ଫୋନ୍‌ ପାଇଁ ଜଳଭଣ୍ଡାର ଶୁଖାଇ ଦେଲେ ସରକାରୀ ବାବୁ

ପାଣି ଯଦି ୨ରୁ ୩ ଫୁଟ ସ୍ତରକୁ ଆସି ଯିବ, ତା’ହେଲେ ମୁଁ ଫୋନ ପାଇପାରିବି ବୋଲି ସେମାନେ ପରାମର୍ଶ ଦେଇଥିଲେ। ମୁଁ ଏସ୍‌ଡିଓଙ୍କୁ ଫୋନ କରିବା ସହ ପାଣି କାଢ଼ିବା ପାଇଁ ଅନୁମତି ମାଗିଥିଲି।

ଲକ୍ଷେ ଟଙ୍କିଆ ଫୋନ ପାଣିରେ ପଡ଼ି ଯାଇଥିଲା

  • Published: Friday, 26 May 2023
  • , Updated: 26 May 2023, 03:11 PM IST

ନିଜର ଦାମୀ ଫୋନ ପାଇଁ ବିରାଟ ଜଳଭଣ୍ଡାରକୁ ଶୁଖାଇ ଦେଇଛନ୍ତି ଜଣେ ସରକାରୀ ବାବୁ। ଲଗାତର ୩ ଦିନ ଧରି ସେ ପମ୍ପ ଲଗାଇ ଜଳ ଭଣ୍ଡାରରୁ ୨୧ ଲକ୍ଷ ଲିଟର ପାଣିକୁ ଖାଲି କରି ଦେଇଛନ୍ତି। ଏପରି ଏକ ଅଜବ ଘଟଣା ଛତିଶଗଡ଼ରୁ ସାମ୍ନାକୁ ଆସିଥିବା ବେଳେ ସରକାରୀ ବାବୁ ଜଣଙ୍କୁ ନିଲମ୍ବିତ ହେବାକୁ ପଡ଼ିଛି।

ସାମାନ୍ୟ ଫୋନ ପାଇଁ ଏତେ ମାତ୍ରାର ଜଳକୁ ନଷ୍ଟ କରି ଦେଇଥିବା ସରକାରୀ ବାବୁ ଜଣଙ୍କ କିନ୍ତୁ ନିଜ ଦୋଷ ମାନିବାକୁ ପ୍ରସ୍ତୁତ ନାହାନ୍ତି। ସେ ନିଜର ପକ୍ଷ ରଖି କହିଛନ୍ତି ଯେ ଜଳ ଭଣ୍ଡାରରେ ଥିବା ପାଣି କୌଣସି କାମରେ ବ୍ୟବହାର ହେଉ ନଥିଲା।

ସେହିପରି ଏହାକୁ ଖାଲି କରିବା ପାଇଁ ବାବୁ ଜଣଙ୍କ ସ୍ଥାନୀୟ ସବ ଡିଭିଜନାଲ ଅଫିସରଙ୍କ ଠାରୁ ଅନୁମତି ମଧ୍ୟ ଆଣିଥିଲେ। ତଥାପି ନିଜ ପଦର ଅପବ୍ୟବହାର ଓ ଜଲଭଣ୍ଡାର ଖାଲି କରିବାକୁ ଅନୁମତି ନେଇ ନଥିବାରୁ ତାଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି।

କାଙ୍କେର ଜିଲ୍ଲାର କୋଇଲିବେଦାର ଫୁଡ ଅଫିସର ରାଜେଶ ବିଶ୍ୱାସ ଛୁଟି କାଟିବା ପାଇଁ ଖେରକାଟ୍ଟା ଡ୍ୟାମକୁ ଯାଇଥିଲେ। ସେ ଡ୍ୟାମ ନିକଟରେ ବୁଲୁଥିବା ବେଳେ ତାଙ୍କର ଲକ୍ଷେ ଟଙ୍କିଆ ଫୋନ ପାଣି ଭିତରକୁ ଖସି ପଡ଼ିଥିଲା। ଜଲଭଣ୍ଡାରରେ ଏହି ସମୟରେ ୧୫ ଫୁଟର ପାଣି ଚାଲୁ ଥିଲା। ଫୋନ ପାଇଁ ପ୍ରଥମେ ସେ ସ୍ଥାନୀୟ ବୁଡ଼ାଳିଙ୍କ ସହାୟତା ନେଇଥିଲେ।

ସେମାନେ ଫେଲ ମାରିବାରୁ ରାଜେଶ ବିଶ୍ୱାସ ଜଳଭଣ୍ଡାରରୁ ଖାଲି କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ୩୦ଏଚପିର ଦୁଇଟି ଡିଜେଲ ପମ୍ପ ଆଣିଥିଲେ। ଏହି ପମ୍ପକୁ ବ୍ୟବହାର କରି ସେ ଜଳଭଣ୍ଡାରରୁ ୩ ଦିନ ଧରି ପାଣି ଖାଲି କରିବା ଆରମ୍ଭ କରିଥିଲେ। ସେ ମୋଟ ୨୧ ଲକ୍ଷ ଲିଟର ପାଣି ଖାଲି କରିଛନ୍ତି।

