Advertisment

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ: ବିଲ୍‌ ପାସ୍‌ ପାଇଁ ସରକାରଙ୍କ ନିକଟରେ ସଂଖ୍ୟା ଅଛି ତ?

ଲୋକସଭାରେ ଅବଶ୍ୟ ଦଳର ସଂଖ୍ୟା ଗରିଷ୍ଠତା ରହିଛି। ହେଲେ ସମ୍ବିଧାନ ସଂଶୋଧନ ପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଦରକାର। ଏହି ସଂଖ୍ୟାକୁ ବିଜେପି ହାସଲ କରିପାରିବ କି ନାହିଁ, ସେହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Vote

Vote

ବିଜେପି ନେତୃତ୍ୱାଧୀନ କେନ୍ଦ୍ରର ଏନଡିଏ ସରକାରଙ୍କ ପକ୍ଷରୁ ଆଜି ଲୋକସଭାରେ ବହୁ ପ୍ରତୀକ୍ଷିତ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ ଆଗତ କରାଯାଇଛି। ଏହାକୁ ବାସ୍ତବ ରୂପ ଦେବା ପାଇଁ ସମ୍ବିଧାନରେ ସଂଶୋଧନ ଆବଶ୍ୟକ। ହେଲେ ବିଲ ପାସ୍‌ ପାଇଁ ଶାସକ ମେଣ୍ଟ ପାଖରେ ଆବଶ୍ୟକ ସଂଖ୍ୟା ରହିଛି ତ?

Advertisment

ଲୋକସଭାରେ ଅବଶ୍ୟ ଦଳର ସଂଖ୍ୟା ଗରିଷ୍ଠତା ରହିଛି। ହେଲେ ସମ୍ବିଧାନ ସଂଶୋଧନ ପାଇଁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଦରକାର। ଶାସକ ମେଣ୍ଟ ଏହି ସଂଖ୍ୟା ହାସଲ କରିପାରିବ କି ନାହିଁ, ସେହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରିବାରେ ଲାଗିଛି।

ଏହି ବିଲରେ ରାଜ୍ୟ ବିଧାନସଭାଗୁଡ଼ିକ କାର୍ଯ୍ୟକାଳ ପରିବର୍ତ୍ତନ ଓ ଏଗୁଡ଼ିକୁ ଭଙ୍ଗ କରିବାର ପ୍ରସ୍ତାବ ରହିଛି। ସେହିପରି ଲୋକସଭାର କାର୍ଯ୍ୟକାଳ ସହ ବିଧାନସଭାଗୁଡ଼ିକର କାର୍ଯ୍ୟକାଳ ସଂଯୁକ୍ତ କରିବାର ପ୍ରାବଧାନ ରହିଛି। ଏହାବାଦ ଦିଲ୍ଲୀ, ଜମ୍ମୁ-କଶ୍ମୀର ଓ ପୁଡୁଚେରୀ ଭଳି କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭାରେ ମଧ୍ୟ ସମାନ ପରିବର୍ତ୍ତନ ଆଣିବାର ବ୍ୟବସ୍ଥା ବିଲରେ କରାଯାଇଛି।

Advertisment

ବିରୋଧୀଙ୍କ ପ୍ରବଳ ବିରୋଧ ପରେ ଆଜି ଲୋକସଭାରେ ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲକୁ ଆଗତ କରିଛନ୍ତି। କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି, ଡିଏମକେ, ଏଆଇଏମଆଇଏମ ଓ ଅନ୍ୟ କେତେକ ଛୋଟ ଛୋଟ ଦଳ ଏହାକୁ ବିରୋଧ କରିଛନ୍ତି। ଏହା ଭାରତର ସାମ୍ବିଧାନିକ ଢାଞ୍ଚା ବିରୋଧୀ ବିଲ ବୋଲି ସେମାନେ କହିଛନ୍ତି।

ବିଜେପିର ସହଯୋଗୀ ଟିଡିପି, ଜେଡିୟୁ ଓ ଏକନାଥ ସିନ୍ଦେଙ୍କ ଶିବସେନା କିନ୍ତୁ ବିଲକୁ ସମର୍ଥନ କରିଛନ୍ତି। ବିଲକୁ ଗୃହରେ ଉପସ୍ଥାନ ପାଇଁ ଭୋଟ ହୋଇଥିଲା। ଏହି ସମୟରେ ଏନଡିଏ ନିକଟରେ ସମ୍ବିଧାନ ସଂଶୋଧନ ପାଇଁ ଆବଶ୍ୟକ ସଂଖ୍ୟା ନଥିବା ସ୍ପଷ୍ଟ ହୋଇଛି। ବିଲ ସପକ୍ଷରେ ୨୬୯ ଭୋଟ ପଡ଼ିଥିବା ବେଳେ ଏହା ବିରୋଧରେ ୧୯୮ ଖଣ୍ଡ ଭୋଟ ପଡ଼ିଛି।

ଡିଭିଜନ ଭୋଟ ପରେ କଂଗ୍ରେସ ପକ୍ଷରୁ ମଣିକମ ଟାଗୋର ଓ ଶଶି ଥରୁର ବିଲ ବିରୋଧରେ ମତ ରଖି ସମ୍ବିଧାନ ସଂଶୋଧନ ବିଲ ପାସ କରାଇବା ପାଇଁ ସରକାରଙ୍କ ନିକଟରେ ଦୁଇ ତୃତୀୟାଂଶ ସମର୍ଥନ ନଥିବା କହିଛନ୍ତି।

