Advertisment

ଜିହାଦ ଜେନେରାଲଙ୍କ ଆଣବିକ ଧମକ: ଧୋଇଲା ଭାରତ

ଆଣବିକ ଧମକ ଦେବା ପାକିସ୍ତାନର ନିୟମିତ କାମ ବା ଅଭ୍ୟାସରେ ପରିଣତ ହୋଇ ଗଲାଣି। ଗୋଟିଏ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରରୁ ତୃତୀୟ ଦେଶ ବିରୋଧରେ ଏପରି ବୟାନ ଦେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ମନ୍ତ୍ରଣାଳୟ କହିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Munir

Munir

ପାକିସ୍ତାନର ଜିହାଦ ଜେନେରାଲ ଆସିଫ ମୁନିରଙ୍କ ଆଣିବକ ଧମକର କଡ଼ା ଜବାବ ଦେଇଛି ଭାରତ। ରବିବାର ଆମେରିକାରୁ ଭାରତକୁ ପରମାଣୁ ଧମକ ଦେଇଥିଲେ ପାକିସ୍ତାନ ସେନା ମୁଖ୍ୟ। ଆଜି ଭାରତର ବୈଦେଶିକ ମନ୍ତ୍ରଣାଳୟ ଗୋଟିଏ ବିବୃତି ଜରିଆରେ ମୁନିରଙ୍କ ବୟାନ ଉପରେ କଡ଼ା ପ୍ରତିକ୍ରିୟା ରଖିଛି।

Advertisment

ଆଣବିକ ଧମକ ଦେବା ପାକିସ୍ତାନର ନିୟମିତ କାମ ବା ଅଭ୍ୟାସରେ ପରିଣତ ହୋଇ ଗଲାଣି। ଗୋଟିଏ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରରୁ ତୃତୀୟ ଦେଶ ବିରୋଧରେ ଏପରି ବୟାନ ଦେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ମନ୍ତ୍ରଣାଳୟ କହିଛି।

ଆମେରିକା ଫ୍ଲୋରିଡାରେ ପାକିସ୍ତାନ ବଂଶୋଦ୍ଭବଙ୍କୁ ସମ୍ବୋଧନ କରିବା ବେଳେ ଫିଲ୍ଡ ମାର୍ଶଲ ମୁନିର ଆଣବିକ ଧମକ ଦେଇଥିଲେ। ଯଦି ଭବିଷ୍ୟତ ଯୁଦ୍ଧରେ ପାକିସ୍ତାନ ପରାଜୟର ବିପଦ ସାମ୍ନା କରିବା ସ୍ଥିତିର ସମ୍ମୁଖୀନ ହେବ, ତା’ହେଲେ ଇସଲାମାବାଦ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ପଛାଇବ ନାହିଁ।

Advertisment

ଏପରି ବୟାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଆଜି ବୈଦେଶିକ ମନ୍ତ୍ରଣାଳୟ କହିଛି, “ଅନ୍ତର୍ଜାତୀୟ ସମୂହ ଏପରି ଦାୟିତ୍ୱହୀନ ଟିପ୍ପଣୀରୁ ନିଜର ନିଷ୍କର୍ସ ପାଇ ସାରିଥିବେ। ଆତଙ୍କବାଦୀ ସଂଗଠନ ସହ ହାତ ମିଳାଇ ସାରିଥିବା ଦେଶର ସେନା ପାଖରେ ଆଣବିକ କମାଣ୍ଡ ଓ ନିୟନ୍ତ୍ରଣ ରହିଛି। ଏବେ ଏହାର ପରିଚାଳନାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି।”

