Advertisment

୧୨ ହଜାର ସରକାରୀ ଫାଇଲ ପୋଡ଼ି ପାଉଁଶ, ନିର୍ବାଚନ ପୂର୍ବରୁ ବାରମ୍ବାର କାହିଁକି ଲାଗୁଛି ନିଆଁ?

ନିର୍ବାଚନ ପୂର୍ବରୁ ବାରମ୍ବାର ସତପୁରା ଭବନରେ ନିଆଁ ଲାଗୁଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠିଛି।

author-image
Hemant Lenka
Fire

Fire

ମଧ୍ୟପ୍ରଦେଶର ଭୋପାଲରେ ଥିବା ୬ ମହଲା ବିଶିଷ୍ଟ ସତପୁରା ଭବନରେ ଲାଗିଥିବା ଭୟଙ୍କର ନିଆଁ ବ୍ୟାପକ କ୍ଷୟକ୍ଷତି କରିଛି। ଏଥିରେ କେହି ମୃତାହତ ହୋଇ ନଥିଲେ ମଧ୍ୟ ୨୫ କୋଟି ଟଙ୍କାର ଫର୍ଣ୍ଣିଚର ପୋଡ଼ି ଯାଇଛି। ସେହିପରି ୧୨ ହଜାରରୁ ଅଧିକ ସରକାରୀ ଫାଇଲ ନିଆଁରେ ପାଉଁଶ ହୋଇ ଯାଇଛି। ଏହା ମଧ୍ୟରେ କରୋନା ଜନିତ ନେଣଦେଣର କାଗଜପତ୍ର ରହିଥିଲା।

Advertisment

ନିର୍ବାଚନ ପୂର୍ବରୁ ବାରମ୍ବାର ସତପୁରା ଭବନରେ ନିଆଁ ଲାଗୁଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠିଛି। ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ନିର୍ବାଚନର ଠିକ ପୂର୍ବରୁ ଜାଣିଶୁଣି ସମ୍ବେଦନଶୀଳ ଫାଇଲ ଗୁଡ଼ିକୁ ନଷ୍ଟ କରିବା ପାଇଁ ନିଆଁ ଲଗାଇ ଦେଇଥିବା ବିରୋଧୀ କଂଗ୍ରେସ ଅଭିଯୋଗ କରିଛି।

ସତପୁର ଭବନରେ ମଧ୍ୟପ୍ରଦେଶ ସରକାରଙ୍କ ଏକାଧିକ ବିଭାଗର ଅଫିସ ରହିଛି। ପ୍ରଥମେ ନିଆଁ ତୃତୀୟ ମହଲାରେ ଲାଗିଥିଲା। ଏହାପରେ ୪ର୍ଥ, ୫ମ ଓ ୬ଷ୍ଠ ମହଲାକୁ ଏହା ବ୍ୟାପିଥିଲା। ଦୀର୍ଘ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ ଆଜି ଆୟତ୍ତ କରାଯାଇଥିଲା। ହେଲେ ନିଆଁର ଆଁରେ ସରକାରୀ ଅଫିସ ଗୁଡ଼ିକରେ ଥିବା ହଜାର ହଜାର ଫାଇଲ ପୋଡ଼ି ପାଉଁଶ ହୋଇଯାଇଛି।

Advertisment

ଚଳିତ ବର୍ଷ ଶେଷ ଭାଗରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହାର ଠିକ ପୂର୍ବରୁ ସତପୁରା ଭବନରେ ନିଆଁ ଲାଗି ଫାଇଲ ପୋଡ଼ିବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଗତ ୧୦ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ସତପୁରା ଭବନରେ ଏପରି ଅଗ୍ନିକାଣ୍ଡ ଘଟିଛି।

ସବୁଠାରୁ କୌତହଳର ବିଷୟ ହେଲା, ନିର୍ବାଚନର ଠିକ ପୂର୍ବରୁ ତୃତୀୟ ମହଲାରେ ହିଁ ନିଆଁ ଲାଗିଛି। ୨୦୧୨ ଓ ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ତୃତୀୟ ମହଲାରେ ଥିବା ସରକାରୀ ଅଫିସରେ ନିଆଁ ଲାଗିଥିଲା। ଏଥିରେ ଅନେକ କାଗଜପତ୍ର ପୋଡ଼ି ଯାଇଥିଲା। ଏଥର ମଧ୍ୟ ନିର୍ବାଚନ ପୂର୍ବରୁ ସେହି ତୃତୀୟ ମହଲାରେ ନିଆଁ ଲାଗିଛି।

ସୋମବାର ଅପରାହ୍ନ ୪ଟା ବେଳେ ତୃତୀୟ ମହଲାରେ ଥିବା ଆଦିବାସୀ କଲ୍ୟାଣ ବିଭାଗର ଆଞ୍ଚଳିକ ଅଫିସରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ୬ଷ୍ଠ ମହଲା ଯାଏ ଏହା ବ୍ୟାପିଥିଲା। ଏକାଧିକ ଅଗ୍ନିଶମ ଗାଡ଼ି ଓ ବାୟୁସେନାର ହେଲିକପ୍ଟର ଅକ୍ଲାନ୍ତ ପରିଶ୍ରମ କରି ୧୨ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଏଯାଏ ଜଣାପଡ଼ିନି। ତେବେ ଏସିରେ ହୋଇଥିବା ବିସ୍ଫୋରଣ ଯୋଗୁ ନିଆଁ ଲାଗିଥିବା କୁହାଯାଉଛି।

ଆଦିବାସୀ ବ୍ୟାପାର, ସ୍ୱାସ୍ଥ୍ୟ, ଜଙ୍ଗଲ, ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ମାମଲା, ଅଭିଯୋଗ ଶୁଣାଣି ସେଲ ଓ ନ୍ୟାଶନାଲ ଇନଫରମେସନ ସିଷ୍ଟମ ଅପରେଟ ବିଭାଗ ଅଗ୍ନିକାଣ୍ଡ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ସର୍ଭିସ ରେକର୍ଡ, ଅଭିଯୋଗ ସଂକ୍ରାନ୍ତ ଦସ୍ତାବିଜ ଓ କର୍ମଚାରୀଙ୍କ ବଜେଟ ଡକ୍ୟୁମେଣ୍ଟ ପୋଡ଼ି ପାଉଁଶ ହୋଇଯାଇଛି।

କରୋନା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ହସ୍ପିଟାଲକୁ ଅର୍ଥ ଦିଆଯାଇଥିଲା। ଏହି ନେଣଦେଣ ସଂକ୍ରାନ୍ତ ଫାଇଲ ମଧ୍ୟ ନିଆଁର ଆଁରେ ଧ୍ୱଂସ ହୋଇଯାଇଛି। ଏହାର ଅର୍ଥ କେଉଁ ହସ୍ପିଟାଲକୁ କେତେ ଟଙ୍କା ଦିଆଯାଇଛି, ତା’ର ହିସାବ ସମ୍ଭବତଃ ସରକାରଙ୍କ ପାଖରେ ଆଉ ନାହିଁ।

ଅଗ୍ନିକାଣ୍ଡ ଯୋଗୁ ଅନେକ ସମ୍ବେଦନଶୀଲ ଫାଇଲ ନଷ୍ଟ ହୋଇଯାଇଥିବା ବିରୋଧୀ କହୁଥିଲେ ହେଁ ସରକାର ଏହାକୁ ଖଣ୍ଡନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘଟଣାର ତଦନ୍ତ ପାଇଁ ଗୋଟିଏ କମିଟି ଗଠନ କରିଛନ୍ତି।

Fire Breakout Madhya Pradesh