Advertisment

ଜୀବନ ଦୀପ ଜଳିବା ଆଗରୁ ଜଳିଗଲେ ପ୍ରେମପକ୍ଷୀ

ହୋଟେଲରେ ଅଗ୍ନିକାଣ୍ଡ ଯୋଗୁ ଏନଆରଆଇ କୃଷ୍ଣ ହାଲାଇ ଓ ତାଙ୍କ ୨୫ ବର୍ଷୀୟ ଭାବୀ ପତ୍ନୀ ରୂପାଲ ଭେକାରିଆ ପ୍ରାଣ ହରାଇଛନ୍ତି।

author-image
Hemant Lenka
Galaxy

Galaxy

ନୂଆ ଜୀବନ ଆରମ୍ଭ କରିବା ପାଇଁ ଦେଖୁଥିଲେ କେତେ କ’ଣ ସ୍ୱପ୍ନ। ହେଲେ ତା’ ପୂର୍ବରୁ ସବୁ କିଛି ଛାରଖାର ହୋଇଗଲା। ପରଦେଶକୁ ଉଡ଼ିବା ପୂର୍ବରୁ ଲିଭିଗଲା ଜୀବନ ଦୀପ। ମାୟାନଗରୀର ସେହି କାଳ କୋଠରୀରେ ଚାଲିଗଲା ପ୍ରେମୀ ଯୁଗଳଙ୍କ ପ୍ରାଣ।

Advertisment

ବାହାଘର ପାଇଁ ସରିଥିଲା ନିର୍ବନ୍ଧ। କେବଳ ହାତ ଗଣ୍ଠି ବାକି ଥିଲା। ମାତ୍ର କିଛି ଘଣ୍ଟାର ଯାତ୍ରା ପରେ ସାତ ଜନ୍ମ ପାଇଁ ପରସ୍ପରର ହାତ ଧରି ଥାଆନ୍ତେ। କିନ୍ତୁ ମୁମ୍ବାଇର ସାନ୍ତାକ୍ରୁଜ ସ୍ଥିତ ଗାଲାକ୍ସି ହୋଟେଲରେ ଲାଗିଥିବା ନିଆଁ ପ୍ରେମପକ୍ଷୀଙ୍କ ସବୁ ସ୍ୱପ୍ନକୁ ପୋଡ଼ି ପାଉଁଶ କରି ଦେଇଛି।

ହୋଟେଲରେ ଅଗ୍ନିକାଣ୍ଡ ଯୋଗୁ ଏନଆରଆଇ କୃଷ୍ଣ ହାଲାଇ ଓ ତାଙ୍କ ୨୫ ବର୍ଷୀୟ ଭାବୀ ପତ୍ନୀ ରୂପାଲ ଭେକାରିଆ ପ୍ରାଣ ହରାଇଛନ୍ତି। ରବିବାର ହୋଟେଲରେ ଲାଗିଥିବା ନିଆଁରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ୩ ଜଣଙ୍କ ମଧ୍ୟରେ କୃଷ୍ଣ ଓ ରୂପାଲ ରହିଛନ୍ତି।

Advertisment

ଏମାନେ ମହାରାଷ୍ଟ୍ରର ମୁମ୍ବାଇରୁ ବିମାନ ଯୋଗେ ନାଇରୋବି ଯିବାର ଥିଲା। ସେଠାରେ ପହଞ୍ଚିବା ପରେ ଉଭୟଙ୍କ ବିବାହ ହୋଇଥାଆନ୍ତା। ହେଲେ ତା’ ପୂର୍ବରୁ ସବୁ କିଛି ଶେଷ ହୋଇ ଯାଇଛି।

ରୂପାଲଙ୍କ ମା’ ଓ ଭଉଣୀ ମଧ୍ୟ ଗାଲାକ୍ସି ହୋଟେଲ ନିଆଁ ଲାଗିବା ଯୋଗୁ ଆହତ ହୋଇଛନ୍ତି। ଏମାନେ ସମସ୍ତେ ଗୋଟିଏ ନିର୍ଦ୍ଦିଷ୍ଟ ବିମାନରେ ନାଇରୋବି ଯିବାର ଥିଲା। କିନ୍ତୁ ବିମାନ ସମୟରେ ପରବର୍ତ୍ତନ ହେବାରୁ ସେମାନଙ୍କୁ ବିମାନ ସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ ଗ୍ରାଉଣ୍ଡ ପ୍ଲସ ୪ ମହଲା ବିଶିଷ୍ଟ ଗାଲାକ୍ସି ହୋଟେଲରେ ରଖାଯାଇଥିଲା। ସେମାନେ ସେଠାରେ ରହିଥିବା ବେଳେ ହଠାତ୍‌ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ କୃଷ୍ଣ ଓ ରୂପାଲଙ୍କ ସମେତ ୩ ଜଣ ପ୍ରାଣ ହରାଇଛନ୍ତି।

