/odisha-reporter/media/post_attachments/uploadimage/library/16_9/16_9_0/Online_1755769376.jpg)
Online
ଦେଶରେ ବ୍ୟାନ ହେବ ସମସ୍ତ ଟଙ୍କା ଲଗାଣକାରୀ ଅନଲାଇନ ଗେମ୍। ଏ ସଂକ୍ରାନ୍ତ ବିଲ ଆଇନରେ ପରିଣତ ହେବାକୁ ଯାଉଛି। ଲୋକସଭା ପରେ ରାଜ୍ୟସଭାରେ ପାରିତ ହୋଇଛି ଅନଲାଇନ ଗେମିଂ ପ୍ରଚାର ଓ ନିୟନ୍ତ୍ରଣ ବିଲ ୨୦୨୫। ଲୋକସଭା ଭଳି ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏହି ବିଲ ପାରିତ ହୋଇଛି।
ବିରୋଧୀ ବିହାରରେ ଚାଲିଥିବା ଭୋଟର ସଂଶୋଧନ ସର୍ଭେ ବା ଏସଆଇଆର ଉପରେ ଆଲୋଚନା କରିବାକୁ ଦାବି କରୁଥିବା ବେଳେ ବାଚନିକ ଭୋଟ ମାଧ୍ୟମରେ ସରକାର ଅନଲାଇନ ଗେମିଂ ପ୍ରଚାର ଓ ନିୟନ୍ତ୍ରଣ ବିଲ ପାସ କରାଇ ନେଇଛନ୍ତି। ସଂସଦର ଉଭୟ ଗୃହରେ ଏହା ପାରିତ ହୋଇଥିବା ବେଳେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଅନୁମୋଦନ ପାଇଁ ଏହାକୁ ପଠାଯିବ।
ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। ଆଇନ ଲାଗୁ ହେବା ମାତ୍ରେ ଦେଶରେ କାର୍ଯ୍ୟକ୍ଷମ ହେଉଥିବା ସମସ୍ତ ଟଙ୍କା ଲଗାଣକାରୀ ଗେମ ବା ରିୟଲ ମନି ଆପ ବ୍ୟାନ ହୋଇଯିବ। ଯଦି କୌଣସି କମ୍ପାନୀ ରିୟଲ ମନି ଗେମ୍ସର ସୁବିଧା ଉପଲବ୍ଧ କରନ୍ତି, ତା’ହେଲେ ଏଥିପାଇଁ ୩ ବର୍ଷର ଜେଲ ଓ ୧ କୋଟି ଟଙ୍କାର ଜୋରିମାନା ଲାଗୁ ହେବ। ସେହିପରି ଏପରି ଗେମିଂ ଆପ୍ର ବିଜ୍ଞାପନ କଲେ ବା ପ୍ରଚାର ପ୍ରସାର କଲେ ୨ ବର୍ଷ ଯାଏ ଜେଲ ଓ ୫୦ ଲକ୍ଷ ଟଙ୍କା ଯାଏ ଜୋରିମାନା ଲାଗୁ କରାଯିବ।
ରାଜ୍ୟସଭାରେ ବିଲକୁ ଉପସ୍ଥାପନ କରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ଟଙ୍କା ଲଗାଣକାରୀ ଗେମିଂର ଅଭ୍ୟାସ ସଂପୂର୍ଣ୍ଣ ଡ୍ରଗ ଅଭ୍ୟାସ ସହ ସମାନ। ଅନଲାଇନ ଟଙ୍କା ଲଗାଣକାରୀ ଖେଳ ପଛରେ ଥିବା ଶକ୍ତିଶାଳୀ ଲୋକମାନେ ଏହାକୁ କୋର୍ଟରେ ଏହାକୁ ଚ୍ୟାଲେଞ୍ଜ କରିପାରନ୍ତି। ଏହି ବ୍ୟାନ ବିରୋଧରେ ସେମାନେ ସୋଶାଲ ମିଡିଆରେ ନିଜର ଅଭଯାନ ମଧ୍ୟ ଚଳାଇବେ। ହେଲେ ଆମେ ଅନଲାଇନ ଗେମର ପ୍ରଭାବ ଓ ଆତଙ୍କବାଦ ପାଇଁ କେମିତି ଏହି ଟଙ୍କାର ବ୍ୟବହାର ହେଉଛି, ସେକଥା ଆମେ ଦେଖିଛୁ।”
ଅନଲାଇନ ଟଙ୍କାଲଗାଣକାରୀ ଆପ୍ ଜରିଆରେ ଲୋକମାନେ ଟଙ୍କା ଜମା କରି ଅଧିକ ଅର୍ଥ ପାଇବା ଆଶାରେ ଖେଳନ୍ତି। ଅନେକ ସଂସ୍ଥା ଲୋକଙ୍କୁ ପ୍ରଲୋଭିତ କରିବାକୁ ବଡ଼ବଡ଼ ଅଫର ମଧ୍ୟ ଦେଉଛନ୍ତି। ଏହି ନିଶାରେ ଅନଲାଇନ ଗେମ ଅଭ୍ୟାସରେ ପରିଣତ ହେଉଛି। ବିଜୟ ଆଶାରେ ଅନେକ ଲୋକ ପାଣି ଭଳି ଗେମିଂ ଆପରେ ଟଙ୍କା ଲଗାଉଛନ୍ତି। ଏଥିଯୋଗୁ ଆତ୍ମହତ୍ୟା ଓ ଆର୍ଥିକ ସଙ୍କଟ ଭଳି ପରିସ୍ଥିତି ଦେଖାଯାଉଛି। ଏହାକୁ ଦୃଷ୍ଟିରେ ସରକାର ଏପରି ବ୍ୟବସ୍ଥା ଆପଣାଇଛନ୍ତି।
ଏହା ଆଇନରେ ପରିଣତ ହେଲେ ଟଙ୍କା ଲଗାଣକାରୀ Dream11ଓ My11Circle ଭଳି ଫ୍ୟାଣ୍ଟାସୀ ଆପ୍ ଭାରତରେ ବ୍ୟାନ ହୋଇଯିବ। କେବଳ Dream 11 ଓ My11Circle ନୁହେଁ, MPL, Winzo, GamesKraft, 99Games, KheloFantasy, Games24x7, Pokerbaazi, Rummy, and Parimatch ମଧ୍ୟ ଦେଶରେ ବ୍ୟାନ ହୋଇଯିବ।
ବ୍ୟାନ ଦ୍ୱାରା ୪ ୦୦ କମ୍ପାନୀ, ୨ ଲକ୍ଷ ଚାକିରି, ୨୫ ହଜାର କୋଟିର ନିବେଶ ଓ ସରକାର ବାର୍ଷିକ ଜିଏସଟିରୁ ଆଦାୟ କରୁଥିବା ୨୦ ହଜାର କୋଟି ଟଙ୍କା ହରାଇବେ। ବର୍ତ୍ତମାନ ଦେଶରେ ଅନଲାଇନ ଗେମିଂ ମାର୍କେଟର ମୂଲ୍ୟ ୩.୭ ବିଲିୟନ ଡଲାର ରହିଛି। ଆକଳନ କରାଯାଉଥିଲା ଯେ ଏହା ୨୦୨୯ ସୁଦ୍ଧା ୯.୧ ବିଲିୟନ ଡଲାରରେ ପହଞ୍ଚିବ। ଆଜିକା ଦିନକରେ ଏଥିରୁ ମିଳୁଥିବା ମୋଟ ରାଜସ୍ୱର ୮୬% ଅଂଶ ରିୟଲ ମନି ଗେମିଂ ଆପରୁ ମିଳୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
