/odisha-reporter/media/post_attachments/uploadimage/library/16_9/16_9_0/Car_1740472993.jpg)
Car
ପଶ୍ଚିମବଙ୍ଗର ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାରେ ଜଣେ ୨୭ ବର୍ଷୀୟ ଯୁବତୀଙ୍କ ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହୋଇଛି। କାର୍ ଦୁର୍ଘଟଣା ଯୋଗୁ ଇଭେଣ୍ଟ ମ୍ୟାନେଜର ଭାବେ କାମ କରୁଥିବା ୨୭ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଏହା ଗୋଟିଏ ସାଧାରଣ ଦୁର୍ଘଟଣା ନା ଯୁବତୀଙ୍କୁ ଜାତୀୟ ରାଜପଥରେ ହଇରାଣ କରାଯିବା ସହ ପିଛା କରି ହତ୍ୟା କରାଯାଇଛି, ତା’କୁ ନେଇ ପ୍ରଶ୍ନ ଉଠିଛି।
ସୋମବାର ପୂରା ଘଟଣା ଘଟିଥିବା ବେଳେ ଶାସକ ଟିଏମସି ଓ ବିରୋଧୀ ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେପିର ଲୋକସଭା ସାଂସଦ ସୁକାନ୍ତ ମଜୁମଦାର ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ ମହିଳାମାନଙ୍କ ପାଇଁ ବେଙ୍ଗଲକୁ ଜୀବନ୍ତ ନର୍କରେ ପରିଣତ କରି ଦେଇଥିବା ଅଭିଯୋଗ କରିଛନ୍ତି।
ଟିଏମସି ପକ୍ଷରୁ କୁନାଲ ଘୋଷ ଏହାର ଜୋରଦାର ଜବାବ ଦେଇଛନ୍ତି। କିଛି ଲୋକ ଯୁବତୀଙ୍କ ମୃତ୍ୟୁକୁ ବିକୃତ ରୂପରେ ଉପସ୍ଥାପନ କରୁଥିବା ସେ ଅଭିଯୋଗ କରିଛନ୍ତି। ଟିଏମସି ମୁଖପାତ୍ର ଘୋଷ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ସେ କହିଛନ୍ତି ଯେ ଯଦି ଅଭିଯୋଗରେ ସତ୍ୟତା ରହିଛି ଓ ମହିଳାଙ୍କୁ କାରରେ ପିଛା କରି ବିଚ ରାସ୍ତାରେ ଯୌନ ଉତ୍ପୀଡ଼ନ ଦିଆଯାଇଛି, ତା’ହେଲେ ଦୋଷୀଙ୍କୁ ନିଶ୍ଚିତ ଭାବେ ଦଣ୍ଡ ମିଳିବ। କିନ୍ତୁ ସେ ପୂରା ଘଟଣାକୁ ଟ୍ରାଫିକ ସମସ୍ୟାର ଦ୍ୱାହି ଦେଇ ଆଇନ ଶୃଙ୍ଖଳା ସହ ଏହାର କୌଣସି ଲିଙ୍କ ନଥିବା ସଫେଇ ଦେଇଛନ୍ତି।
ବିଜେପି ସାଂସଦ କ’ଣ କହିଛନ୍ତି?
