କୁଶୱା ପରିବାର ସାନ ଝିଅ ହେଉଛନ୍ତି ପ୍ରୀତି। ୨୩ ତାରିଖ ରବିବାର ପଡ଼ିଥିବା ବେଳେ ସେ ଏକାକୀ ଘରେ ଥିଲେ। ତାଙ୍କ ସମ୍ପର୍କୀୟ ବଡ଼ ଭାଇ, ଭଉଣୀ ଓ ବାପା ମା’ କୌଣସି କାମରେ ବାହାରକୁ ଯାଇଥିଲେ। ସନ୍ଧ୍ୟାରେ ପ୍ରୀତିଙ୍କ ମା’ଙ୍କ ପାଖକୁ ଝିଅ ଫୋନ କରିଥିଲେ। ଫୋନରେ ଝିଅ କହିଥିଲେ, “ମା’ ତୁମ ପାଇଁ ମୁଁ କିଛି ରୁଟି କରିଛି। ଘରକୁ ଫେରିବା ପରେ ନିଶ୍ଚିତ ଖାଇନେବ।”
ଏକଥା ଶୁଣି ଥିବା ମା’ଙ୍କୁ ସମ୍ଭବତଃ ଜଣା ନଥିଲା ଯେ ସେ ଘରକୁ ଫେରିବା ପରେ ଝିଅର ଝୁଲାନ୍ତ ମୃତଦେହକୁ ଦେଖିବେ। ପରିବାର ଲୋକ ଘରେ ପହଞ୍ଚିଲା ବେଳକୁ ପ୍ରୀତି ବେକରେ ଓଢ଼ଣୀ ବାନ୍ଧି ଫ୍ୟାନରେ ଝୁଲି ପଡ଼ିଥିଲେ। ଦେଶର ରାଜଧାନୀ ଦିଲ୍ଲୀରେ ରହୁଥିବା କୁଶୱା ପରିବାର ସଦସ୍ୟ ଝିଅର ଆତ୍ମହତ୍ୟା ପାଇଁ ତାଙ୍କ ପ୍ରେମିକଙ୍କୁ ଦାୟୀ କରିଛନ୍ତି। ପ୍ରୀତିଙ୍କ ପ୍ରେମିକ ମଧ୍ୟ ଜଣେ ଦୂର ସମ୍ପର୍କୀୟ ଭାଇ।
ସମ୍ପର୍କୀୟ ଭାଇ-ଭଉଣୀରୁ ପ୍ରେମପକ୍ଷୀ
୧୮ ବର୍ଷୀୟ ପ୍ରୀତି ଦିଲ୍ଲୀର ଗୋଟିଏ ଘରୋଇ କମ୍ପାନୀରେ କାମ କରନ୍ତି। ୨ ବର୍ଷ ତଳେ କୁଶୱା ପରିବାର ନିଜର ହୋମ ଟାଉନକୁ ଗୋଟିଏ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ପ୍ରୀତିଙ୍କ ଦେଖା ଜଣେ ପୁଅ ସହ ହୋଇଥିଲା। ସମ୍ପର୍କରେ ସେ ତାଙ୍କର ଦୂର ସମ୍ପର୍କୀୟ ଭାଇ ହେବେ। ପ୍ରଥମ ଦେଖାରୁ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ହୋଇ ଯାଇଥିଲା। ନମ୍ବର ଅଦଳବଦଳ ପରେ କଥାବାର୍ତ୍ତା ଆଗକୁ ବଢ଼ିଥିଲା। ସମ୍ପର୍କ ଉଭୟଙ୍କ ମଧ୍ୟରେ ଏତେ ନିବିଡ଼ ହୋଇ ଯାଇଥିଲା ଯେ ସେମାନେ ଗୁପ୍ତରେ ବିବାହ ମଧ୍ୟ କରି ନେଇଥିଲେ।
ପ୍ରୀତିଙ୍କ ଅପ୍ରତ୍ୟାଶିତ ଆତ୍ମହତ୍ୟା ପରେ ଗୁପ୍ତ ବିବାହ ସର୍ବସମ୍ମୁଖକୁ ଆସିଛି। ପ୍ରୀତିଙ୍କ ମୃତ୍ୟୁ ପରେ ତାଙ୍କର ଜଣେ ବନ୍ଧୁ କିଛି ଫୋଟ ଓ ମେସେଜର ସ୍କ୍ରିନ ଶଟ ସମସ୍ତଙ୍କୁ ଦେଖାଇଛନ୍ତି। ଏହି ଫଟୋ ଓ ସ୍କ୍ରିନ ଶଟରୁ ପ୍ରୀତି ଏବଂ ତାଙ୍କ ପ୍ରେମିକଙ୍କ ମଧ୍ୟରେ ଥିବା ନିବିଡ଼ତା ସ୍ପଷ୍ଟ ଭାବେ ଜଣାପଡ଼ୁଛି।