ଶ୍ରୀ ଟାଗୋର କହିଛନ୍ତି, “ମୋଟ ୪୬୧ ଜଣ ସଦସ୍ୟ ଆଜି ଗୃହରେ ଉପସ୍ଥିତ ଥିଲେ। ଏହାର ଦୁଇ ତୃତୀୟାଂଶ ଅର୍ଥାତ ବିଲ ପାସ୍‌ ପାଇଁ ୩୦୭ ଖଣ୍ଡ ଭୋଟ ଦରକାର। ସରକାର ୨୬୯ ଖଣ୍ଡ ଭୋଟ ପାଇଥିବା ବେଳେ ବିରୋଧୀଙ୍କ ଖାତାକୁ ୧୯୮ ଖଣ୍ଡ ଭୋଟ ଯାଇଛି। ୱାନ ନେଶନ, ୱାନ ଇଲେକ୍ସନ ପ୍ରସ୍ତାବ ଦୁଇ ତୃତୀୟାଂଶ ସମର୍ଥନ ପାଇବାକୁ ଫେଲ ମାରିଛି।”

ଥରୁର କହିଛନ୍ତି ଯେ “ନିଃସନ୍ଦେହରେ ସରକାରଙ୍କ ପାଖରେ ଅଧିକ ସଂଖ୍ୟା ରହିଛି। କିନ୍ତୁ ଏହାକୁ(ସମ୍ବିଧାନକୁ ସଂଶୋଧନ କରିବାକୁ ଆସିଥିବା ବିଲ) ପାସ କରିବା ପାଇଁ ୨/୩ ସଂଖ୍ୟାଗରିଷ୍ଠତା ଦରକାର। ସେମାନଙ୍କ ପାଖରେ ଏହି ସଂଖ୍ୟା ନାହିଁ। ସେମାନେ ଏହି ସଂଖ୍ୟା ଧରି ବେଶୀ ସମୟ ତିଷ୍ଠି ପାରିବେ ନାହିଁ।”

ଲୋକସଭାରେ କୌଣସି ବିଲ୍‌ ଉପସ୍ଥାପନ କରିବା ପାଇଁ ସରକାରଙ୍କ ପାଖରେ ସଂଖ୍ୟା ରହିଛି ସତ। ହେଲେ ସମ୍ବିଧାନକୁ ସଂଶୋଧନ ପାଇଁ ଆସିଥିବା ବିଧେୟକକୁ ପାସ୍‌ କରିବା ସକାଶେ ଉପସ୍ଥିତ ଓ ଭୋଟିଂ କରୁଥିବା ମୋଟ ସଦସ୍ୟଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସାଂସଦଙ୍କ ସମର୍ଥନ ଦରକାର।

ଯଦି ଆଜିର ଡିଭିଜନ ଭୋଟକୁ ବିଚାରକୁ ନିଆଯାଏ, ତା’ହେଲେ ସମ୍ବିଧାନ ସଂଶୋଧନ ପାଇଁ ସରକାରଙ୍କ ପ୍ରସ୍ତାବ ସଂପୂର୍ଣ୍ଣ ଭାବେ ଧରାଶାୟୀ ହେବ। ସେହିପରି ବିଜେପି ଓ ଏହାର ସମସ୍ତ ସହଯୋଗୀଙ୍କ ସଂଖ୍ୟାକୁ ଯଦି ମିଶାଯିବ, ତା’ହେଲେ ବିଲ୍‌କୁ ସମର୍ଥନ କରୁଥିବା ସାଂସଦଙ୍କ ସଂଖ୍ୟା ୨୯୩ରେ ପହଞ୍ଚିବ। ଏହାପରେ ମଧ୍ୟ ବିଲ ପାସ ପାଇଁ ୧୪ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ।

କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ ପାଖରେ ୨୩୪ ଜଣ ସାଂସଦ ରହିଛନ୍ତି। ଏପରି ସ୍ଥିତିରେ ବିଲ ପାସ୍‌ କରାଇବା ପାଇଁ ବିଜେପି NDAରେ ନଥିବା ୱାଇଏସ୍‌ଆର କଂଗ୍ରେସ ଓ ଅକାଳୀ ଦଳର ସହାୟତା ନେଇପାରେ। ତେବେ ୱାଇଏସଆର ପାଖରେ ୪ ଜଣ ଓ ଅକାଳୀ ପାଖରେ କେବଳ ଜଣେ ସାଂସଦ ରହିଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୱାନ ନେଶନ, ୱାନ ଇଲେକ୍ସନ ବିଲ ପାସ କରିବା ପାଇଁ ଆହୁରି ୯ ଜଣ ସାଂସଦଙ୍କ ସହଯୋଗ ଲୋଡ଼ା ପଡ଼ିବ।

ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦି ବିଲକୁ ଅଧିକ ବିସ୍ତୃତ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ନିକଟକୁ ପଠାଇବାକୁ ଚାହୁଁଛନ୍ତି। ଏହି କମିଟିରେ ବିଜେପିର ଅଧିକ ସଦସ୍ୟ ରହିଛନ୍ତି। କମିଟିର ନେତୃତ୍ୱ ମଧ୍ୟ ବିଜେପି ନେବ। ସେହି କମିଟି ବିଲ୍‌କୁ ଅନୁମୋଦନ ଦେଲେ ମଧ୍ୟ ତାହା ପୁଣି ଥରେ ଲୋକସଭାରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠ ସମର୍ଥନରେ ପାଶ୍‌ ହେବା ଦରକାର।

Lok Sabha Session Lok Sabha Speaker One Nation One Election One Nation One Poll