/odisha-reporter/media/post_attachments/uploadimage/library/16_9/16_9_0/CAMA_1744341350.jpg)
CAMA
ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଆମେରିକା ପ୍ରତ୍ୟର୍ପିତ କରିବା ପରେ ପୁଣିଥରେ ସେହି ଭୟଙ୍କର ଘଟଣାର ସ୍ମୃତି ତାଜା ହୋଇଯାଇଛି। ୨୦୦୮ ମସିହା ନଭେମ୍ବର ୨୬ରୁ ୩ ଦିନ ଧରି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବାର ୧୦ ଜଣ ଆତଙ୍କବାଦୀ ନରସଂହାର କରିଥିଲେ। ହମଲାକୁ ୧୬ ବର୍ଷ ବିତି ଯାଇଥିଲେ ହେଁ ସେଦିନର କଳା ରାତିର ସାମ୍ନା କରିଥିବା ଲୋକମାନେ ଏଯାଏ ଏହାକୁ ଭୁଲି ନାହାନ୍ତି।
ହମଲା ବେଳେ ନିଜ ଜୀବନକୁ ବାଜିରେ ଅନେକ ଲୋକ ଲଗାଇଥିଲେ। ସେମାନେ ଆତଙ୍କବାଦୀ ହମଲାକୁ ନିଜ ଆଖିରେ ଦେଖି ମଧ୍ୟ କର୍ତ୍ତବ୍ୟରେ ଅବହେଳା କରି ନଥିଲେ। ସେହିପରି ହିରୋମାନଙ୍କ ପାଇଁ ଅନେକ ଜୀବନ ମଧ୍ୟ ବଞ୍ଚି ଯାଇଥିଲା। ଏହି ହରୋମାନଙ୍କ ମଧ୍ୟରୁ ଜଣେ ହେଲେ ନର୍ସ ଅଞ୍ଜଳୀ କୁଲଥେ। ମୁମ୍ବାଇ କାମା ହସ୍ପିଟାଲରେ କାମ କରୁଥିବା ଅଞ୍ଜଳୀ ଆତଙ୍କବାଦୀ ହମଲା ବେଳେ ୨୦ ଜଣ ଗର୍ଭବତୀଙ୍କ ଜୀବନ ବଞ୍ଚାଇଥିଲେ। ସେହିପରି ଆତଙ୍କବାଦୀଙ୍କ ଗୁଳି ବର୍ଷା ମଧ୍ୟରେ ଜଣେ ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ ବି କରାଇଥିଲେ। ଉକ୍ତ ଗର୍ଭବତୀ ଜଣଙ୍କ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ତଥାପି ନର୍ସ ଅଞ୍ଜଳୀ ସୁରକ୍ଷିତ ଭାବେ ତାଙ୍କର ପ୍ରସବ କରାଇଥିଲେ।
୨୦୦୮ ମସିହା ନଭେମ୍ବର ୨୬ ତାରିଖ। ସମୟ ରାତି ପ୍ରାୟ ୯.୩୦ ହେବ। ଆତଙ୍କବାଦୀମାନେ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନାଲରେ ନରସଂହାର କରିବା ପରେ କାମା ହସ୍ପିଟାଲ ଆଡ଼କୁ ଯାଇଥିଲେ। ଏ ଖବର ହସ୍ପିଟାଲରେ ପହଞ୍ଚିବା ପରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଖବର ମିଳିବାର ମାତ୍ର କିଛି ମିନିଟ ପରେ ହସ୍ପିଟାଲର ପଛ ପାଖରେ ଥିବା ଗୋଟିଏ ଗଳି ଭିତରୁ ଗୁଳି ମାଡ଼ର ଶବ୍ଦ ଶୁଣିବାକୁ ମିଳିଥିଲା। ଆତଙ୍କବାଦୀମାନେ ହସ୍ପିଟାଲରେ ଆକ୍ରମଣ କରିବାକୁ ଆସୁଥିବା ଏକପ୍ରକାରର ନିଶ୍ଚିତ ହୋଇ ସାରିଥିଲା।
ଅଞ୍ଜଳୀ ସେଦିନର ଘଟଣା ସମ୍ପର୍କରେ କହିଛନ୍ତି, “ଆମେ ହସ୍ପିଟାଲରେ ଝରକା ପଟେ ଦେଖିବାକୁ ପାଇଥିଲୁ ଯେ ୨ ଜଣ ଆତଙ୍କବାଦୀ ବନ୍ଧୁକ ଧରି ଦୌଡ଼ୁଛନ୍ତି। ପୁଲିସ୍ ସେମାନଙ୍କ ପିଛା କରୁଛି। ଦୁଇ ଆତଙ୍କବାଦୀ ଗେଟ ଡେଇଁ ହସ୍ପିଟାଲ ପରିସରରେ ପଶିଥିଲେ। ପ୍ରଥମେ ସେମାନେ ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ଗୁଳି କରିବାର ମୁଁ ନିଜେ ଦେଖିଛି। ଆମକୁ ଝରକା ପାଖରେ ଦେଖି ଆଖି ବୁଜା ଗୁଳି ଚଳାଇଥିଲେ। ଏଥିରେ ଆମର ଜଣେ ନର୍ସ ଆହତ ବି ହୋଇଥିଲେ। ମୁଁ ତାଙ୍କୁ କାଜୁଆଲିଟୀକୁ ନେବା ସହ ଆତଙ୍କବାଦୀମାନେ ହସ୍ପିଟାଲରେ ପଶି ସାରିଥିବା ସମସ୍ତଙ୍କୁ ଜଣାଇଥିଲି।”