ଗୁଜରାଟର କଚ୍ଚ ଅନ୍ତର୍ଗତ ରାମପରା ଗାଁର ମୂଳବାସିନ୍ଦା ହେଉଛନ୍ତି କୃଷ୍ଣ। ରୂପାଲଙ୍କ ଘର ମଧ୍ୟ ଉକ୍ତ ଗାଁରେ। କିନ୍ତୁ ଉଭୟ ନାଇରୋବିରେ ସ୍ଥାୟୀ ଭାବେ ରହୁହନ୍ତି। ଗାଁର ସରପଞ୍ଚ ସୁରେଶ କାରା କହିଛନ୍ତି, ରବିବାର ମଧ୍ୟାହ୍ନରେ ହୋଟେଲର ତୃତୀୟ ମହଲାରେ ନିଆଁ ଲାଗିଥିଲା। ଏଥିରେ କୃଷ୍ଣ(୨୮), ରୂପାଲ(୨୫) ଓ କାନ୍ତିଲାଲ ଭାରା(୫୦) ପ୍ରାଣ ହରାଇଥିଲା। ରୂପାଲଙ୍କ ମା’ ମଞ୍ଜୁଲାବେନ(୪୯) ଓ ଅଳ୍ପା(୧୯) ଓ ଅସଲମ ଶେଖ(୪୮) ଏହି ଘଟଣାରେ ଆହତ ହୋଇଇଛନ୍ତି। କାନ୍ତିଲାଲଙ୍କ ସହ କୃଷ୍ଣ କିମ୍ବା ରୂପାଲଙ୍କ କୌଣସି ଲିଙ୍କ ନାହିଁ।

ଦୀର୍ଘ ବର୍ଷ ହେଲା କୃଷ୍ଣ ଓ ରୂପାଲଙ୍କ ପରିବାର ବିଦେଶରେ ରହୁଥିଲେ ହେଁ ସେମାନେ ନିଜ ଗାଁକୁ ଭୁଲି ନଥିଲେ। ସେମାନଙ୍କ ପୈତୃକ ଘର ଏବେ ବି ରାମପରାରେ ରହିଛି। ବେଳେବେଳେ ସେମାନେ ଏଠାକୁ ଆସନ୍ତି। କୃଷ୍ଣ ଓ ରୂପାଙ୍କ ନିର୍ବନ୍ଧ ଶେଷ ହୋଇ ସାରିଥିଲା। ସେମାନେ ଖୁବଶୀଘ୍ର ବିବାହ କରିଥାଆନ୍ତେ। ନାଇରୋବିରେ ବିମାନ ପହଞ୍ଚିବା ପରେ ବିବାହ ହେବାର ଥିଲା। ନାଇରୋବିରେ ସେମାନଙ୍କ ପରିବାର ଓ ସମ୍ପର୍କୀୟମାନେ ମଧ୍ୟ ରୁହନ୍ତି।

କୃଷ୍ଣ ରାମପରାରେ ଜନ୍ମ ଗ୍ରହଣ କରିଥିଲେ। କିନ୍ତୁ ରୂପାଲଙ୍କ ଜନ୍ମ ନାଇରୋବିରେ ହୋଇଥିଲା। କୃଷ୍ଣ ୧୩ ବର୍ଷର ହୋଇଥିବା ବେଳେ ନାଇରୋବି ଚାଲି ଯାଇଥିଲେ। ମାସକ ତଳେ କୃଷ୍ଣ, ରୂପାଲ ଓ ତାଙ୍କ ପରିବାର ଲୋକ ଏଠାକୁ ଆସିଥିଲେ। କୃଷ୍ଣଙ୍କ ସାନ ଭାଇଙ୍କ ବିବାହ ପାଇଁ ସମସ୍ତେ ଆସିଥିଲେ। ବାହାଘର ଓ କିଣାକିଣି ସରିବା ପରେ କୃଷ୍ଣ, ରୂପାଲ, ତାଙ୍କ ମା ଓ ଭଉଣୀ ଶନିବାର ଭାରତ ଛାଡ଼ିବାର ଥିଲା।

ଏଥିପାଇଁ ସେମାନେ ଅହମଦାବାଦରୁ ମୁମ୍ବାଇରେ ପହଞ୍ଚିଥିଲା। ତେବେ ବିମାନ ସମୟ ବଦଳି ଯିବାରୁ କମ୍ପାନୀ ପକ୍ଷରୁ ସେମାନଙ୍କୁ ଗାଲାକ୍ସି ହୋଟେଲରେ ରଖାଯାଇଥିଲା। କିନ୍ତୁ ଏହି ସମୟରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା ବୋଲି ସେ କହିଛନ୍ତି।

Mumbai Fire Breakout