ସୋମବାର ସନ୍ଧ୍ୟାରେ ବିଜେପି ସାଂସଦ ମଜୁମଦାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ। ପ୍ରତିଦିନ ବେଙ୍ଗଲରେ ମହିଳାଙ୍କ ବିରୋଧରେ ଭୟଙ୍କର ଅପରାଧ ଘଟିଛାଲିଛି। ମୁଖ୍ୟମନ୍ତ୍ରୀ କେବଳ ନୀରବତା ଅବଲମ୍ବନ କରୁଛନ୍ତି। ସେ ନ୍ୟାୟ ଦେବା ବଦଳରେ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି। ମମତା ବାନାର୍ଜୀଙ୍କ ଶାସନରେ ମହିଳାମାନେ ବେଙ୍ଗଲର ସବୁ ସ୍ଥାନରେ ଅସୁରକ୍ଷିତ। ହସ୍ପିଟାଲ ଠାରୁ ଆରମ୍ଭ କରି ଜାତୀୟ ରାଜପଥ, କେଉଁଠି ବି ମହିଳା ସୁରକ୍ଷିତ ନୁହନ୍ତି।
ଜଣେ ମହିଳାଙ୍କୁ ହଇରାଣ କରାଯାଇଛି ଓ ଜାତୀୟ ରାଜପଥରେ ଦୁର୍ବୃତ୍ତମାନେ ତାଙ୍କୁ ପିଛା କରିବାରୁ ତାଙ୍କର ଭୟଙ୍କର ଢଙ୍ଗରେ ମୃତ୍ୟୁ ହୋଇଛି। ପଶ୍ଚିମବଙ୍ଗ ଏବେ ମହିଳାମାନଙ୍କ ପାଇଁ ଜୀବନ୍ତ ନର୍କରେ ପରିଣତ ହୋଇଗଲାଣି। ପ୍ରତିଦିନ ମହିଳାଙ୍କ ବିରୋଧରେ ଭୟଙ୍କର ଅପରାଧ ସବୁ ଘଟିବାରେ ଲାଗିଛି। ତଥାପି ସରକାର ଚୁପ ରହିଛନ୍ତି। ନ୍ୟାୟ ବଦଳରେ ସରକାର ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବାରେ ଲାଗିଛନ୍ତି। ମମତା ବାନାର୍ଜୀ ମା’, ମାଟି ଓ ମନୁଷର ସୁରକ୍ଷା କରିବେ ବୋଲି ନାରା ଦେଇ କ୍ଷମତାକୁ ଆସିଥିଲେ। କିନ୍ତୁ ତାଙ୍କ ଶାସନ ଅଧୀନରେ ମହିଳାମାନଙ୍କୁ ଦୁଷ୍କର୍ମ ଓ ପିଛା କରି ହତ୍ୟା କରାଯାଉଛି ବୋଲି ମଜୁମଦାର କହିଛନ୍ତି।
ଜୋରଦାର ଢଙ୍ଗରେ ଜବାବ ଦେଲା ଟିଏମସି
ବିଜେପି ସାଂସଦଙ୍କ ବଡ଼ ଅଭିଯୋଗ ପରେ ଟିଏମସି ପକ୍ଷରୁ କୁନାଲ ଘୋଷ ଏହାର ଜବାବ ଦେଇଛନ୍ତି। ସେ ଗୋଟିଏ ଭିଡିଓ ବାର୍ତ୍ତାରେ ୨୭ ବର୍ଷୀୟ ଯୁବତୀ ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। କିଛି ଲୋକ ଘଟଣାକୁ ଭିନ୍ନ ରୂପରେ ବିକୃତ କରି ଉପସ୍ଥାପନ କରୁଥିବା ସେ କହିଛନ୍ତି। ଶ୍ରୀ ଘୋଷ କହିଛନ୍ତି, “ ଏହାକୁ ସମ୍ବେଦନଶୀଳ ପ୍ରସଙ୍ଗ। ପୂର୍ବରୁ କୁହାଯାଇଥିଲେ ଯେ ମହିଳା ଜଣଙ୍କ କିଛି ଲୋକଙ୍କ ଠାରୁ କିଛି କମେଣ୍ଟ ଶୁଣିବା ପରେ ଚାଲି ଯାଉଥିଲେ ଓ ସେ ଦ୍ରୁତଗତିରେ ଯାଉଥିବା ବେଳେ ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।
ସେଭଳି ଲୋକଙ୍କୁ ମାଡ଼ ମରାଯିବା ଦରକାର। ପୁଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ ଏହା ଗାଡ଼ି ଓଭରଟେକ ଜନିତ ଦୁର୍ଘଟଣା। ଘଟଣାରେ କୌଣସି ପ୍ରକାରର ଦୁର୍ବ୍ୟବହାର କିମ୍ବା ଅଭଦ୍ର ବ୍ୟବହାରର ସଙ୍କେତ ନାହିଁ। କିଛି ଲୋକ ମହିଳାଙ୍କ ମୃତ୍ୟୁକୁ ବିକୃତ କରି ଉପସ୍ଥାପନ କରୁଛନ୍ତି। ଯଦି ଉକ୍ତ ଅଭିଯୋଗ ଗୁଡ଼ିକରେ ସତ୍ୟତା ରହିଛି, ତା’ହେଲେ ଦୋଷୀଙ୍କୁ ନିଶ୍ଚିତ ବନ୍ଧା ଯାଇ ଦଣ୍ଡ ଦିଆଯିବ। କିନ୍ତୁ ଏହା ଏକ ଟ୍ରାକିଫ ସମସ୍ୟା। ଆଇନ ଶୃଙ୍ଖଳା ସମସ୍ୟା ସହ ଏହାର କୌଣସି ଲିଙ୍କ ନାହିଁ। ଅଭଦ୍ର ବ୍ୟବହାର ସମ୍ପର୍କରେ କୌଣସି ପ୍ରକାରର ଅଭିଯୋଗ ହୋଇନି।”
পানাগড়ের ঘটনা প্রসঙ্গে। pic.twitter.com/0kigASAGWg
— Kunal Ghosh (@KunalGhoshAgain) February 24, 2025
କ’ଣ ଥିଲା ପୂରା ଘଟଣା?
