OP
ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଭାରତୀୟ ସେନା ଅପରେସନ ସିନ୍ଦୂରକୁ ବେଶ ସଫଳତାର ସହ ଶେଷ କରିଛି। ମଙ୍ଗଳବାର ରାତି ୧.୦୫ରୁ ୧.୩୦ ମଧ୍ୟରେ ଭାରତୀୟ ସେନାର ଯୁଦ୍ଧ ବିମାନ କରିଥିବା ମିସାଇଲ ମାଡ଼ରେ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ ହୋଇଯାଇଛି। ପାକିସ୍ତାନରେ ଥିବା ୪ଟି ଓ ପିଓକେରେ ଥିବା ୫ଟି ଆତଙ୍କୀ ଆଡ୍ଡା ପୂରା ମାଟିରେ ମିଶି ଯାଇଛି।
ଏପ୍ରିଲ ୨୨ ପହଲଗାମ ଆକ୍ରମଣ ବଦଲା ନେବାକୁ ଭାରତୀୟ ସେନା ଏପରି ହମଲା କରିଥିଲା। ଭାରତୀୟ ସେନାର ଭୟଙ୍କର ମିସାଇଲ ମାଡ଼ରେ ଆତଙ୍କୀ ଆଡ୍ଡା ଧ୍ୱଂସ ହୋଇଥିଲା ସତ, କିନ୍ତୁ କେତେ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ସେକଥା ସରକାର କହି ନଥିଲେ। କିନ୍ତୁ ଜାତୀୟ ଗଣମାଧ୍ୟମ ଗୁଡ଼ିକ ଭିନ୍ନ ଭିନ୍ନ ସଂଖ୍ୟା ଜାରି କରିଥିଲେ। କେଉଁ ଟିଭି ଚ୍ୟାନେଲ ଅପରେସନ ସିନ୍ଦୂରରେ ୭୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି କହୁଥିବା ବେଳେ ଆଉ କିଛି ଗଣମାଧ୍ୟମ ଏହି ସଂଖ୍ୟା ୯୦୦ରୁ ଅଧିକ ବୋଲି ପ୍ରଚାର କରିଥିଲେ।
କିନ୍ତୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସସପେନ୍ସ ଉପରୁ ପରଦା ହଟାଇଛନ୍ତି। ଅପରେସନ ସିନ୍ଦୂର ପରେ ବସିଥିବା ଆଜିର ସର୍ବଦଳୀୟ ବୈଠକରେ ରାଜନାଥ ସିଂହ କେତେ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି, ସେକଥା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ସେନାର ଅପରେସନ ସିନ୍ଦୂରରେ ଅତିକମରେ ୧୦୦ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।
ସେହିପରି ଅପରେସନ ସିନ୍ଦୂରର ଜବାବ ଦେବାକୁ ଯଦି ପାକିସ୍ତାନ ଚେଷ୍ଟା କରିବ, ତା’ହେଲେ ଭାରତ ପାଲଟା ଜବାବ ଦେବାକୁ ଆଦୌ ପଛ ଘୁଞ୍ଚା ଦେବ ନାହିଁ। ଅପରେସନ ସିନ୍ଦୂର ଏବେ ବି ବନ୍ଦ ହୋଇନି। ଏହି ବିକଳ୍ପ ଖୋଲା ରହିଛି। ଦରକାର ପଡ଼ିଲେ ଭାରତ ପୁଣି ଅପରେସନ ସିନ୍ଦୂରକୁ ତ୍ୱରାନ୍ୱିତ କରିବ ବୋଲି ମଧ୍ୟ ସେ କହିଛନ୍ତି।
