Advertisment

ହତ୍ୟାକାଣ୍ଡକୁ ବିରୋଧ କରି କଂଗ୍ରେସ ଛାଡ଼ିଲେ ୨୦୦ ମୁସଲିମ ନେତା

ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି(କେପିସିସି)ର ସାଧାରଣ ସମ୍ପାଦକ ଏମଏସ୍‌ ମହମ୍ମଦ ଓ ଦକ୍ଷିଣ କନ୍ନଡ ସଂଖ୍ୟାଲଘୁ ସେଲର ଜିଲ୍ଲା ସଭାପତି ଶାହୁଲ ହମୀଦ ପ୍ରମୁଖ ରହିଛନ୍ତି।

author-image
Hemant Lenka
Congress

Congress

କର୍ଣ୍ଣାଟକା କଂଗ୍ରେସରେ ବଡ଼ ବିପର୍ଯ୍ୟୟ। ଏକା ଥରେ ଦଳ ଛାଡ଼ିଲେ ୨୦୦ରୁ ଅଧିକ ମୁସଲିମ ନେତା। କର୍ଣ୍ଣାଟକାର ଦକ୍ଷିଣ କନ୍ନଡରେ ଘଟିଥିବା ଗୋଟିଏ ହତ୍ୟାକାଣ୍ତ ବିରୋଧ କରି କଂଗ୍ରେସର ମୁସଲିମ ନେତାମାନେ ଏପରି ପଦକ୍ଷେପ ନେଇଛନ୍ତି। କର୍ଣ୍ଣାଟକାରେ କଂଗ୍ରେସ ଏବେ କ୍ଷମତାରେ ରହିଛି। ତଥାପି ଅବଦୁଲ ରହିମ ଓରଫ ଇମତିୟାଜଙ୍କ ହତ୍ୟା ଘଟଣାରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରି ନଥିବା ଅଭିଯୋଗ କରି ସେମାନେ ଇସ୍ତଫା ଦେଇଥିବା କହିଛନ୍ତି।

Advertisment

ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି(କେପିସିସି)ର ସାଧାରଣ ସମ୍ପାଦକ ଏମଏସ୍‌ ମହମ୍ମଦ ଓ ଦକ୍ଷିଣ କନ୍ନଡ ସଂଖ୍ୟାଲଘୁ ସେଲର ଜିଲ୍ଲା ସଭାପତି ଶାହୁଲ ହମୀଦ ପ୍ରମୁଖ ରହିଛନ୍ତି। ବନ୍ତୱାଲରେ ରହିମଙ୍କ ହତ୍ୟାକାଣ୍ଡ ଘଟଣାରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ଗୋଟିଏ ବୈଠକ ବସିଥିଲା। ମାଙ୍ଗାଲୁରୁର ଶାଦି ମହଲରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ହତ୍ୟାକାଣ୍ତ ଘଟଣାକୁ ନେଇ ମତ ପାର୍ଥକ୍ୟ ଦେଖାଯିବାରୁ ୨୦୦ରୁ ଅଧିକ ନେତା ଇସ୍ତଫା ଦେଇଛନ୍ତି।

ହତ୍ୟାକାଣ୍ଡକୁ ନେଇ ବିବାଦ ଚାଲିଥିବା ବେଳେ ହମୀଦ କ୍ଷମତାସୀନ କଂଗ୍ରେସ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହାକୁ ଦଳର ଅନ୍ୟ ସଦସ୍ୟମାନେ ବିରୋଧ କରିବାରୁ ସ୍ଥିତି ବିଗିଡ଼ି ଯାଇଥିଲା। ଶେଷରେ ହମୀଦ ଚାପରେ ଆସି ନିଜ ପଦରୁ ଇସ୍ତଫା ଦେଇଛନ୍ତି।

Advertisment

ହମୀଦଙ୍କ ସହ ଏକାଧିକ ମୁସଲିମ କର୍ପୋରେଟର, ଜିଲ୍ଲା ପଞ୍ଚାୟତ ସଦସ୍ୟ ଓ ୮ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳରୀ ନେତା ଦଳ ଛାଡ଼ିଛନ୍ତି। ଦାବି ପୂରଣ ନ ହେବା ଯାଏ ସେମାନେ କଂଗ୍ରେସ ପାର୍ଟି ଅଫିସକୁ ଆସିବେ ନାହିଁ ବୋଲି କହିଛନ୍ତି। ନେତାମାନେ କହିଛନ୍ତି, “ଆମେ ସମସ୍ତେ ଇସ୍ତଫା ଦେଇଛୁ। ଆମ ଦାବି ପୂରଣ ନ ହେବା ଯାଏ ଆମେ ଦଳୀୟ କାର୍ଯ୍ୟାଳୟକୁ ଯିବୁ ନାହିଁ।” ତେବେ ଦଳୀୟ ନେତାମାନେ ଇସ୍ତଫାପତ୍ର ହାଇକମାଣ୍ଡଙ୍କୁ ଦେଇ ନାହାନ୍ତି। ସେମାନେ କେବଳ ସର୍ବସାଧାରଣରେ ଏପରି ଘୋଷଣା କରିଛନ୍ତି।

ଗୁରୁବାର କର୍ଣ୍ଣାଟକାର ଗୃହମନ୍ତ୍ରୀ ଜି ପରମେଶ୍ୱର ଘୋଷଣା କରିଥିଲେ ଯେ ରହିମଙ୍କ ହତ୍ୟାକାଣ୍ଡରେ ୪ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟ ସରକାର ସାଂପ୍ରଦାୟିକ ହିଂସା ନିବାରଣ ଟାସ୍କ ଫୋର୍ସ ମଧ୍ୟ ଗଠନ କରିଥିବା ସେ ଘୋଷଣା କରିଥିଲେ।

ମେ’ ୨୬ରେ ପିକ ଡ୍ରାଇଭର ଭାବେ କାମ କରୁଥିବା ରହିମଙ୍କୁ ସ୍ପଷ୍ଟ ଦିବାଲୋକରେ ଇରା କୋଡି ଠାରେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା। ସେ ସ୍ଥାନୀୟ ମସଜିଦର ସମ୍ପାଦକ ମଧ୍ୟ ଥିଲେ। ଘଟଣା ଦିନ ଦୁଇ ଜଣ ଯୁବକ ବାଇକରେ ଆସି ଖଣ୍ଡାରେ ରହିମ ଓ ତାଙ୍କ ସହଯୋଗୀ କଲନ୍ଦରଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ରହିମ ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ବେଳେ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ପୂରା ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି।

Murder Karnataka