ନିଜ ଚ୍ୟାଟରେ ପ୍ରୀତି ତାଙ୍କ ପ୍ରେମିକଙ୍କୁ ସ୍ୱାମୀ ଜୀ ବୋଲି ଉଲ୍ଲେଖ କରିଛନ୍ତି। ୨୦୨୩ ଏପ୍ରିଲ ମାସରେ ହୋଇଥିବା ଚାଟରେ ପ୍ରୀତି ତାଙ୍କ ପ୍ରେମିକଙ୍କ ନାଁ ରିଙ୍କୁ ଜୀ ବୋଲି ଲେଖିଛନ୍ତି। ଗୋଟିଏ ଫଟୋରେ ଦେଖିବାକୁ ମିଳୁଛି ଯେ ଦୁଇ ଜଣ ବିବାହ କରୁଛନ୍ତି। ପ୍ରୀତିଙ୍କ ମଥାରେ ତାଙ୍କ ପ୍ରେମିକ ସିନ୍ଦୂର ଦେଉଥିବା ଦେଖାଯାଉଛି।
ପ୍ରେମରେ ଅନ୍ଧ ଥିଲେ ପ୍ରୀତି
ନିକଟରେ ପ୍ରୀତି ଲଣ୍ଡା ହୋଇଯାଇଥିଲେ। ସେ ତାଙ୍କ ଲମ୍ବା ଓ ସୁନ୍ଦର ଚୁଟିକୁ ସବୁବେଳେ ଗୁରୁତ୍ୱ ଦେଉଥିଲେ। କିନ୍ତୁ ହଠାତ୍ ସେ ସବୁ ଚୁଟି କାଟି ଦେଇଥିଲେ। କୁହାଯାଉଛି ଯେ ଏପରି ପଦକ୍ଷେପ ନେବାରେ ତାଙ୍କ ପ୍ରେମିକ ଦାୟୀ। ଚୁଟି ଖରାପ ହୋଇ ଯାଉଥିବା ଆଳ ଦେଖାଇ ପ୍ରୀତି ଲଣ୍ଡା ହେବାକୁ ଚାହୁଁଥିବା ଘର ଲୋକଙ୍କୁ କହିଥିଲେ। ହେଲେ ଏହାକୁ ତାଙ୍କ ଉଭଣୀ ହିମାନୀ ବିରୋଧ କରିଥିଲେ। ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ବି ହୋଇଥିଲା।
ପ୍ରୀତି ତାଙ୍କ ଚୁଟି କାଟିବା ଜିଦରେ ଅଡ଼ି ବସିଥିଲେ ଓ ସେଲୁନ ଯାଇ ଲଣ୍ଡା ହୋଇଯିବେ ବୋଲି ଧମକ ଦେଇଥିଲେ। ବାହାରେ ଯାଇ ଲଣ୍ଡା ହେଲେ ଲୋକ ହସା ହେବାର ଆଶଙ୍କା ରହିଥିବା କୁଶୱା ପରିବାର ଭାବିଥିଲେ। ତେଣୁ ପ୍ରୀତିଙ୍କୁ ଘରେ ତାଙ୍କ ଭାଇ ଲଣ୍ଡା କରିଥିଲେ।
ପ୍ରୀତିଙ୍କ ମୃତ୍ୟୁ ପରେ ଜଣାପଡ଼ିଛି ଯେ ତାଙ୍କୁ ସବୁ ବେଳେ ତାଙ୍କ ପ୍ରେମିକ ପ୍ରଶଂସା କରୁଥିଲେ ଓ ପଚାରୁଥିଲେ ଯେ “ତୁମେ ବହୁତ ସୁନ୍ଦର। ତମର ଲମ୍ବା ଚୁଟି ତୁମ ସୁନ୍ଦରତାକୁ ଦୁଇ ଗୁଣ କରୁଛି। ଯଦି ଆଉ କେହି ତୁମକୁ ପସନ୍ଦ କରିନବ, ତା’ହେଲେ ମୁଁ କ’ଣ କରିବି?” ନିଜ ପ୍ରେମିକ ଛଡ଼ା ପ୍ରୀତି ଆଉ କାହାକୁ ପସନ୍ଦ କରୁ ନଥିଲେ। ନିଜ ସୁନ୍ଦରତାର କାରଣ ଚୁଟି ହେଇଥିବାରୁ ପ୍ରୀତି ଏହାକୁ କାଟି ଦେଇଥିବା କୁହାଯାଉଛି।
ପ୍ରେମିକରୁ ଅଜଣା ବ୍ୟକ୍ତି?