ନର୍ସ ଅଞ୍ଜଳୀ ସହକର୍ମୀଙ୍କ ଚିକିତ୍ସା କରିବା ପରେ ତୁରନ୍ତ ୱାର୍ଡର ମୁଖ୍ୟ ଫାଟକୁ ବନ୍ଦ କରି ଦେଇଥିଲେ। ଏହାପରେ ୨୦ ଜଣ ରୋଗୀଙ୍କୁ ଛୋଟ ପ୍ୟାଣ୍ଟ୍ରୀ ମଧ୍ୟକୁ ନେଇ ଯାଇଥିଲେ। ମୋବାଇଲ ଓ ଲାଇଟ ବନ୍ଦ କରିଥିଲେ ଓ ଅନ୍ଧାରରେ ସମସ୍ତେ ଚୁପଚାପ ବସି ରହିଥିଲେ। ଏତିକି ବେଳେ ଉଚ୍ଚ ରକ୍ତଚାପ ରୋଗୀଙ୍କ ପ୍ରସବ ଯନ୍ତ୍ରଣା ବଢ଼ିଥିଲା। ହସ୍ପିଟାଲରେ ଗୁଳି ବିନିମୟ ଚାଲିଥିବାରୁ ଡାକ୍ତର ୱାର୍ଡକୁ ଆସି ପାରି ନଥିଲେ।
ହେଲେ ନର୍ସ ଅଞ୍ଜଳୀ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କୁ ପାହାଚ ପଟେ ପ୍ରସବ ରୁମକୁ ନେଇଥିଲେ। ସେ ବେଶ ସତର୍କତାର ସହ କାନ୍ଥର ସାହାରାରେ ଲେବର ରୁମ ଆଡ଼କୁ ଯାଇଥିଲେ। ଲେବର ରୁମରେ ପହଞ୍ଚିବା ପରେ ମହିଳା ଜଣଙ୍କ ତା’ ପରଦିନ ସକାଳେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଗୁଳି ବିନିମୟ ଭିତରେ ଏତେ ସବୁ ଘଟଣା ଘଟିଥିବାରୁ ଝିଅଟି ନାଁ ଗୋଲି ରଖାଯାଇଥିବା ଅଞ୍ଜଳୀ କହିଛନ୍ତି।
ହସ୍ପିଟାଲରେ ଦୀର୍ଘ ୫ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା। ୨ ସିକ୍ୟୁରିଟୀ ଗାର୍ଡଙ୍କ ସମେତ ହସ୍ପିଟାଲର ଆଉ ଜଣେ କର୍ମଚାରୀ ମଧ୍ୟ ଆତଙ୍କୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ଅଞ୍ଜଳୀ କହିଛନ୍ତି, “ହସ୍ପିଟାଲରେ କାମ କରୁଥିବା ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ କେବେ ହେଲେ ସେଦିନର ରାତିକୁ ଭୁଲି ମାରିବେ ନାହିଁ। ଆତଙ୍କବାଦୀମାନେ ଯେଉଁ ଭଳି ଗ୍ରେନେଡ ମାଡ଼ କରୁଥିଲେ ଓ ଗୁଳି ଚଳାଇ ଲୋକଙ୍କୁ ମାରୁ ଥିଲେ, ସେସବୁ ଏବେ ବି ଆଖି ଆଗରେ ନାଚି ଯାଉଛି। ପୂରା ଦେଶ ପାଇଁ ଉକ୍ତ ରାତି ଅତ୍ୟନ୍ତ ଭୟଙ୍କର ଓ ଦୁଃଖଦାୟକ ରହିଥିଲା।
୩ ଦିନ ଧରି ହୋଇଥିବା ଆତଙ୍କବାଦୀ ଆକ୍ରମଣ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ପୂରା ଦୋହଲାଇ ଦେଇଥିଲା। ହୋଟେଲ ଠାରୁ ଆରମ୍ଭ କରି ଗୋଟିଏ ରେଳ ଷ୍ଟେସନ, ଇହୁଦୀ କେନ୍ଦ୍ର ଓ ଅନ୍ୟ କିଛି ସ୍ଥାନରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଆକ୍ରମଣରେ ସାମିଲ ଥିବା ୧୦ ଆତଙ୍କବାଦୀଙ୍କ ମଧ୍ୟରୁ କେବଳ ଅଜମଲ କସାବକୁ ଜୀବନ୍ତ ଧରା ଯାଇଥିଲା। ୨୦୧୨ ମସିହା ନଭେମ୍ବର ୨୧ରେ କସାବ ଫାଶୀ ଖୁଣ୍ଟରେ ଝୁଲି ଥିଲା। ପୂରା ଆତଙ୍କବାଦୀ ହମଲା ପଛରେ ଲସ୍କରର ହାତ ଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
