/odisha-reporter/media/media_files/2026/01/16/maha-2026-01-16-16-10-43.jpg)
ନିର୍ବାଚନ
ମହାରାଷ୍ଟ୍ର(Maharashtra) ରାଜନୀତି କେବେ ହେଲେ ଦେଶକୁ ଚକିତ କରିବାକୁ ଭୁଲେ ନାହିଁ। ପୂର୍ବରୁ ଅନେକ ଥର ମହାରାଷ୍ଟ୍ର ରାଜନୀତିରେ ଏମିତି କିଛି ଘଟଣା ଘଟିଛି, ଯାହାକୁ ସମସ୍ତେ ମନେ ରଖଛନ୍ତି। ଏବେ ମହାନଗର ନିଗମ ନିର୍ବାଚନରେ ବି କିଛି ବିରଳ ଘଟଣା ଘଟିଛି। ମହାତ୍ରେ ପରିବାର ଗୋଟିଏ ବିରଳ ନିର୍ବାଚନ ସଫଳତା ହାସଲ କରିଛନ୍ତି।
ଥାଣେ ମହାନଗର ନିଗମ ନିର୍ବାଚନରେ ମହାତ୍ରେ ପରିବାର ନାଁରେ ଯୋଡ଼ି ହୋଇଛି ଗୋଟିଏ ଚମତ୍କାର ରେକର୍ଡ। ମହାତ୍ରେ ପରିବାରର ୩ ଜଣ ସଦସ୍ୟ ୩ଟି ଭିନ୍ନଭିନ୍ନ ରାଜନୀତିକ ଦଳରୁ ନିର୍ବାଚନ ଲଢ଼ୁଥିଲେ। ହେଲେ ସେମାନେ ସମସ୍ତେ ନିଜ ନିଜ ୱାର୍ଡରେ ନିଜ ନିଜ ଦଳରୁ ବିଜୟୀ ହୋଇଛନ୍ତି। ଏଥିରୁ ମହାରାଷ୍ଟ୍ର ରାଜନୀତି ବଂଶବାଦରୁ ଉପରେ ନୁହେଁ ବୋଲି ପୁଣି ପ୍ରମାଣିତ ହୋଇଛି।
ମହାତ୍ରେ ପରିବାରର ପ୍ରହ୍ଲାଦ ମହାତ୍ରେ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ୍)ରୁ ପ୍ରାର୍ଥୀ ହୋଇଥିବା ବେଳେ ରେଖା ମହାତ୍ରେ ଶିବସେନାର ଟିକେଟରେ ନିର୍ବାଚନ ଲଢ଼ୁଥିଲେ। ସେହିପରି ପରିବାରର ଆଉ ଜଣେ ସଦସ୍ୟ ରବୀନ ମହାତ୍ରେ ବିଜେପି ଟିକେଟରୁ ଲଢ଼ି କର୍ପୋରେଟର ବନିଛନ୍ତି। ଭୋଟ ଗଣତି ପରେ ମହାତ୍ରେ ପରିବାରରୁ ୩ ଜଣ ହୋଇ ଯାଇଛନ୍ତି କର୍ପୋରେଟର।
ପ୍ରହ୍ଲାଦ ନିଜେ ବିଜୟୀ ହୋଇଥିଲେ ହେଁ ଥାଣେ ମହା ନିଗର ନିଗମ ନିର୍ବାଚନର ସାମୂହିକ ରେଜଲ୍ଟ ତାଙ୍କ ପାଇଁ ସୁଖଦ ଖବର ଆଣିନି। କାରଣ ଏଠାରେ ବିଜେପି-ଶିବସେନା ମିଳିତ ଭାବେ ଅଧିକ ଆସନ ଜିତିଛନ୍ତି। ମହାୟୁତି ଏଠାରେ ଅଧ୍ୟକ୍ଷ ପଦ ଦଖଲ କରିବା ଏକ ପ୍ରକାରର ନିଶ୍ଚିତ ହୋଇଛି।
କେବଳ ମହାତ୍ରେ ପରିବାର ନୁହନ୍ତି, ଆଉ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଜଲଗାଓଁ ପୌର ପରିଷଦ (ଜେଏମସି) ନିର୍ବାଚନରେ ବିଜୟୀ ହୋଇଛନ୍ତି। ତେବେ ଏହି ପରିବାରର ୩ ଜଣ ଯାକ ସଦସ୍ୟ ଗୋଟିଏ ଦଳ ଅର୍ଥାତ ଶିବସେନା ଟିକେଟରୁ ହିଁ ବିଭିନ୍ନ ୱାର୍ଡରୁ ଜିତିଛନ୍ତି।
