Advertisment

କାଲି ଆସିବ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ବିଲ: ହ୍ୱିପ ଜାରି କଲା ବିଜେପି

ଆସନ୍ତାକାଲି ଲୋକସଭାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଗତ କରିବା ପରେ ଆଇନମନ୍ତ୍ରୀ ମେଘୱାଲ ଏହା ଉପରେ ଅଧିକ ଆଲୋଚନା କରିବା ପାଇଁ ଏହାକୁ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ପାଖକୁ ପଠାଇବାକୁ ଅନୁରୋଧ କରିବେ।

author-image
Hemant Lenka
One

One

ଆସନ୍ତାକାଲି ଲୋକସଭାରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବହୁ ପ୍ରତିକ୍ଷୀତ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ୍ ଆଗତ କରିବେ। ଏଥିପାଇଁ ବିଜେପି ନିଜ ଦଳର ସମସ୍ତ ସାଂସଦଙ୍କୁ ଆସନ୍ତାକାଲି ଗୃହରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କରିଛି।

Advertisment

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଆସନ୍ତାକାଲି ଲୋକସଭାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିବେ। ଏହା ମଧ୍ୟରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ରହିଛି। ଏହାର ନାଁ ବିଧିବଦ୍ଧ ଭାବେ ସମ୍ବିଧାନ(୧୨୯ତମ ସଂଶୋଧନ) ବିଲ୍‌ ରଖାଯାଇଛି। ସେହିପରି କେନ୍ଦ୍ର ସରକାର କେନ୍ଦ୍ର ଶାସିତ ଅଞ୍ଚଳ(ସଂଶୋଧନ) ବିଲ ମଧ୍ୟ ଲୋକସଭାରେ କାଲି ଆଗତ କରିବେ।

ଆସନ୍ତାକାଲି ଲୋକସଭାରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଗତ କରିବା ପରେ ଆଇନମନ୍ତ୍ରୀ ମେଘୱାଲ ଏହା ଉପରେ ଅଧିକ ଆଲୋଚନା କରିବା ପାଇଁ ଏହାକୁ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ପାଖକୁ ପଠାଇବାକୁ ଅନୁରୋଧ କରିବେ। ଏହାର ଅଧ୍ୟକ୍ଷ ଜଣେ ବିଜେପି ସାଂସଦ ରହିବେ। ସେହିପରି କମିଟିରେ ଆଉ କେଉଁମାନେ ରହିବେ, ତା’ର ତାଲିକା ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଲୋକସଭା ବାଚସ୍ପତି ଓମ ବିର୍ଲା ସ୍ପଷ୍ଟ କରିବେ।

Advertisment

ଗୋଟିଏ ଥରରେ ପୂରା ଦେଶରେ ଉଭୟ ଲୋକସଭା ଓ ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନ କରିବାକୁ ବିଲରେ ବ୍ୟବସ୍ଥା ହୋଇଛି। ଏହାକୁ ବାସ୍ତବ ରୂପ ଦେବାକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଯାଇଥିଲା। କମିଟି ରିପୋର୍ଟ ଦେବା ପରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବିସିଥିବା କ୍ୟାବିନେଟ ଅନୁମୋଦନ ଦେଇଥିଲା।

ଏବେ ସରକାର ଏହାକୁ ସଂସଦରେ ଉପସ୍ଥାପନ କରିବାକୁ ଯାଉଛନ୍ତି। ଲୋକସଭାରେ ଏହାକୁ ଆଗତ କରି ସରକାର ବିସ୍ତୃତ ଆଲୋଚନା ପାଇଁ ବିଲକୁ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ନିକଟକୁ ପଠାଇବେ। ଜେପିସିରେ ଥିବା ସବୁ ରାଜନୀତିକ ଦଳର ସଦସ୍ୟ ଏହା ଉପରେ ବିସ୍ତୃତ ଆଲୋଚନା କରି ଆବଶ୍ୟକ ପ୍ରସ୍ତାବ ଦେବେ।

ସେହିପରି ଚୂଡ଼ାନ୍ତ ବିଲ ପୁଣି ଗୃହରେ ଉପସ୍ଥାପନ କରାଯିବା ପୂର୍ବରୁ ସରକାର ବିଭିନ୍ନି ଅଂଶୀଦାରଙ୍କୁ ମଧ୍ୟ ସାମିଲ କରିବାକୁ ଯୋଜନା କରିଛନ୍ତି। ବୁଦ୍ଧିଜୀବୀ, ବିଶେଷଜ୍ଞ, ସାମାଜିକ ସଂସ୍ଥାର ସଦସ୍ୟ ଓ ସମସ୍ତ ରାଜ୍ୟର ବିଧାନସଭା ବାଚସ୍ପତିମାନେ ମଧ୍ୟ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍‌ ଉପରେ ନିଜର ମତ ରଖିବେ।

ଅତିରିକ୍ତ ଭାବେ ବିଲ୍‌କୁ ଆଇନରେ ପରିଣତ କରିବା ପୂର୍ବରୁ ସରକାର ସାଧାରଣ ଲୋକଙ୍କ ମତ ମଧ୍ୟ ନେବେ। ସରକାର ସମସ୍ତଙ୍କୁ ସାମିଲ କରି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Lok Sabha Session One Nation One Election