/odisha-reporter/media/post_attachments/uploadimage/library/16_9/16_9_0/Nurse_1725183534.jpg)
Nurse
କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ସରକାର ଓ ପୁଲିସ ଅକଳରେ ପଡ଼ିଥିବା ବେଳେ ସେଠାରୁ ଆଉ ଏକ ଉଦ୍ବେଗଜନକ ଖବର ଆସିଛି। ଗତକାଲି ରାତିରେ ବୀରଭୂମର ଇଲାମବାଜାର ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ରୋଗୀ ଜଣେ ନର୍ସଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଘଟଣାର ଅଧିକ ତଦନ୍ତ କରୁଛି।
ଅଭିଯୁକ୍ତଙ୍କୁ ଜ୍ୱର ହେଉଥିଲା। ତେଣୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ଆଣିଥିଲେ। ତାଙ୍କୁ ଏମର୍ଜେନ୍ସୀରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ନର୍ସ ଜଣଙ୍କ ଅଭିଯୁକ୍ତଙ୍କ ସାଲାଇନ ଦେଇଥିଲେ। ତେବେ ସାଲାଇନ ଦେବା ବେଳେ ସେ ନର୍ସଙ୍କୁ ଅସଦାଚରଣ କରିଥିଲେ। ନର୍ସଙ୍କ କହିବା ଅନୁଯାୟୀ,ଅଭିଯୁକ୍ତ ତାଙ୍କ ଶରୀରକୁ ଭୁଲ ଢଙ୍ଗରେ ସ୍ପର୍ଶ କରିଥିଲେ। ତାଙ୍କ ପ୍ରାଇଭେଟ୍ ପାର୍ଟଙ୍କୁ ମଧ୍ୟ ସ୍ପର୍ଶ କରିଥିଲେ। ଏହା ସହିତ କିଛି ଅପଶବ୍ଦ କହିଥିଲେ। ଅଭିଯୁକ୍ତ ଏଭଳି କାଣ୍ଡ କଲା ବେଳେ ତାଙ୍କ ପରିବାର ଲୋକେ ସେଠାରେ ଉପସ୍ଥିତ ଥିଲେ। କିନ୍ତୁ ସେମାନେ ତାଙ୍କୁ ଏଥିରୁ ନିବୃତ୍ତ ରହିବା ପାଇଁ କହି ନଥିଲେ।
ନର୍ସ ଜଣଙ୍କ କହିଛନ୍ତି ଯେ ସୁରକ୍ଷା ବ୍ୟବସ୍ଥାର ଅଭାବ ଯୋଗୁ ତାଙ୍କ ସହିତ ଏମିତି ଏକ ଘଟଣା ଘଟିଛି। ନହେଲେ ଜଣେ ରୋଗୀ କେମିତି ଜଣେ କାର୍ଯ୍ୟରତ ନର୍ସଙ୍କ ସହିତ ଏମିତି କରିବାକୁ ସାହସ କରିପାରିବ।
ଏହି ଘଟଣାକୁ ନେଇ ଗତକାଲି ରାତିରେ ବେଶ୍ କିଛି ସମୟ ଧରି ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା। ନର୍ସଙ୍କଠାରୁ ଅଭିଯୋଗ ପାଇବା ମାତ୍ରେ ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଡାକ୍ତରଖାନାରେ ପହଞ୍ଚି ପଚରାଉଚରା କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଅନ୍ୟପକ୍ଷରେ ରାଜ୍ୟର ହାୱଡାର ଏକ ଡାକ୍ତରଖାନାରେ ଏଭଳି ଏକ ଘଟଣା ଘଟିଛି। ସେଠାରେ ଜଣେ ୧୩ ବର୍ଷର ଝିଅକୁ ଜଣେ ଲାବୋରଟୋରୀ ଟେକ୍ନିସିଆନ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ନିମୋନିଆରେ ପୀଡ଼ିତ ଥିବା ଏହି ନାବାଳିକାଙ୍କୁ ସିଟି ସ୍କାନ ପାଇଁ ନିଆଯାଇଥିବା ବେଳେ ଉକ୍ତ ଲାବୋରଟୋରୀ ଟେକ୍ନିସିଆନ ତାଙ୍କୁ ଅସଦାଚରଣ କରିଥିଲେ। ଝିଅଟି ସିଟି ସ୍କାନ ରୁମ୍ରୁ କାନ୍ଦି କାନ୍ଦି ବାହାରକୁ ଦୌଡ଼ି ପଳାଇ ଆସି ବାହାରେ ବସିଥିବା ତାଙ୍କ ମା’ଙ୍କୁ ସବୁ କଥା କହିଥିଲେ। ଏହା ପରେ ଡାକ୍ତରଖାନାରେ ଥିବା ଅନ୍ୟ ରୋଗୀମାନଙ୍କ ସଂପର୍କୀୟମାନେ ଏକାଠି ହୋଇ ଘଟଣାର ପ୍ରତିବାଦ କରିଥିଲେ। ଏମିତିକି ସେମାନେ ଅଭିଯୁକ୍ତଙ୍କୁ ଘେରିଯାଇ ମାରପିଟ କରିବାକୁ ଉଦ୍ୟମ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଝିଅଟିର ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ଅମନ ରାଜଙ୍କୁ ଗିରଫ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
