Advertisment

ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ: ଚିକିତ୍ସା ବେଳେ କରୋନା ଆକ୍ରାନ୍ତ ମହିଳାଙ୍କୁ ମାରି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ଡାକ୍ତର

୨୦୨୧ ମସିହାରେ କରୋନା ତା’ର ସର୍ବୋଚ୍ଚ ସ୍ତରରେ ଥିବା ବେଳେ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିଲା।

author-image
Hemant Lenka
Corona

Corona

ସାମ୍ନାକୁ ଆସିଛି ଚକିତ କରିବା ଭଳି ଘଟଣା। ମହମାରୀ କରୋନା ବେଳେ ସରକାରୀ ହସ୍ପିଟାଲରେ ଡାକ୍ତରମାନେ ରୋଗୀଙ୍କ ସହ କେମିତି ବ୍ୟବହାର କରୁଥିଲେ, ତା’ର ଗୋଟିଏ ସାଂଘାତିକ ତଥ୍ୟ ଏବେ ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ମହାରାଷ୍ଟ୍ରର ଲାଟୁର ଜିଲ୍ଲାରେ ଥିବା ଗୋଟିଏ ସରକାରୀ ହସ୍ପିଟାଲର ବରିଷ୍ଠ ଡାକ୍ତରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ପୁଲିସ୍‌। ୨୦୨୧ ମହାମାରୀ କରୋନା ବେଳେ ଅଭିଯୁକ୍ତ ଡାକ୍ତର ଜଣଙ୍କ ତାଙ୍କର ସହଯୋଗୀଙ୍କୁ ଜଣେ ମହିଳା କୋଭିଡ-୧୯ ଆକ୍ରାନ୍ତଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ଏହାର ଅଡିଓ କ୍ଲିପ ନିକଟରେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ଆଧାର କରି ପୁଲିସ ଏଫଆଇଆର ରୁଜୁ କରିଛି। ଭାଇରାଲ ହେଉଥିବା ଅଡିଓ କ୍ଲିପରେ ଅଭିଯୁକ୍ତ ଡାକ୍ତର ଶଶିକାନ୍ତ ଦେଶପାଣ୍ଡେ ଓ ଡାକ୍ତର ଶଶିକାନ୍ତ ଡାନଗେଙ୍କ ମଧ୍ୟରେ ହୋଇଥିବା କଥାକାର୍ତ୍ତାର ବିଷୟବସ୍ତୁ ରହିଥିବା କୁହାଯାଉଛି।

ଡାକ୍ତର ଦେଶପାଣ୍ଡ ୨୦୨୧ ମସିହାରେ ଲାଟୁର ସ୍ଥିତ ଉଦଗିର ସରକାରୀ ହସ୍ପିଟାଲରେ ଅତିରିକ୍ତ ଜିଲ୍ଲା ସର୍ଜନ ଭାବେ କାମ କରୁଥିଲେ। ସେହିପରି ଡାକ୍ତର ଦାନଗେ ଗୋଟିଏ କୋଭିଡ କେୟାର ସେଣ୍ଟରରେ କାମ କରୁଥିଲେ।

Advertisment

୨୦୨୧ ମସିହାରେ କରୋନା ତା’ର ସର୍ବୋଚ୍ଚ ସ୍ତରରେ ଥିବା ବେଳେ ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିଲା। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସମ୍ବଳ ମଧ୍ୟ ହ୍ରାସ ପାଇବାରେ ଲାଗିଥିଲା। ଏହି ସମୟରେ ଦୁଇ ଡାକ୍ତରଙ୍କ ମଧ୍ୟରେ ହୋଇଥିବା କାଥାବାର୍ତ୍ତା ବେଳର ଅଡିଓ କ୍ଲିପ ଏବେ ଭାଇରାଲ ହେଉଛି। ଡାକ୍ତର ଦେଶପାଣ୍ଡେ ଯେଉଁ ମହିଳା କରୋନା ଆକ୍ରାନ୍ତଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ ସେ ହେଉଛନ୍ତି କୌସର ଫାତିମା। ତାଙ୍କ ସ୍ୱାମୀ ହେଉଛନ୍ତି ୫୩ ବର୍ଷୀୟ ଅଜିମୋଦ୍ଦିନ ଗୌସୋଦ୍ଦିନ। ଫାତିମା ୨୦୨୧ରେ କରୋନାରେ ଆକ୍ରାନ୍ତି ହୋଇଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏଥିରୁ ମୁକୁଳିଥିଲେ।

