/odisha-reporter/media/media_files/2026/02/09/om-birla-2026-02-09-12-06-26.jpg)
ବାଚସ୍ପତି ଓମ ବିର୍ଲା
ଲୋକସଭା(Lok Sabha) ବାଚସ୍ପତି ଗୃହ ପରିଚାଳନାରେ ପକ୍ଷପାତିତା କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ। ଏଥିପାଇଁ ତାଙ୍କ ବିରୋଧରେ ସେମାନେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧିଙ୍କୁ ଲୋକସଭାରେ ନିଜର ପକ୍ଷ ରଖିବାକୁ ଅନୁମତି ମିଳି ନଥିଲା।
ବିରୋଧୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ରାହୁଲ ଗାନ୍ଧିଙ୍କୁ ମତ ରଖିବାକୁ ଅନୁମତି ଦେଇ ନଥିଲେ ବାଚସ୍ପତି। ସରକାରଙ୍କ ନିର୍ଦ୍ଦେଶରେ ବାଚସ୍ପତି ଶ୍ରୀ ବିର୍ଲା ଏପରି କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଏଥିପାଇଁ ବିରୋଧୀ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚାହୁଁଛନ୍ତି।
ଗତ ସପ୍ତାହରେ ଲୋକସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମଏମ ନରଭାଣେଙ୍କ ଅପ୍ରକାଶିତ ବହିରେ ଥିବା ୨୦୨୦ ଚାଇନା ସହ ବିବାଦ ପ୍ରସଙ୍ଗ ରାହୁଲ ଗାନ୍ଧି ଲୋକସଭାରେ ଉଠାଇଥିଲେ। ଏହାକୁ ନେଇ ବିରୋଧୀ ଓ ସରକାରୀ ଦଳ ମଧ୍ୟରେ ବେଶ ଯୁକ୍ତିତର୍କ ହୋଇଥିଲା।
ରାହୁଲ ଗାନ୍ଧି ଅପ୍ରକାଶିତ ବହିରେ ଥିବା ତଥ୍ୟକୁ ଉପସ୍ଥାପନ କରିବାକୁ ଚାହୁଁଥିବାରୁ ବାଚସ୍ପତି ଏଥିପାଇଁ ଅନୁମତି ଦେଇ ନଥିଲେ।
ଗୋଟିଏ ରୁଲିଂ ବଳରେ ବାଚସ୍ପତି କହିଥିଲେ ଯେ ଅପ୍ରକାଶିତ ବହିରେ ଥିବା ତଥ୍ୟ ଗୃହରେ କୌଣସି ସଦସ୍ୟ ପଢ଼ି ପାରିବେ ନାହିଁ। ସେହିପରି ଫେବୃଆରୀ ୫ରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଶ୍ରୀ ବିର୍ଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକସଭା ଆସିବାକୁ ମନା କରିଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଗୃହକୁ ଆସିଲେ ବିରୋଧୀ କୌଣସି ଅପ୍ରତ୍ୟାଶିତ ଘଟଣା ଘଟାଇବାର ଆଶଙ୍କା କରି ବାଚସ୍ପତି ବିଲା ଏପରି କରିଥିଲେ। ବାଚସ୍ପତିଙ୍କ ଏପରି ପଦକ୍ଷେପକୁ ମଧ୍ୟ ବିରୋଧୀ ନାପସନ୍ଦ କରିଛନ୍ତି।
ଆଜି ମଧ୍ୟ ଲୋକସଭା ଚାଲି ପାରିନାହିଁ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ କରିଛନ୍ତି। ବିରୋଧୀ ଦଳର ସଦସ୍ୟମାନେ ନିକଟରେ ହୋଇଥିବା ଭାରତ-ଆମେରିକା ବାଣିଜ୍ୟ ଡିଲ ଉପରେ ଆଲୋଚନା କରିବାକୁ ଜିଦ କରୁଥିବାରୁ ଗୃହ କାର୍ଯ୍ୟ ଚାଲି ପାରୁନାହିଁ। ଏଥିଯୋଗୁ ଗୃହ କାର୍ଯ୍ୟ ମାତ୍ର ୭ ମିନିଟ ଚାଲି ପାରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