ସୋମବାର ସ୍ଥାନୀୟ ପୁଲିସ ନିଶ୍ଚିତ କରିଥିଲା ଯେ ଜଣେ ୨୭ ବର୍ଷୀୟ ଯୁବତୀ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଯୁବତୀ ଜଣଙ୍କ ଇଭେଣ୍ଟ ମ୍ୟାନେଜର ଭାବେ କାମ କରୁଥିଲେ। ତାଙ୍କ କାର କୋଲକାତା ଠାରୁ ୧୫୦ କିମି ଦୂର ପାନାଗଡ଼ରେ ଓଲଟି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି। ଯୁବତୀଙ୍କ କାର ଆଉ ଗୋଟିଏ ଗାଡ଼ି ସହ ବିହାର ଗୟା ଅଭିମୁଖେ ଯାଉଥିବା ଜାତୀୟ ରାଜପଥ ୧୯ରେ ରେସ କରୁଥିବା ବେଳେ ଏପରି ଘଟଣା ଘଟିଛି।
ମୃତ ଯୁବତୀ ଜଣଙ୍କ ହେଲେ ହୁଗୁଲୀ ଜିଲ୍ଲାର ସୁଚନ୍ଦ୍ରା ଚଟ୍ଟୋପାଧ୍ୟାୟ। କୁହାଯାଉଛି ଯେ ସୁଚନ୍ଦ୍ରା ଓ ତାଙ୍କର ୩ ଜଣ ସହଯୋଗୀ କାରରେ ବିହାରର ଗୟା ଯାଉଥିଲେ। ଏହି ସମୟରେ ଗୋଟିଏ ଧଳା ରଙ୍ଗର କାର ସେମାନଙ୍କ ପିଛା କରିଥିଲା। ଉକ୍ତ କାରରେ ୫ ଜଣ ମାତାଲ ଯୁବକ ରହିଥିଲେ। ସେମାନେ ସୁଚନ୍ଦ୍ରାଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ। ସେମାନଙ୍କ କବଳରୁ ବର୍ତ୍ତିବା ପାଇଁ ସୁଚନ୍ଦ୍ରାଙ୍କ ଗାଡ଼ି ଡ୍ରାଇଭର ବେଗ ବଢ଼ାଇଥିଲେ। ଦ୍ରୁତଗତି ଯୋଗୁ ଏହା ଓଲଟି ପଡ଼ିଥିଲା। ଏଥିଯୋଗୁ ସୁଚନ୍ଦ୍ରାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ କାରରେ ଥିବା ଅନ୍ୟମାନେ ଆହତ ହୋଇଥିଲେ।
ଗୋଟିଏ ସୂତ୍ରରୁ ଜଣାପଡ଼ିଛି ଯେ ସୁଚନ୍ଦ୍ରାଙ୍କ କାର୍ ଗୋଟିଏ ପେଟ୍ରୋଲ ପମ୍ପରେ ତେଲ ପକାଉଥିବା ବେଳେ ଧଳା କାରଟି ସେଠାରେ ପହଞ୍ଚିଥିଲା। ଧଳା କାରରେ ଥିବା ୫ ଜଣ ସୁଚନ୍ଦ୍ରାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଭୟଙ୍କର ଢଙ୍ଗରେ ଗାଡ଼ି ଚାଳନା କରିଥିଲେ। ସମାନ କଥା ଘଟଣା ଦିନ ସୁଚନ୍ଦ୍ରାଙ୍କ କାରରେ ଥିବା ତାଙ୍କ ସହଯୋଗୀ ମିଣ୍ଟୁ ମଣ୍ଡଲ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି। ଧଳା କାରର ଯୁବକମାନେ ସୁଚନ୍ଦ୍ରାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବାରୁ ଡ୍ରାଇଭର ଗାଡ଼ିର ବେଗ ବଢ଼ାଇ ଦେଇଥିଲେ। ଫଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଆସନସୋଲ-ଦୁର୍ଗାପୁର ପୁଲିସ କମିଶନର ସୁନୀଲ କୁମାର ଚୌଧୁରୀ କହିଛନ୍ତି, “ଏହା ଏକ ଉଦ୍ଦେଶ୍ୟମୂଳକ ପ୍ରଚାର। ଆମେ ମିଛ ପ୍ରଚାର ପଛର ଉଦ୍ଦେଶ୍ୟର ଯାଞ୍ଚ କରୁଛୁ।” ତାଙ୍କ କହିବା କଥା ଯେ ଘଟଣାର ଠିକ ପୂର୍ବରୁ ଗୋଟିଏ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରେ ସୁଚିନ୍ଦ୍ରାଙ୍କ କାର ଗୋଟିଏ ଧଳା ରଙ୍ଗର କାରକୁ ପିଛା କରୁଛି। ତେଲ ପକାଇବା ପରେ ସୁଚିନ୍ଦ୍ରାଙ୍କ କାର ଏନଏଚ୧୯କୁ ଆସିଥିଲା। ଠିକ ପାନାଗଡ଼ ପୂର୍ବରୁ ଦ୍ୱିତୀୟ କାରକୁ ରାସ୍ତା ଉପରେ ଦେଖିବାକୁ ମିଳିଛି। ତେଣୁ ପୂରା ଘଟଣାର ତଦନ୍ତ କରାଯାଉ ଥିବା ସେ କହିଛନ୍ତି।
ପରିବାର ଲୋକଙ୍କ ବିକ୍ଷୋଭ
ଘଟଣା ବିରୋଧରେ ସୁଚିନ୍ଦ୍ରାଙ୍କ ପରିବାର ଲୋକ କାଙ୍କସା ପୁଲିସ୍ ଷ୍ଟେସନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦ୍ୱିତୀୟ କାରରେ ଥିବା ଲୋକଙ୍କୁ ଏଯାଏ ପୁଲିସ୍ ଗିରଫ କରିନାହିଁ। କିନ୍ତୁ ସୁଚିନ୍ଦ୍ରାଙ୍କ ସହ ଥିବା ତାଙ୍କ ସହକର୍ମୀଙ୍କୁ ଦୀର୍ଘ ଘଣ୍ଟା ଧରି ଅଟକ ରଖାଯାଇଛି। ସୁଚିନ୍ଦ୍ରା ମା’ ତନୁଶ୍ରୀ କହିଛନ୍ତି, “ମୋ ଝିଅ ପ୍ରାଣ ହରାଇ ସାରିଛି। କିନ୍ତୁ ଧଳା କାରରେ ଥିବା ଲୋକମାନେ ଏବେ ବି ମୁକ୍ତ ଭାବେ ବୁଲୁଛନ୍ତି।” ସୁଚନ୍ଦ୍ରାଙ୍କ ରୋଜଗାରରେ ତାଙ୍କର ପୂରା ପରିବାର ଚାଲୁଥିଲା। ତାଙ୍କ ବାପା ଜଣେ ସିଙ୍ଗର ଥିଲେ ଓ କ୍ୟାନସର ଯୋଗୁ ତାଙ୍କର ଦେହାନ୍ତ ହୋଇସାରିଛି। ସୁଚନ୍ଦ୍ରା ନିଜ ମା’, ଆଈ ଓ ଜେଜେ ମା’ଙ୍କୁ ଚଳାଉଥିଲେ। ନିକଟରେ ସେ ମୁନୱାଲ୍କ ନାଁରେ ଗୋଟିଏ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଗୟାରେ ଖୋଲିଥିଲେ।
କ’ଣ କହିଲେ ସୁଚନ୍ଦ୍ରାଙ୍କ ସହ ଘଟଣା ବେଳେ ଥିବା ସହକର୍ମୀ?
ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୁଚନ୍ଦ୍ରା ଚଟ୍ଟୋପାଧ୍ୟାୟଙ୍କ ଜଣେ ସହଯୋଗୀ ନିଜ ବୟାନ ପୁଲିସ୍କୁ ଦେଇଛନ୍ତି। ସେ କହିଛନ୍ତି ଯେ ୨୭ ବର୍ଷୀୟ ସୁଚନ୍ଦ୍ରା ଇଭେଣ୍ଟ ମ୍ୟାନେଜର ଓ ଡ୍ୟାନ୍ସର ଭାବେ କାମ କରନ୍ତି। କାମ ପାଇଁ ଆମେ ବିହାରର ଗୟା ଯାଉଥିବା ବେଳେ ରାତି ୧୨.୩୦ରେ ପୂରା ଘଟଣା ଘଟିଥିଲା। ସୁଚନ୍ଦ୍ରା ସାମ୍ନା ସିଟରେ ବସିଥିଲେ ଓ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ଗାଡ଼ିରେ ଥିବା ସମସ୍ତେ ଆହତ ହୋଇଥିଲେ ଓ ପୁଲିସ ୨ଟି ଯାକ ଗାଡ଼ିକୁ ଜବତ କରିଛି।
କିନ୍ତୁ ପୁଲିସ୍ କାହାକୁ ଗିରଫ କରିନାହିଁ। ଆମେ ଜାତୀୟ ରାଜପଥରେ ଯାଉଥିବା ବେଳେ ଗୋଟିଏ ଧଳା କାର ଆମ ପିଛା କରିଥିଲା। ଧଳା କାରରେ ଥିବା ୫ ମାତାଲ ଯୁବକ ଆମକୁ ୧୦ କିମି ଧରି ପିଛା କରିଥିଲେ। ଏହି ସମୟରେ ସେମାନେ ବାରମ୍ବାର ଆମ ଗାଡ଼ିକୁ ଧକ୍କା ଦେଇଥିଲେ। ଏଥିସହ ସୁଚନ୍ଦ୍ରାଙ୍କୁ ବାରମ୍ବାର ଅଶ୍ଳୀଳ ଇଙ୍ଗିତ କରିଥିଲେ। ପ୍ରଥମେ ସେମାନେ ଆମକୁ ଓଭରଟେକିଂ କରୁଥିଲେ ଓ ତା’ହେଲେ ପୁଣି ଆଗକୁ ଯିବାକୁ ଦେଉଥିଲେ। ସେମାନେ ଆମ ଗାଡ଼ିକୁ ପାନାଗଡ଼ ଯାଏ ପିଛା କରିଥିଲେ।
ଆମେ ସେମାନଙ୍କୁ ଲୁଟେରା ଭାବି ଅଣଦେଖା କରି ଚାଲିଥିଲୁ। କିନ୍ତୁ ପାନାଗଡ଼ ଠାରେ ଆମ ଗାଡ଼ି ଓଲଟି ପଡ଼ିଥିଲା। ଗାଡ଼ି ଓଲଟି ପଡ଼ିବା ପରେ ଆମେ ବାହାରକୁ ବାହରିଥିଲୁ। କିନ୍ତୁ ସୁଚନ୍ଦ୍ରା ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ଘଟଣା ପରେ ଧଳା ରଙ୍ଗର କାରରେ ଥିବା ଯୁବକମାନେ କିଛି ସମୟ ଛିଡ଼ା ହୋଇଥିଲେ। ଏହାପରେ ଗାଡ଼ି ଛାଡ଼ି ସେଠାରୁ ଫେରାର ହୋଇ ଯାଇଥିଲେ। ପ୍ରଥମେ ଆମେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଧରିଥିଲୁ। କିନ୍ତୁ ସୁଚନ୍ଦ୍ରାଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଆମେ ସେମାନଙ୍କୁ ଛାଡ଼ି ଦେଇଥିଲୁ ବୋଲି ସହକର୍ମୀ ଜଣଙ୍କ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