ଭାଇରାଲ ଅଡିଓ କ୍ଲିପରେ ଡାକ୍ତର ଦେଶପାଣ୍ଡେ କହୁଛନ୍ତି ଯେ “ଭିତରକୁ କାହାକୁ ଛାଡ଼ନି। ସେ ମହିଳାଙ୍କୁ(ଫାତିମା) ମାରି ଦିଅ।” ଏହା ଶୁଣି ଡାକ୍ତର ଡାନଗେ ବେଶ ସତର୍କତା ସହ କହୁଛନ୍ତି ଯେ ଅମ୍ଳଜାନ ସ୍ତରକୁ ପୂର୍ବରୁ ହିଁ ହ୍ରାସ କରି ଦିଆଯାଇଛି।

ବାସ ଏହି କଥାବାର୍ତ୍ତାର ଅଡିଓ କ୍ଲିପ ସାମ୍ନାକୁ ଆସିବା ପରେ ଫାତିମାଙ୍କ ସ୍ୱାମୀ ଗୌସୋଦ୍ଦିନ ଉଦଗିର ସିଟି ପୁଲିସ୍‌ ଷ୍ଟେସନରେ ଏନେଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଡାକ୍ତର ଦେଶପାଣ୍ଡେଙ୍କ ନାଁରେ ମେ’ ୨୪ରେ ଏଫଆଇଆର ରୁଜୁ କରିଛି।

ପୁଲିସ୍‌ ଦେଶପାଣ୍ଡେଙ୍କ ମୋବାଇଲକୁ ଜବତ କରିବା ସହ ତାଙ୍କୁ ନୋଟିସ କରିଥିଲା। ତାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିବା ଇନସପେକ୍ଟର ଦିଲୀପ ଗାଡେ କହିଛନ୍ତି। ସେହିପରି ପୁଲିସ୍‌ ଅଡିଓ କ୍ଲିପର ସତ୍ୟତା ମଧ୍ୟ ଯାଞ୍ଚ କରୁଛି। ପୁଲିସ ଡାକ୍ତର ଡାନଗେଙ୍କୁ ମଧ୍ୟ ନୋଟିସ କରିଥିଲା। କିନ୍ତୁ ଏବେ ସେ ଜିଲ୍ଲା ବାହାରେ ରହିଛନ୍ତି। ପରବର୍ତ୍ତୀ ସମୟରେ ସେ ପୁଲିସ ନିକଟରେ ହଜାର ହେବ। ସେ ଆସିବା ପରେ ପୁଲିସ୍‌ ତାଙ୍କ ମୋବାଇଲକୁ ଜବତ କରି ଘଟଣାର ତଦନ୍ତ ଆଗକୁ ବଢ଼ାଇବ।

ଗୌସୋଦ୍ଦିନ ରୁଜୁ କରିଥିବା ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପତ୍ନୀଙ୍କ କରୋନା ଟେଷ୍ଟ ରିପୋର୍ଟ ୨୦୨୧ରେ ପଜିଟିଭ ଆସିଥିଲା। ଏଥିପାଇଁ ତାଙ୍କୁ ୨୦୨୧ ମସିହା ଏପ୍ରିଲ ୧୫ରେ ଉଦଗିର ହସ୍ପିଟାଲରେ ତିଆରି ହୋଇଥିବା ସ୍ୱତନ୍ତ୍ର କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ନାନ୍ଦେଦ ରାସ୍ତାର ବିପରୀତ ପାର୍ଶ୍ୱରେ ଥିବା ଗୋଟିଏ ବିଲଡିଂରେ ତାଙ୍କର କରୋନା ଚିକିତ୍ସା ଆରମ୍ଭ ହୋଇଥିଲା। ଉକ୍ତ କେନ୍ଦ୍ରରେ ଡାକ୍ତର ଡାନଗେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିଲେ।

