ମାଲିକଙ୍କ ଶବ ପାଖରେ କୁକୁର
ଜଣେ ମଣିଷ ଆଉ ଜଣଙ୍କୁ ଧୋକା ଦେଇପାରେ। ହେଲେ ଗୋଟିଏ କୁକୁର କୌଣସି ବି ପରିସ୍ଥିତିରେ ନିଜ ମାଲିକଙ୍କ ସାଥ ଛାଡ଼ି ନଥାଏ। ଝଡ଼ଝଞ୍ଜା ଠାରୁ ଆରମ୍ଭ କରି ସମସ୍ତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ତା’ର ମାଲିକ ପାଖରେ ରହିବାକୁ ପସନ୍ଦ କରେ। ଏହାର ଜ୍ୱଳନ୍ତ ଉଦାହରଣ ଏବେ ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲା ଭାରମୌରରୁ ଆସିଛି।
ମୃତ୍ୟୁ ପରେ ମଧ୍ୟ ମାଲିକର ପାଖ ଛାