Advertisment

ଜମ୍ମୁ-କଶ୍ମୀରକୁ କେବେ ମିଳିବ ରାଜ୍ୟ ମାନ୍ୟତା? ଗୁରୁବାର ସୁପ୍ରିମକୋର୍ଟଙ୍କୁ କହିବ କେନ୍ଦ୍ର

ସୁପ୍ରିମକୋର୍ଟ କ୍ରମାଗତ ଦ୍ୱାଦଶ ଦିନ ପାଇଁ ଆଜି ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବା ଧାରା ୩୭୦ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି।

author-image
Hemant Lenka
Jammu

Jammu

ଜମ୍ମୁ-କଶ୍ମୀରକୁ ପୁଣିଥରେ ରାଜ୍ୟ ମାନ୍ୟତା ମିଳିବା ସମ୍ଭାବନା ସୃଷ୍ଟି ହୋଇଛି। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିଥିଲେ। ଏହାପରେ ଜମ୍ମୁ-କଶ୍ମୀର ଓ ଲଦାଖ ଭାବେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ତିଆରି କରାଯାଇଥିଲା।

Advertisment

ତେବେ କେନ୍ଦ୍ର ସରକାର ଅସ୍ଥାୟୀ ଭାବେ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେଇଥିବା ସର୍ବୋଚ୍ଚ ଅଦାଲତକୁ କହିଛନ୍ତି। ଏହା ଶୁଣିବା ପରେ ପୁଣି ଜମ୍ମୁ-କଶ୍ମୀରକୁ କେବେ ରାଜ୍ୟ ମାନ୍ୟ ମିଳିବ ଓ ଏହା ପାଇଁ କ’ଣ ସବୁ ସମୟ ସୀମା ରଖାଯାଇଛି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। ଏହାର ଜବାବ କେନ୍ଦ୍ର ସରକାର ଗୁରୁବାର ଦେବେ ବୋଲି କହିଛନ୍ତି।

ସୁପ୍ରିମକୋର୍ଟ କ୍ରମାଗତ ଦ୍ୱାଦଶ ଦିନ ପାଇଁ ଆଜି ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବା ଧାରା ୩୭୦ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି। ଶୁଣାଣି ବେଳେ ଜମ୍ମୁ-କଶ୍ମୀରରେ ଗଣତନ୍ତ୍ର ପ୍ରତିଷ୍ଠା ଉପରେ ସର୍ବୋଚ୍ଚ ଅଦାଲତ ଗୁରୁତ୍ୱାରୋପ କରିଥିଲେ। ଏଥିସହ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ଏକାଧିକ ପ୍ରଶ୍ନ କରିଥିଲେ।

Advertisment

ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଥିଲେ ଯେ କ’ଣ ଗୋଟିଏ ରାଜ୍ୟକୁ ଆପଣ କେନ୍ଦ୍ର ଶାସିତ ଅଞ୍ଚଳ କରିପାରିବେ? କ’ଣ ପୁଣି ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳକୁ ରାଜ୍ୟ ମାନ୍ୟତା ଦେଇ ପାରିବେ? କେତେବେଳେ ଜମ୍ମୁ-କଶ୍ମୀରରେ ନିର୍ବାଚନ ହେବ? ଏହା ନିଶ୍ଚିତ ହେବା ଦରକାର। ଆମକୁ ନିର୍ଦ୍ଦିଷ୍ଟ ସମୟ ସୀମା ଓ ଯୋଜନା ବିଷୟରେ କୁହନ୍ତୁ। ଆପଣ କେଉଁ ଦିନ ସେଠାରେ ପ୍ରକୃତ ଗଣତନ୍ତ୍ର ପ୍ରତିଷ୍ଠା କରିବେ? ଆମେ ଏହାକୁ ରେକର୍ଡରେ ରଖିବାକୁ ଚାହୁଁଛୁ।

ଏହାର ଜବାବରେ ତୁଷାର ମେହେଟା ଆସାମ, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶର ଉଦାହରଣ ଦେଇଥିଲେ। ସେ କହିଥିଲେ, “ମୁଁ ଗୋଟିଏ ନିର୍ଦ୍ଦେଶ ପାଇଛି। ସେହି ନିର୍ଦ୍ଦେଶ ହେଲା କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ସ୍ଥାୟୀ ନୁହେଁ। ମୁଁ ୩୧ ଅଗଷ୍ଟରେ ଗୋଟିଏ ସକାରାତ୍ମକ ବିବୃତି ଦେବି। କିନ୍ତୁ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହୋଇ ରହିବ। କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଲୋକସଭାରେ ରଖିଥିବା ବିବୃତିକୁ ମୁଁ ଏଠାରେ ଉପସ୍ଥାପନ କରିବି।”

Jammu Kashmir Supreme Court