Advertisment

AIADMKକୁ ଫେରିବାକୁ ଚାହୁଁଛନ୍ତି ଓପିଏସ୍; ଇପିଏସ୍‌ କହିଲେ କୌଣସି ସୁଯୋଗ ନାହିଁ

ଏଆଇଏଡିଏମ୍‌କେରେ ଓପିଏସ୍‌ ଓ ଇପିଏସ୍‌ଙ୍କର ଭଲ ଦବ୍‌ଦବା ଥିଲା। ୨୦୧୬ରେ ଜୟଲଳିତାଙ୍କ ପରଲୋକ ପରେ ଉଭୟଙ୍କ ମଧ୍ୟରେ ସଂପର୍କ ଖରାପ ହୋଇଥିଲା। ୨୦୨୨ରେ ଓପିଏସ୍‌ଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା।

author-image
Jitendra Garnayak
ops and eps

ଓପିଏସ ଓ ଇପିଏସ

ଏକଦା ଜୟଲଳିତାଙ୍କ ବିଶ୍ୱସ୍ତ ସହଯୋଗୀ ଥିବା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନ୍ନିରସେଲଭମ ଓରଫ ଓପିଏସ୍‌ ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇଏଡିଏମ୍‌କେକୁ ଫେରିବାକୁ ଚାହୁଁଛନ୍ତି। କିନ୍ତୁ ଏବେ ଏଆଇଏଡିଏମ୍‌କେର ନେତୃତ୍ୱ ନେଉଥିବା ଏଡାପ୍ପାଡୀ କେ. ପଲାନିସ୍ୱାମୀ ଓରଫ ଇପିଏସ୍‌ ତାଙ୍କୁ ନିରାଶ କରିଛନ୍ତି। ଦଳକୁ ଫେରିବାକୁ ଓପିଏସ୍‌ଙ୍କ ପାଇଁ କୌଣସି ସୁଯୋଗ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ଇପିଏସ୍‌।

Advertisment

ଥେନୀରେ ଏକ ସଭାକୁ ସମ୍ବୋଧିତ କଲା ବେଳେ ଓପିଏସ୍ କହିଥିଲେ, ମୁଁ କାହା ସହିତ ମେଣ୍ଟ କରିବା ନେଇ କିଛି ନିଷ୍ପତ୍ତି ନେଇ ନାହିଁ। ଏଆଇଏଡିଏମ୍‌କେରେ ଆମର ଅଧିକାର ପାଇବା ପାଇଁ ଆମେ ଆଇନଗତ ଲଢ଼େଇ ଜାରି ରଖିବୁ। ମୁଁ ଏଆଇଏଡିଏମ୍‌କେ ସହିତ ଯୋଡ଼ି ହେବାକୁ ପ୍ରସ୍ତୁତ ଅଛି। ଟିଟିଭି ଦିନାକରନ ମୋତେ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି। ଇପିଏସ୍ ମୋତେ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି କି?

ଓପିଏସ୍‌ ଆହୁରି କହିଥିଲେ ଯେ ଏଆଇଏଡିଏମ୍‌କେକୁ ଫେରିବା ପାଇଁ ଟିଟିଭି ଦିନାକରନ ତାଙ୍କୁ ସାହାଯ୍ୟ କରିବେ। 
ଓପିଏସ୍‌ଙ୍କ ଭଳି ଟିଟିଭି ଦିନାକରନଙ୍କୁ ମଧ୍ୟ ଏଆଇଏଡିଏମ୍‌କେରୁ ବହିଷ୍କାର କରାଯାଇଥିଲା। ୨୦୧୮ରେ ଦିନାକରନ ତାଙ୍କ ଦଳ ‘ଏଏମ୍‌ଏମ୍‌କେ’ ଗଠନ କରିଥିଲେ। ନିକଟରେ ତାଙ୍କ ଦଳ ଏନ୍‌ଡିଏରେ ସାମିଲ ହୋଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ଦିନାକରନ କହିଥିଲେ ଯେ ଓପିଏସ୍‌ ଏନ୍‌ଡିଏରେ ମିଶିବେ ବୋଲି ତାଙ୍କର ଆଶା ଅଛି। 

Advertisment

ପୂର୍ବରୁ ଏଆଇଏଡିଏମ୍‌କେରେ ଥିବା ସବୁ ନେତାଙ୍କ ଗୋଷ୍ଠୀକୁ ଏକାଠି କରି ମିଳିତ ଭାବେ ଡିଏମ୍‌କେ ବିପକ୍ଷରେ ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବାକୁ ବିଜେପି ଯୋଜନା କରୁଥିବାରୁ ତାମିଲନାଡୁରେ ଏଭଳି ରାଜନୀତିକ ଚିତ୍ର ଦେଖିବାକୁ ମିଳୁଛି ବୋଲି କୁହାଯାଉଛି। 

ଯଦି ଓପିଏସଙ୍କୁ ଏଆଇଏଡିଏମ୍‌କେ ପୁଣି ଗ୍ରହଣ କରେ ଅବା ସେ ଏନ୍‌ଡିଏରେ ସାମିଲ ହୁଅନ୍ତି, ତା’ହେଲେ ମେଣ୍ଟକୁ ବହୁତ ବଡ଼ ବଳ ମିଳିବ। କାରଣ ଓପିଏସ୍ ତାମିଲନାଡୁର ମୁକ୍କୁଲାଥୋର (ଥେଭର) ସଂପ୍ରଦାୟର ଜଣେ ବଡ଼ ନେତା। ତାମିଲନାଡୁର ମୋଟ ଜନସଂଖ୍ୟାର ୧୨% ହେଉଛନ୍ତି ମୁକ୍କୁଲାଥୋର ସଂପ୍ରଦାୟର। 

ଏଆଇଏଡିଏମ୍‌କେରେ ଓପିଏସ୍‌ ଓ ଇପିଏସ୍‌ଙ୍କର ଭଲ ଦବ୍‌ଦବା ଥିଲା। ୨୦୧୬ରେ ଜୟଲଳିତାଙ୍କ ପରଲୋକ ପରେ ଉଭୟଙ୍କ ମଧ୍ୟରେ ସଂପର୍କ ଖରାପ ହୋଇଥିଲା। ୨୦୨୨ରେ ଓପିଏସ୍‌ଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ସେ ଇପିଏସ୍‌ଙ୍କ ବିରୋଧରେ ପ୍ରଚାର କରିବାରୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।