ମନ୍ତ୍ରଣାଳୟ ପକ୍ଷରୁ ଆଣବିକ ବ୍ଲାକମେଲକୁ ନେଇ ଭାରତ ଆଦୌ ଡରିବ ନାହିଁ ଓ ଦେଶର ସୁରକ୍ଷା ପାଇଁ ସବୁ ପ୍ରକାରର ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ପ୍ରସ୍ତୁତ ରହିଥିବା ସ୍ପଷ୍ଟ କରାଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ “ପାକିସ୍ତାନ ଏମିତି ଏକ ଦାୟିତ୍ୱହୀନ ରାଷ୍ଟ୍ର ଯାହା ପାଖରେ ଆଣବିକ ଯୁଦ୍ଧାସ୍ତ୍ର ରହିଛି। ଆଣବିକ ଧମକ ଦେବା ପାକିସ୍ତାନର ଅଭ୍ୟାସରେ ପରିଣତ ହୋଇଛି। ଭାରତ ଆଣବିକ ବ୍ଲାକମେଲରେ ଆଦୌ ପଛ ଘୁଞ୍ଚାଇ ଦେବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରି ସାରିଛି।

ଆମ ଜାତୀୟ ସୁରକ୍ଷା ପାଇଁ ଆମେ ସବୁ ପ୍ରକାରର ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତୁତ। ଗୋଟିଏ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରର ମାଟିରୁ ତୃତୀୟ ଦେଶ ପ୍ରତି ଏପରି ବୟାଦ ଦିଆଯିବା ମଧ୍ୟ ଅତ୍ୟନ୍ତ ପରିତାପରା ବିଷୟ।”

କ’ଣ କହିଥିଲେ ଆସିମ ମୁନିର?

ଭାରତ ସହିତ ଭବିଷ୍ୟତ ଯୁଦ୍ଧରେ ଯଦି ପାକିସ୍ତାନ ନିଜର ପରାଜୟକୁ ସାମ୍ନା କରିବା ସ୍ଥିତିରେ ପହଞ୍ଚିବ, ତା’ହେଲେ ନିଜ ସହ ଅଧା ବିଶ୍ୱକୁ ଧଂସ କରିବାକୁ ପଛାଇବ ନାହିଁ ବୋଲି ମୁନିର କହିଥିଲେ। ଆମେରିକା ମାଟିରୁ କୌଣସି ତୃତୀୟ ରାଷ୍ଟ୍ର ବିରୋଧରେ ଏପରି ଆଣବିକ ଧମକ ଦିଆଯିବା ଘଟଣା ପ୍ରଥମଥର ପାଇଁ ପୂରା ବିଶ୍ୱ ଦେଖିଛି।

ମୁନିର କହିଥିଲେ, “ଆମେ ଗୋଟିଏ ଆଣବିକ ଶକ୍ତି ସମ୍ପନ୍ନ ଦେଶ। ଯଦି ଆମେ ହାରିବାକୁ ଯାଉଥିବା ଦେଖିବାକୁ, ତା’ହେଲେ ଆମେ ଅଧା ବିଶ୍ୱକୁ ନିଜ ସହ ନେଇ ବୁଡ଼ିବୁ।” ସିନ୍ଧୁ ନଦୀ ଜଳକୁ ରୋକିବା ପାଇଁ ଭାରତ ଯଦି କୌଣସି ଡ୍ୟାମ ନିର୍ମାଣ କରିବ, ତା’ହେଲେ ଏହାକୁ ମଧ୍ୟ ଉଡ଼ାଇ ଦିଆଯିବ ବୋଲି ମୁନିର ଧମକ ଦେଇଥିଲେ।

ସେ କହିଥିଲେ, “ଆମେ ଭାରତର ଡ୍ୟାମ ନିର୍ମାଣ କାମକୁ ଅପେକ୍ଷା କରିଛୁ। ଯେତେବେଳେ ସେମାନେ ଡ୍ୟାମ କରିବେ, ଆମେ ତା’କୁ ୧୦ଟି ମିସାଇଲ ଦ୍ୱାରା ଉଡ଼ାଇ ଦେବୁ। ସିନ୍ଧୁ ନଦୀ ଜଳ ଭାରତର ପାରିବାରିକ ସମ୍ପତ୍ତି ନୁହେଁ। ଆମ ପାଖରେ ମିସାଇଲର ଅଭାବ ନାହିଁ। ”

Pakistan India Asim Munir