କିଛି ବର୍ଷର ପ୍ରେମ ସମ୍ପର୍କ ଓ ଗୁପ୍ତ ବିବାହ ସତ୍ତ୍ୱେ ପ୍ରୀତିଙ୍କ ସହ ସବୁ ପ୍ରକାରର ସମ୍ପର୍କ ତାଙ୍କ ପ୍ରେମିକ ତୁଟାଇ ଦେଇଥିଲେ। ଏପରି କି ପ୍ରୀତିଙ୍କ ନମ୍ବରକୁ ମଧ୍ୟ ସେ ବ୍ଲକ କରି ଦେଇଥିଲେ। ଏଥିଯୋଗୁ ପ୍ରୀତି ମାନସିକ ଅବସାଦ ମଧ୍ୟକୁ ଚାଲି ଯାଇଥିଲେ। ପ୍ରୀତିଙ୍କ ସୋଶାଲ ମିଡିଆ ପୋଷ୍ଟରୁ ମଧ୍ୟ ଜଣାପଡ଼ିଛି ଯେ ସେ ଅନେକ ମାନସିକ ଚାପରେ ରହିଥିଲେ। ମାର୍ଚ୍ଚ ୧୩ରେ ପ୍ରୀତି ଇନଷ୍ଟାଗ୍ରାମରେ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଛନ୍ତି ଯେ “ଯଦି ସେ ମୋତେ ମେସେଜ କରୁ ନାହାନ୍ତି, ତା’ହେଲେ କ’ଣ ହେଲା? ସେ ମୋତେ ଯେମିତି ହେଲେ ମନେ ରଖିଥିବେ।” ମାର୍ଚ୍ଚ ୧୯ରେ ପୋଷ୍ଟ କରିଥିବା ଭିଡିଓରେ ପ୍ରୀତି ଲେଖିଛନ୍ତି, “ଫରକ ତ ପୂର୍ବରୁ ପଡ଼ୁଥିଲା। କିନ୍ତୁ ଏବେ ଆମେ ତାଙ୍କୁ ଦେଖୁ ମଧ୍ୟ ନାହୁଁ।”
ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ପ୍ରୀତି ପିଜା ଅର୍ଡର କରିଥିଲେ ଓ ଥଣ୍ଡା ପାନୀୟ ପିଇଥିଲେ। ମା’ଙ୍କୁ ଫୋନ କରିବା ପରେ ସେ ତାଙ୍କ ପ୍ରେମିକଙ୍କୁ ମଧ୍ୟ କଲ କରିଥିଲେ। କିନ୍ତୁ ସେ ଫୋନ ଉଠାଇ ନଥିବା ଜଣାପଡ଼ିଛି। ପ୍ରୀତିଙ୍କ ମୃତ୍ୟୁକୁ ୧୦ ଦିନରୁ ଅଧିକ ହେଲାଣି। କିନ୍ତୁ ପୁଲିସ୍ ଏଯାଏ ତାଙ୍କ ପ୍ରେମିକ ବିରୋଧରେ କୌଣସି ପଦକ୍ଷେପ ନେଇ ନାହିଁ। ଏବେ କୁଶୱା ପରିବାର ନ୍ୟାୟ ଅପେକ୍ଷାରେ ରହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।