ମଙ୍ଗଳବାର ବିଳମ୍ବିତ ରାତିରେ ଅପରେସନ ସିନ୍ଦୂର ସଫଳତାର ସହ ଶେଷ ହୋଇଥିବା ବେଳେ ଆଜି ସରକାର ସବୁ ଦଳର ସଦସ୍ୟମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଅପରେସନ ସିନ୍ଦୂର କେମିତି ସଫଳ ହେଲା ଓ ଏହା ପରେ କ’ଣ ସବୁ ହୋଇଛି, ସେକଥା ସମସ୍ତଙ୍କୁ ଜଣାଇ ଦିଆଯାଇଛି। ଏପ୍ରିଲ ୨୨ ପହଲଗାମ ଆକ୍ରମଣ ପରେ ଏହା ଦ୍ୱିତୀୟ ସର୍ବଦଳୀୟ ବୈଠକ।
ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା ରାଜନାଥ ସିଂହ କରିଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ନଥିଲେ। ବିରୋଧୀ ସରକାରଙ୍କ ସହ ଥିବା ଗୋଟିଏ ସ୍ୱରରେ କହିଥିଲେ ହେଁ ମୋଦିଙ୍କ ଅନୁପସ୍ଥିତି ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ରମନ୍ତ୍ରୀ ରାଜନାଥଙ୍କ ବ୍ୟତୀତ ଅମିତ ଶାହ, ଏସ ଜୟଶଙ୍କର ଓ ନିର୍ମଳା ସୀତାରମଣ ସରକାରଙ୍କ ପକ୍ଷରୁ ବୈଠକରେ ଉପସ୍ଥିତି ରହିଥିବା ବେଳେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେ ସାମିଲ ହୋଇଥିଲେ।
ସେହିପରି ଟିଏମସିର ସନ୍ଦୀପ ବନ୍ଦୋପାଧ୍ୟାୟ, ଡିଏମକେର ଟିଆର ବାଲୁ, ସପାର ରାମ ଗୋପାଲ ଯାଦବ, ଆପର ସଞ୍ଜୟ ସିଂହ, ଶିବସେନା(ଉଦ୍ଧବ ଠାକରେ) ସଞ୍ଜୟ ରାଉତ, ଏନସିପି(ଶରଦ ପାୱାର) ସୁପ୍ରିୟା ସୁଲେ, ବିଜେଡିର ସସ୍ମିତ ପାତ୍ର, ସିପିଆଇ(ଏମ), ଜନ ବ୍ରିଟାସ, ଏଆଇଏମଆଇଏମର ଅସାଦୁଦ୍ଦିନ ଓୱେସୀ ପ୍ରମୁଖ ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ।
ପହଲଗାମ ହମଲାର ବଦଲା ନେବାକୁ ସ୍ଥଳ, ବାୟୁ ଓ ନୌସେନା ମିଳିତ ଭାବେ ଅପରେସନ କରିଥିଲେ। ଭାରତୀୟ ସେନା ୨୫ ମିନିଟରେ ଭାରତର ୨୪ଟି ମିସାଇଲ ମାଡ଼ କରିଥିଲା। ସ୍ଥଳ ଭାଗ ଓ ଆକାଶ ମାର୍ଗରୁ ଟାର୍ଗେଟକୁ ହିଟ କରିପାରୁଥିବା ମିସାଇଲ ଦ୍ୱାରା ଆକ୍ରମଣ କରାଯାଇଥିଲା। ସର୍ଭେଲାନ୍ସ ଡ୍ରୋନ ଦ୍ୱାରା କ୍ଷୟକ୍ଷତିର ତାଜା ଚିତ୍ରକୁ ରେକର୍ଡ କରାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟ ଥିବା ବାହାବଲପୁରରେ ଥିବା ଜୈଶ-ଇ-ମହମ୍ମଦର ମୁଖ୍ୟାଳୟ। ଏହା ଅନ୍ତର୍ଜାତୀୟ ସୀମା ରେଖା ଠାରୁ ପ୍ରାୟ ୧୦୦ କିମି ଦୂର। ଏହି ସହରକୁ ଜୈଶ ଅପରେସନର ନର୍ଭ ସେଣ୍ଟର ଭାବେ ବିବେଚନା କରାଯାଏ। ଏହି ସ୍ଥାନଟି ୨୦୧୯ ପୁଲୱାମା ଆକ୍ରମଣ ଠାରୁ ଭାରତୀୟ ସୁରକ୍ଷା ଏଜେନ୍ସିର ରାଡାରରେ ଥିଲା।
