Advertisment

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂଘ ନିର୍ବାଚନରେ NSUIର ବାଜିମାତ

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଅଧ୍ୟକ୍ଷ ଓ ଯୁଗ୍ମ ସମ୍ପାଦକ ପଦ ଜିତିଲା ଏନଏସୟୁଆଇ। ଉପାଧ୍ୟକ୍ଷ ଓ ସଚିବ ପଦରେ ଏବିଭିପିର ବିଜୟ।

author-image
Debadatta Aryashrestha
NSUI Celebration in Delhi University

NSUI Celebration in Delhi University

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ କଂଗ୍ରେସର ଛାତ୍ର ସଂଗଠନ ଏନ୍ଏସୟୁଆଇର ବାଜିମାତ। ପ୍ରାୟ ୭ ବର୍ଷ ପରେ ପୁଣିଥରେ ଏନ୍ଏସୟୁଆଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରସଂଘ ହାତେଇଛି। ଏନ୍ଏସୟୁଆଇର ଅଧ୍ୟକ୍ଷ ପ୍ରାର୍ଥୀ ରୌନକ କ୍ଷେତ୍ରୀ ବିପୁଳ ବିଜୟ ହାସଲ କରିଛନ୍ତି। ସେ ଏବିଭିପିର ଋଷଭ ଚୌଧୁରୀଙ୍କୁ ୧,୩୪୩ ଭୋଟରେ ପରାସ୍ତ କରିଛନ୍ତି। ତେବେ ବିଶ୍ୱବିଦ୍ୟାଳୟର ଉପାଧ୍ୟକ୍ଷ ଓ ସଚିବ ପଦରେ ଏବିଭିପି ବିଜୟ ହାସଲ କରିଛି।

Advertisment

ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ୨୭ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଥିଲା। ଛାତ୍ରସଂଘର ୪ଟି ପଦବୀ ପାଇଁ ୨୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଅଧ୍ୟକ୍ଷ ପଦବୀ ପାଇଁ ସର୍ବାଧିକ ୮ ଜଣ ପ୍ରାର୍ଥୀ ହୋଇଥିବାବେଳେ ଉପାଧ୍ୟକ୍ଷ ପଦ ପାଇଁ ୫ ଜଣ, ସାଧାରଣ ସମ୍ପାଦକ ପଦ ପାଇଁ ୪ ଜଣ ଓ ଯୁଗ୍ମ ସମ୍ପାଦକ ପଦରେ ୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ନିର୍ବାଚନରେ ମୁଖ୍ୟତଃ ଆରଏସ୍ଏସ୍ ସମର୍ଥିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ କଂଗ୍ରେସ ସମର୍ଥିତ ଏନଏସୟୁଆଇ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା।

ତେବେ ନିର୍ବାଚନ ଫଳାଫଳ ୨୮ ସେପ୍ଟେମ୍ବରରେ ଘୋଷଣା ହେବାର ଥିଲା। ହେଲେ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭୋଟ ଗଣତିରେ ବିଳମ୍ବ ହୋଇଥିଲା। ପ୍ରାୟ ୨ ମାସ ପରେ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସରେ ଶନିବାର ଭୋଟ ଗଣତି ହୋଇଥିଲା। ଏନଏସୟୁଆଇ ଛାତ୍ର ସଂସଦର ଅଧ୍ୟକ୍ଷ ପଦ ସହ ଯୁଗ୍ମ ସଚିବ ପଦ ହାତେଇଛି। ଛାତ୍ର ସଂଗଠନର ଲୋକେଶ ଚୌଧୁରୀ ଯୁଗ୍ମ ସଚିବ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ଏବିଭିପିର ଭାନୁ ପ୍ରତାପ ସିଂହ ଉପାଧ୍ୟକ୍ଷ ପଦ ଜିତିଥିବାବେଳେ ଏବିଭିପିର ମିତ୍ରଭିନ୍ଦା କରନୱାଲ ସାଧାରଣ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି।

Advertisment
ABVP NSUI Delhi University Elections Student Election