ପ୍ରାୟ ୧୦ ଦିନ କାଳ ଫାତିମା ସେଠାରେ ରହିଥିଲେ। ତେବେ ଚିକିତ୍ସାର ପ୍ରାୟ ୭ମ ଦିନ ଡାକ୍ତର ଡାନଗେ ଲଞ୍ଚ କରୁଥିବା ବେଳେ ତାଙ୍କ ପଛରେ ଫାତିମାଙ୍କ ସ୍ୱାମୀ ବସିଥିଲେ। ଏହି ସମୟରେ ଡାକ୍ତର ଦେଶପାଣ୍ଡେ ଡାକ୍ତର ଡାନଗେଙ୍କୁ କଲ କରିଥିଲେ। ଲଞ୍ଚ କରୁଥିବାରୁ ସେ ଲାଉଡ ସ୍ପିକର ଅନ କରି ଡାକ୍ତର ଦେଶପାଣ୍ଡେଙ୍କ ସହ କଥା ହୋଇଥିଲେ। ହସ୍ପିଟାଲ ସମ୍ପର୍କରେ ଦୁଇ ଜଣଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିଲା।

ଫୋନରେ କଥାବାର୍ତ୍ତା ହେବା ପରେ ହସ୍ପିଟାଲରେ ଉପଲବ୍ଧ ଥିବା ବେଡ ସମ୍ପର୍କରେ ସେ ଡାକ୍ତର ଡାନଗେଙ୍କୁ ପ୍ରଶ୍ନ କରିଥିଲେ। ଯେତେବେଳେ ଡାକ୍ତର ଡାନଗେ ବେଡ ଖାଲି ନଥିବା କହିଥିଲେ ସେତେବେଳେ ଡାକ୍ତର ଦେଶପାଣ୍ଡେ “ସେହି ଦୟାମି ରୋଗୀ(ଫାତିମା)ଙ୍କୁ ମାରି ଦିଅ। ଏଭଳି ଲୋକଙ୍କ ସହ କ’ଣ କରିବାକୁ ହୁଏ, ସେକଥା ତୁମକୁ ଭଲ ଭାବେ ଜଣା।” କଥାବାର୍ତ୍ତା ବେଳେ ସେ ଧର୍ମ ଓ ଜାତିକୁ ନେଇ ଅନେକ ବିବାଦୀୟ ଶବ୍ଦ ମଧ୍ୟ ପ୍ରୟୋଗ କରିଥିବା ଗୌସୋଦ୍ଦିନ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ଏକଥା ଶୁଣି ଗୌସୋଦ୍ଦିନ ପୂରା ଚକିତ ହୋଇଯାଇଥିଲେ। କିନ୍ତୁ ପତ୍ନୀଙ୍କ ଚିକିତ୍ସା ଚାଲିଥିବାରୁ ସେ ସବୁ ଜାଣି ଚୁପ ରହିଥିଲେ। କିଛି ଦିନ ପରେ ତାଙ୍କ ପତ୍ନୀ କରୋନାରୁ ସୁସ୍ଥ ହୋଇଥିଲେ ଓ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ଏହାପରେ ଗୌସୋଦ୍ଦିନ ଏ ସମ୍ପର୍କରେ କାହାକୁ କିଛି କହି ନଥିଲେ। ହେଲେ ୨୦୨୫ ମେ’ ୨ରେ ଉକ୍ତ କଥାବାର୍ତ୍ତାର ଅଡିଓ କ୍ଲିପ ସୋଶାଲ ମିଡିଆରେ ଭାଇରାଲ ହେବାରା ଲାଗିଥିଲା।

ଗୌସୋଦ୍ଦିନ କହିଛନ୍ତି ଯେ ପୁଣିଥରେ ସେହି କଥା ଶୁଣି ସେ ଆଘାତ ପାଇଛନ୍ତି। ତାଙ୍କ ଧର୍ମକୁ ନେଇ ଡାକ୍ତର ଜଣଙ୍କ ବିବାଦୀୟ କଥା କହିଥିବାରୁ ସେ ଏବେ ବାଧ୍ୟ ହୋଇ ପୁଲିସରେ ଅଭିଯୋଗ କରିଛନ୍ତି।

New Coronavirus Strain Corona Cases In India Maharashtra