ବାହାବଲପୁରରେ ଥିବା ସୁଭାନ ଆଲ୍ଲା ମସଜିଦକୁ ଟାର୍ଗେଟ କରି ମିସାଇଲ ମାଡ଼ କରାଯାଇଛି। ମିସାଇଲ ମାଡ଼ରେ ଏହା ପୂରା ଛିନଛତ୍ର ହୋଇଯାଇଛି। ୨୦୧୯ ଫେବୃଆରୀ ୧୪ରେ ପୁଲୱାମାରେ ସୁରକ୍ଷାକର୍ମୀ ଟାର୍ଗେଟ କରି ହୋଇଥିବା ହମଲା ବ୍ଲୁ ପ୍ରିଣ୍ଟ ଏହି ଠାରେ ହିଁ ପ୍ରସ୍ତୁତ ହୋଇଥିଲା। ଏଠାରେ ଜୈଶର ସଦସ୍ୟମାନଙ୍କୁ ତାଲିମ ଦିଆଯାଏ ଓ ସେମାନଙ୍କୁ ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରାଯାଏ।
ଆଉ ଏକ ପ୍ରମୁଖ ଟାର୍ଗେଟ ହେଉଛି ମୁରିଦକେ। ଏହା ଭାରତ-ପାକିସ୍ତାନ ସୀମା ଠାରୁ ୩୦ କିମି ଦୂର। ସାମ୍ବାର ଅପରପାର୍ଶ୍ୱରେ ଏହା ରହିଛି। ଏଠାରେ ଲସ୍କରର ଗୋଟିଏ କ୍ୟାମ୍ପ ରହିଥିଲା। ଏହି କ୍ୟାମ୍ପରେ ୨୬/୧୧ ମୁମ୍ବାଇ ଆକ୍ରମଣର ଯୋଜନା ହୋଇଥିଲା।
ଭାରତୀୟ ସେନା ପିଓକେର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ମିସାଇଲ ମାଡ଼ କରିଛନ୍ତି। ତଙ୍ଗଧର ସେକ୍ଟରରେ ଭାରତୀୟ ମିସାଇଲ ସାୱାଇ କ୍ୟାମକୁ ହିଟ କରିଛି। ଏହି କ୍ୟାମ୍ପଟି ଲସ୍କରର ହବ ଭାବେ ପରିଚିତ ଥିଲା। ଏହି କ୍ୟାମ୍ପର ଲିଙ୍କ ସୋନମାର୍ଗ(୨୦୨୪ ଅକ୍ଟୋବର ୨୦), ଗୁଲମର୍ଗ(୨୦୨୪, ଅକ୍ଟୋବର ୨୪) ଓ ନିକଟରେ ହୋଇଥବା ପହଲଗାମ ହମଲା ସହ ରହିଥିଲା।
ପୁଞ୍ଚ-ରଜୌରୀ ବେଲ୍ଟ ସ୍ଥିତ ଏଲଓସି ଠାରୁ ୩୫ କିମି ଦୂରରେ ରହିଥିବା ଗୁଲପୁରରେ ବି ହମଲା ହୋଇଛି। ଏଠାରେ ଥିବା କ୍ୟାମ୍ପରୁ ଆତଙ୍କବାଦୀମାନେ ୨୦୨୩ ଏପ୍ରିଲରେ ପୁଞ୍ଚ ଠାରେ ଭାରତୀୟ ସେନାକୁ ଟାର୍ଗେଟ କରିଥିଲା। ସେହିପରି ୨୦୨୪ ଜୁନ ମାସରେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ବସ ଉପରେ ହୋଇଥିବା ଆକ୍ରମଣର ଲିଙ୍କ ଏହି କ୍ୟାମ୍ପ ସହ ରହିଥିଲା।
ପହଲଗାମ ହମଲା ଠାରୁ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ମିଳିତ ଭାବେ ଆତଙ୍କବାଦୀଙ୍କ କ୍ୟାମ୍ପଗୁଡ଼ିକୁ ଚିହ୍ନଟ କରିଥିଲେ। ସେମାନେ ଚିହ୍ନଟ କରିଥିବା ୯ଟି ସ୍ଥାନରେ ମିସାଇଲ ଆଟାକ ହୋଇଛି। ଗୁଇନ୍ଦା ତଥ୍ୟ ଆଧାରରେ ତିନି ସେନା ଆକ୍ରମଣ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/OP_1746691292.jpg)