Advertisment

ନିଟ ଓ ୟୁଜିସି-ନେଟ ପ୍ରସଙ୍ଗ: ଶିକ୍ଷାମନ୍ତ୍ରୀଙ୍କ ଘରେ ଆଗରେ ଟଙ୍କା ଉଡ଼ାଇ ବିକ୍ଷୋଭ

ଆଜି ଏନଏସ୍‌ୟୁଆଇର ଶତାଧିକ ସଦସ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ସ୍ଥିତି ବାସଭବନ ଆଗରେ ଆନ୍ଦୋଳନ କରିଛନ୍ତି।

author-image
Hemant Lenka
NET

NET

ନିଟ ପ୍ରଶ୍ନପତ୍ର ଲିକ ଓ ୟୁଜିସି-ନେଟ ପରୀକ୍ଷା ରଦ୍ଦ ହେବା ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହା ବିରୋଧରେ ଆଜି କଂଗ୍ରେସର ଛାତ୍ର ସଂଗଠନ ଏନଏସ୍‌ୟୁଆଇ ବିକ୍ଷୋଭ ପ୍ରଦର୍ଶନ କରିଛି।

Advertisment

ଆଜି ଏନଏସ୍‌ୟୁଆଇର ଶତାଧିକ ସଦସ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ସ୍ଥିତି ବାସଭବନ ଆଗରେ ଆନ୍ଦୋଳନ କରିଛନ୍ତି। ସେମାନେ ନକଲି ୫୦୦ ଟଙ୍କିଆ ନୋଟକୁ ଉଡ଼ାଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ପୁଲିସ୍‌ ଅନେକ ଛାତ୍ର ନେତାଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇ ଅଟକ ରଖିଛି।

ମଙ୍ଗଳବାର ସମଗ୍ର ଦେଶରେ ୟୁଜିସି-ନେଟ ପରୀକ୍ଷା ହୋଇଥିଲା। କିନ୍ତୁ ପରୀକ୍ଷାର ସ୍ୱଚ୍ଛତାରେ ବୁଝାମଣା ହୋଇଥିବା ଜଣାପଡ଼ିବା ପରେ ବୁଧବାର ଶିକ୍ଷା ମନ୍ତ୍ରଣାଳୟ ଏହାକୁ ରଦ୍ଦ କରି ଦେଇଥିଲା। ସେହିପରି ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ ଘଟଣାକୁ ନେଇ ଶିକ୍ଷା ମନ୍ତ୍ରଣାଳୟ ବିବାଦରେ ରହିଛି।

Advertisment

ଏହି ଦୁଇ ପ୍ରସଙ୍ଗକୁ ଭିତ୍ତି କରି ଆଜି ଏନଏସ୍‌ୟୁଆଇର ଜାତୀୟ ସଭାପତି ବରୁଣ ଚୌଧୁରୀଙ୍କ ନେତୃତ୍ୱରେ ଶତାଧିକ ସଦସ୍ୟ ଶ୍ରୀ ପ୍ରଧାନଙ୍କ ଘର ବାହାରେ ଏକାଠି ହୋଇଥିଲେ। ଏହାପରେ ସେମାନେ ପ୍ରବେଶିକା ପରୀକ୍ଷା କରୁଥିବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସିକୁ ବ୍ୟାନ କରିବାକୁ ଦାବି କରିଛନ୍ତି।

ସେହିପରି ନିଟ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଅଭିଯୋଗର ତଦନ୍ତ ଦାବି କରିଛନ୍ତି। ଛାତ୍ର ନେତାମାନେ ଏନଟିଏରେ ହୋଇଥିବା ତଥାକଥିତ ଦୁର୍ନୀତି ବିରୋଧରେ ନାରାବାଜୀ କରି ଶିକ୍ଷାମନ୍ତ୍ରୀଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଏନଟିଏରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଛାତ୍ର ନେତା ଚୌଧୁରୀ ଗୋଟିଏ ଅଖା ବ୍ୟାଗରେ ଆଣିଥିବା ଟଙ୍କାକୁ ଦେଖାଇଥିଲେ। ଏହା ମଧ୍ୟରେ ନକଲି ୫୦୦ ଟଙ୍କିଆ ନୋଟ୍‌ ଭର୍ତ୍ତି ହୋଇ ରହିଥିଲା। ସେ ଟଙ୍କା ଉଡ଼ାଇ ଘଟଣାର ଶୀଘ୍ର ତଦନ୍ତ ଦାବି କରିଥିଲେ।

ଏନଏସ୍‌ୟୁର ଜଣେ ସଦସ୍ୟ କହିଛନ୍ତି, “ଏନଏସ୍‌ୟୁଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ବରୁଣ ଚୌଧୁରୀଙ୍କ ନେତୃତ୍ୱରେ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଆଗରେ ଟଙ୍କା ଉଡ଼ାଇ ବିକ୍ଷୋଭ କରାଯାଇଛି।

କୋଚିଂ ସେଣ୍ଟର ଓ ପିଲାମାନଙ୍କ ଠାରୁ ଟଙ୍କା ନେଇ ପ୍ରଶ୍ନପତ୍ର ଲିକ କରାଯିବା ଘଟଣାକୁ ବନ୍ଦ କରାଯାଉ। ଶିକ୍ଷାମନ୍ତ୍ରୀ ଯେତେ ଟଙ୍କା ଦରକାର, ସେସବୁ ଏନଏସ୍‌ୟୁଆଇ ଯୋଗାଇ ଦେବ। କିନ୍ତୁ ପିଲାଙ୍କ ଭିବଷ୍ୟତ ସହ ଚାଲିଥିବା ଖେଳକୁ ବନ୍ଦ କରାଯାଉ। ଏଥିସହ ଏନଟିଏକୁ ବ୍ୟାନ କରାଯାଉ।”

Congress Dharmendra Pradhan NEET NEET Result UGC