/odisha-reporter/media/media_files/2026/01/06/sir-2026-01-06-17-13-03.jpg)
ଏସଆଇଆର୍
ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ ଇଣ୍ଟେନସିଭ ରିଭିଜିନ(ଏସ୍ଆଇଆର) ପରେ ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶ(Uttar Pradesh)ର ଡ୍ରାଫ୍ଟ ଭୋଟର ତାଲିକା। ଏସ୍ଆଇଆର ପରେ ନିର୍ବାଚନ କମିଶନ ପ୍ରସ୍ତୁତ କରିଥିବା ଡ୍ରାଫ୍ଟ ତାଲିକାରୁ ୨.୮୯ କୋଟି ଭୋଟରଙ୍କ ନାଁ କଟି ଯାଇଛି।
ପୂର୍ବରୁ ଉତ୍ତର ପ୍ରଦେଶରେ ମୋଟ ଭୋଟରଙ୍କ ସଂଖ୍ୟା ପ୍ରାୟ ୧୫ କୋଟି ଥିବା ବେଳେ ଏସଆଇଆର ପରେ ଏହା ୧୨ କୋଟିକୁ ଖସି ଆସିଛି। ଏସ୍ଆଇଆର ବେଳେ ପ୍ରାୟ ୧୮% ଭୋଟରଙ୍କ ନାଁ ତାଲିକାରୁ ବାଦ ପଡ଼ିଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
ଉତ୍ତର ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ପୁରୁଣା ଭୋଟର ତାଲିକାରେ ପ୍ରାୟ ୧୫ କୋଟି ଲୋକଙ୍କ ନାଁ ରହିଥିଲା। ଏସ୍ଆଇଆର ବେଳେ ପ୍ରାୟ ୧୨ କୋଟି ଭୋଟର ଯାଞ୍ଚ ଫର୍ମକୁ ଦସ୍ତଖତ କରି କିମ୍ବା ପରିବାର ଲୋକଙ୍କ ଦ୍ୱାରା ଫେରସ୍ତ କରିଛନ୍ତି। ଏହାର ଅର୍ଥ ୮୧% ଭୋଟର ଫର୍ମରେ ଦସ୍ତଖତ କରିଛନ୍ତି ଓ ଏହାକୁ ଫେରାଇଛନ୍ତି। ତେବେ ୧୮% ଭୋଟର ଫର୍ମରେ ଦସ୍ତଖତ କରି ନାହାନ୍ତି କିମ୍ବା ଏହାକୁ ଫେରାଇ ନାହାନ୍ତି।
ଡ୍ରାଫ୍ଟ ତାଲିକାରୁ ଏତେ ସଂଖ୍ୟକ ନାଁ କଟିବା ପଛରେ ବିଭିନ୍ନ କାରଣ ଦର୍ଶାଇଛନ୍ତି ସିଇଓ। ତାଙ୍କ କହିବା କଥା ଯେ ଏସ୍ଆଇଆର ବେଳେ ୪୬.୨୩ ଲକ୍ଷ ଭୋଟର ପ୍ରାଣ ହରାଇଥିବା ଜଣାପଡ଼ିଛି। ସେହିପରି ୨.୧୭ କୋଟି ଭୋଟର ଅନ୍ୟ ରାଜ୍ୟକୁ ଚାଲି ଯାଇଛନ୍ତି। ଏହାବାଦ ୨୫.୪୭ ଲକ୍ଷ ଭୋଟରଙ୍କ ନାଁ ଏକରୁ ଅଧିକ ସ୍ଥାନରେ ପଞ୍ଜିକୃତ ହୋଇଥିଲା। ରାଜନୀତିକ ଦଳଗୁଡ଼ିକ ଏହି ପ୍ରକ୍ରିୟାରେ ସହାୟତା କରିଛନ୍ତି ଓ ବୁଥ ସ୍ତରୀୟ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ ସେମାନଙ୍କ କାମ କରିଥିଲେ ବୋଲି ସିଇଓ ସୂଚନା ଦେଇଛନ୍ତି।
ପ୍ରାୟ ୩ କୋଟି ଭୋଟର ଡ୍ରାଫ୍ଟ ତାଲିକାରୁ ବାଦ ପଡ଼ିବା ସମସ୍ତଙ୍କୁ ଚକିତ କରିଛି। ଏଯାଏ କୌଣସି ବି ରାଜ୍ୟରେ ଏତେ ସଂଖ୍ୟକ ଭୋଟର ବାଦ ପଡ଼ିବା ଦେଖିବାକୁ ମିଳି ନଥିଲା। ଡ୍ରାଫ୍ଟ ଭୋଟର ତାଲିକା ଆଜି ପ୍ରକାଶ ପାଇଥିବା ବେଳେ ଦାବି ଓ ଆପତ୍ତି ଦାଖଲ ପାଇଁ ନିର୍ବାଚନ କମିଶନ ଫେବୃଆରୀ ୬ ଯାଏ ସମୟ ଧାର୍ଯ୍ୟ କରିଛନ୍ତି।
ସେହିପରି ଯେଉଁ ଭୋଟରଙ୍କ ଯାଞ୍ଚ ହୋଇ ନାହିଁ, ସେମାନଙ୍କୁ ମଧ୍ୟ କମିଶନ ନୋଟିସ ପଠାଇବା ଆରମ୍ଭ କରିଛନ୍ତି। ଯେଉଁମାନେ ଦସ୍ତଖତ କରି ଫର୍ମ ଦାଖଲ କରିବେ, ସେମାନଙ୍କୁ ହିଁ ବୈଧ ଭୋଟର ଭାବେ ବିବେଚନା କରାଯିବ। ଏହାପରେ ମାର୍ଚ୍ଚ ୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