ଏତେ ପରିମାଣର ପାଣିରେ ୧୫ଶହ ଏକରର ଚାଷ ଜମିରେ ଜଳ ସେଚନ ହୋଇପାରି ଥାଆନ୍ତା। କିନ୍ତୁ ରାଜେଶ ବିଶ୍ୱାସ କେବଳ ନିଜର ଫୋନ ପାଇଁ ଏତେ ପରିମାଣର ପାଣିକୁ ନଷ୍ଟ କରି ଦେଇଛନ୍ତି।

ସୋମବାର ସନ୍ଧ୍ୟାରୁ ପମ୍ପ ଦ୍ୱାରା ପାଣି ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହା ଗୁରୁବାର ଯାଏ ଚାଲିଥିଲା। ଶେଷରେ ଅଭିଯୋଗ ପାଇ ଜଳ ସେଚନ ଓ ଜଳ ସମ୍ପଦ ବିଭାଗର ଜଣେ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅଧିକାରୀଙ୍କ ହସ୍ତକ୍ଷେପ ପରେ ଜଳ ନିଷ୍କାସନ ପ୍ରକ୍ରିୟା ବନ୍ଦ ହୋଇଥିଲା।

ଏବେ ଜଳ ଭଣ୍ଡାରରେ ୬ ଫୁଟର ପାଣି ରହିଛି। କିନ୍ତୁ ୨୧ ଲକ୍ଷ ଲିଟର ପାଣି ନିଷ୍କାସନ କରାଯାଇ ସାରିଛି। ଖରା ଦିନେ ଜଳ ଭଣ୍ଡାରରେ ୧୦ ଫୁଟର ପାଣି ରହିଥାଏ। ବିଭିନ୍ନ ପଶୁପକ୍ଷୀ ଏଠାରେ ନିଜର ଶୋଷ ମେଣ୍ଟାନ୍ତି। ହେଲେ ରାଜେଶଙ୍କ ପାଇଁ ଜଲଭଣ୍ଡାର ଏକପ୍ରକାରର ଶୁଖି ଯାଇଛି।

ରାଜେଶ ବିଶ୍ୱାସଙ୍କ କହିବା କଥା ସେଲଫି ନେବା ବେଳେ ତାଙ୍କ ଫୋନ ହାତରୁ ଖସି ଯାଇଥିଲା। ଏଥିରେ ସରକାରୀ ଦସ୍ତାବିଜ ସବୁ ରହିଥିବାରୁ ସେ ପାଣିକୁ ଶୁଖାଇ ଏହାକୁ ଠାବ କରିବାକୁ ଚେଷ୍ଟା କରିଥିଲେ। ବୁଡ଼ାଳିମାନେ ମଧ୍ୟ ଫୋନକୁ ଠାବ କରି ପାରି ନଥିଲେ। ପାଣିକୁ ବ୍ୟବବହାର କରାଯାଉ ନଥିବାରୁ ସେ ଏହାକୁ ନିଷ୍କାସିତ କରିଥିବା କହିଛନ୍ତି।

ସେ କହିଛନ୍ତି, “ଛୁଟି ଦିନରେ ମୁଁ କିଛି ସାଙ୍ଗମାନଙ୍କ ସହ ଗାଧୋଇବାକୁ ଡ୍ୟାମକୁ ଯାଇଥିଲି। ଓଭରଫ୍ଲୋ ଟ୍ୟାଙ୍କର୍‌ରେ ମୋ ଫୋନ ଖସି ପଡ଼ିଥିଲା। ଏହି ପାଣିକୁ ଆଦୌ କୌଣସି କାମ ପାଇଁ ବ୍ୟବହାର କରାଯାଉ ନଥିଲା। ଏହା ୧୦ ଫୁଟ ଗଭୀର ଥିଲା। ସ୍ଥାନୀୟ ଲୋକମାନେ ଫୋନକୁ ଠାବ କରିବାକୁ ଚେଷ୍ଟା କରିଥିଲେ ହେଁ ଫେଲ ମାରିଥିଲେ।

ପାଣି ଯଦି ୨ରୁ ୩ ଫୁଟ ସ୍ତରକୁ ଆସି ଯିବ, ତା’ହେଲେ ମୁଁ ଫୋନ ପାଇପାରିବି ବୋଲି ସେମାନେ ପରାମର୍ଶ ଦେଇଥିଲେ। ମୁଁ ଏସ୍‌ଡିଓଙ୍କୁ ଫୋନ କରିବା ସହ ପାଣି କାଢ଼ିବା ପାଇଁ ଅନୁମତି ମାଗିଥିଲି।

୩ରୁ ୪ ଫୁଟ ପାଣି ସ୍ଥାନୀୟ କେନାଲକୁ ଗଲେ କୌଣସି ଅସୁବିଧା ନାହିଁ ଓ ଏହା ଦ୍ୱାରା ଚାଷୀମାନେ ଅଧିକ ପାଣି ପାଇ ପାରିବେ ବୋଲି ଏସ୍‌ଡିଓ ମୋତେ କହିଥିଲେ। ଏକଥା ଶୁଣିବା ପରେ ମୁଁ ୩ ଫୁଟ ପାଣି କାଢ଼ିବା ସହ ମୋ ଫୋନକୁ ଠାବ କରିଛି।”

ରାଜେଶଙ୍କୁ ଫୋନ ମିଳିଥିଲେ ହେଁ ପାଣି ପଶି ଯିବାକୁ ଯୋଗୁ ଏହା କାମ କରୁ ନାହିଁ। ଏବେ ସେ ଏହାକୁ ଜଣେ ଦୋକାନୀଙ୍କୁ ଦେଇଛନ୍ତି।

Related story