କୋଲହେ ପରିବାରର ଲଲିତ, ସିନ୍ଧୁତାଇ ଓ ପୀୟୂଷ ଲଳିତ ଜିତିବା ପରେ ଜଲଗାଓଁରେ ଗୋଟିଏ ଭାବବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ଥିବା ଲଳିତ ଜେଲରୁ ହିଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଲଳିତ ଜେଲରୁ ନ ବାହାରିବା ଯାଏ ପରିବାର ଲୋକ ଚପଲ ପିନ୍ଧିବେ ନାହିଁ ବୋଲି ପ୍ରତିଜ୍ଞା କରି ତାଙ୍କ ପାଇଁ ପ୍ରଚାର କରିଥିଲେ। ଏବେ ଲଳିତ ବିଜୟୀ ହୋଇଛନ୍ତି। ଜେଲରୁ ବାହାରିବାର ବାଟ ମଧ୍ୟ ତାଙ୍କ ପାଇଁ ଫିଟିଛି।
ଲଳିତଙ୍କ ପତ୍ନୀ ସରିତା କହିଛନ୍ତି, “ମୋ ପୁଅ, ସ୍ୱାମୀ ଓ ଶାଶୂ ନିର୍ବାଚନରେ ଜିତିଛନ୍ତି। ଆପଣମାନେ ଦେଖିପାରୁଥିବେ ଯେ ଆମ ଭିତରୁ କେହି ବି ଚପଲ ପିନ୍ଧି ନାହାନ୍ତି। ଲଳିତ ଗିରଫ ହେବା ଦିନ ଠାରୁ ଆମେ ଚପଲ ପିନ୍ଧିବା ଛାଡ଼ି ଦେଇଛୁ। ସେ ଫେରିବା ପରେ ମୁଁ ଚପଲ ପିନ୍ଧିବି ବୋଲି କହିଥିଲି। ଏବେ ଲୋକମାନେ ସବୁ କିଛି ସମ୍ଭବ କରି ଦେଇଛନ୍ତି।”
#WATCH | Maharashtra civic body elections | Jalgaon: Emotional scenes in Jalgaon as Sarita Kolhe shares a hug with Mahayuti candidate Piyush Lalit Kolhe and breaks down.
— ANI (@ANI) January 16, 2026
Three members of the family - Lalit Kolhe, Sindhutai Kolhe and Piyush Lalit Kolhe won the election. Lalit… pic.twitter.com/8gsURFbQPx
ଥାଣେ ହେଉଛି ଅବିଭକ୍ତ ଶିବସେନା ଓ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗଡ଼। ଥାଣେରେ ବିଜେପି ଓ ସିନ୍ଦେ ହାତ ମିଳାଇଥିଲେ। ମହାୟୁତିରେ ଥିବା ଅଜିତ ପାୱାରଙ୍କ ଏନସିପି ଏକାକୀ ଏଠାରେ ନିର୍ବାଚନ ଲଢ଼ିଥିଲା। ଥାଣେର ୧୩୧ଟି ଆସନରୁ ଶିବସେନା ୮୭ଟି ଓ ବିଜେପି ୪୦ଟି ଆସନରେ ପ୍ରାର୍ଥୀ ଦେଇଥିଲା।
ଅନ୍ୟପକ୍ଷରେ ୨୦ ବର୍ଷ ପରେ ଏକାଠି ହୋଇଥିବା ଠାକରେ ବ୍ରଦର୍ସ ଏଠାରେ ଶରଦ ପାୱାରଙ୍କ ଏନସିପିକୁ ମଧ୍ୟ ନିଜ ସହ ମିଶାଇଥିଲେ। କିନ୍ତୁ ବିଜେପି-ଶିବସେନା ଯୋଗୁ ଏମାନେ ମୂଳପୋଛ ହୋଇ ଯାଇଛନ୍ତି। କଂଗ୍ରେସ ମଧ୍ୟ ଏଠାରେ ୯୬ଟି ଆସନରେ ପ୍ରାର୍ଥୀ ଦେଇଥିଲା।
୨୦୧୭ରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଅବିଭକ୍ତ ଶିବସେନା ଏଠାରେ ୬୭ଟି ଆସନ ଜିତିଥିଲା। ଏକାକୀ ଦଳ ଅଧ୍ୟକ୍ଷ ପଦ ହାତେଇଥିଲା। ଏନସିପି ୩୪ଟି ଆସନ ସହ ଦ୍ୱିତୀୟ ଓ ବିଜେପି ୨୩ଟି ଆସନ ସହ ତୃତୀୟରେ ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
