ ମଙ୍ଗଳବାର ଅମରିତପାଲ ସିଂହ ଢିଲନଙ୍କୁ ଗିରଫ କରିବା ସହ ତାଙ୍କ କାରକୁ ମଧ୍ୟ ଜବତ କରିଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଥିବା ପୁଲିସ୍ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Fauja__1752655660.jpg)