Advertisment

ସ୍ଥିତି ସାଂଘାତିକ: ମଣିପୁର ଗଲେ ଆଉ ୧୦,୮୦୦ ସୁରକ୍ଷାକର୍ମୀ

୨୦୨୩ ମେ’ ମାସରୁ ମଣିପୁରରେ ଲାଗି ରହିଥିବା ହିଂସା ଯୋଗୁ ୨୫୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏବେର ସ୍ଥିତିକୁ ଦୃଷ୍ଟିରେ ଆଉ ୯୦ କମ୍ପାନୀ ସୁରକ୍ଷାକର୍ମୀ ଏଠାକୁ ଆସୁଛନ୍ତି।

author-image
Hemant Lenka
Manipur

Manipur

ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ହିଂସା ଥମିବାର ନାଁ ନେଉନାହିଁ। ସ୍ଥିତି ବେକାବୁ ହେଉଥିବାରୁ କେନ୍ଦ୍ର ସରକାର ଆଉ ୧୦,୮୦୦ ଜଣ ସୁରକ୍ଷାକର୍ମୀଙ୍କୁ ମିଆଁମାର ସୀମାକୁ ଲାଗିଥିବା ମଣିପୁର ପଠାଇଛନ୍ତି। ଏହାକୁ ମିଶାଇ ମଣିପୁରରେ କେନ୍ଦ୍ରୀୟ ସୁରକ୍ଷାବଳଙ୍କ କମ୍ପାନୀ ସଂଖ୍ୟା ୨୮୮ରେ ପହଞ୍ଚିଛି।

Advertisment

ମଣିପୁରର ମୁଖ୍ୟ ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂହ କହିଛନ୍ତି ଯେ ୨୦୨୩ ମେ’ ମାସରୁ ମଣିପୁରରେ ଲାଗି ରହିଥିବା ହିଂସା ଯୋଗୁ ୨୫୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏବେର ସ୍ଥିତିକୁ ଦୃଷ୍ଟିରେ ଆଉ ୯୦ କମ୍ପାନୀ ସୁରକ୍ଷାକର୍ମୀ ଏଠାକୁ ଆସୁଛନ୍ତି।

ଅଧିକାଂଶ କମ୍ପାନୀ ଇମ୍ଫାଲ ପହଞ୍ଚି ସାରିଲେଣି। ଆମେ ସାଧାରଣ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ସୁରକ୍ଷାକର୍ମୀଙ୍କୁ ମୁତୟନ କରୁଛୁ। ବିଶେଷ କରି ଉତ୍ତେଜନା ସୃଷ୍ଟି ହେଉଥିବା ଅଞ୍ଚଳଗୁଡ଼ିକର ସ୍ଥିତି ସମୀକ୍ଷା କରାଯାଉଛି। ସବୁ ଅଞ୍ଚଳରେ ଆମେ କିଛି ଦିନ ମଧ୍ୟରେ ପହଞ୍ଚି ଯିବୁ।

Advertisment

ଆମେ ଏଥିପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଛୁ। ନୂଆ ସଂଯୋଜନା ସେଲ ଓ ଯୁଗ୍ମ ନିୟନ୍ତ୍ରଣ କକ୍ଷ ମଧ୍ୟ ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ। ଯେଉଁଗୁଡ଼ିକ ପୂର୍ବରୁ ରହିଛି, ତା’କୁ ମଧ୍ୟ ସମୀକ୍ଷା କରାଯାଉଛି ବୋଲି ଶ୍ରୀ ସିଂହ କହିଛନ୍ତି।

ତାଙ୍କ କହିବା କଥା ଯେ ପୁଲିସ ଅସ୍ତ୍ରାଗାରରୁ ଲୁଟ ହୋଇଥିବା ପ୍ରାୟ ୩୦୦୦ ଅସ୍ତ୍ରଶସ୍ତ୍ର ଅତିମଧ୍ୟରେ ଜବତ ହୋଇସାରିଲାଣି। ରାଜ୍ୟ ପୁଲିସ୍‌, ସିଆରପିଏଫ, ବିଏସଏଫ, ଆର୍ମି, ଆସାମ ରାଇଫଲ୍ସ, ଆଇଟିବିପି ଓ ସଶସ୍ତ୍ର ସୀମା ବଳ ମିଳିତ ଭାବେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ କାମ କରୁଛନ୍ତି। ମଣିପୁର ପ୍ରସଙ୍ଗକୁ ମିଳିତ ଭାବେ ନିୟନ୍ତ୍ରଣ କରାଯାଉଛି। ଯାହା ବି ସମସ୍ୟା ଆସିବ, ତା’କୁ ଆମେ ମିଳିତ ଭାବେ ସମାଧାନ କରିବୁ। ଅପରେସନ ଚାଲିଛି। କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ଓ ଜାତୀୟ ରାଜପଥ ପାଇଁ ନୂଆ ଏସ୍‌ଓପି ଲାଗୁ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ଶନିବାର ଠାରୁ ମଣିପୁରରେ ହିଂସା ଭୟଙ୍କର ରୂପ ଧାରଣ କରିଛି। ଜିରିବାମ ଜିଲ୍ଲାରୁ ଉଗ୍ରବାଦୀମାନେ ଅପହରଣ କରି ନେଇଥିବା ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ମିଳିବା ପରେ ସ୍ଥିତି ବେକାବୁ ହେବାରେ ଲାଗିଛି। ହିଂସା କ୍ଷତିଗ୍ରସ୍ତ ମଣିପୁରର ପଶ୍ଚିମ ଇମ୍ଫାଲ ଓ ପୂର୍ବ ଇମ୍ଫାଲରେ କର୍ଫ୍ୟୁ ଲାଗୁ ହୋଇଛି। ୭ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି।

ତଥାପି ରବିବାର ବିକ୍ଷୋଭ ଭୟଙ୍କର ରୂପ ଧାରଣ କରିଥିଲା। ବିକ୍ଷୋଭକାରୀମାନେ ବିଭିନ୍ନ ନେତା ଓ ରାଜନୀତିକ ଦଳର ଅଫିସ ଉପରେ ଆକ୍ରମଣ କରିବାରୁ ପୁଲିସ୍‌ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଏଥିଯୋଗୁ ଜଣେ ୨୦ ବର୍ଷୀୟ ଯୁବକ ଜିରିବାମ ଜିଲ୍ଲାରେ ପ୍ରାଣ ହରାଇଛନ୍ତି।

Manipur Manipur Violence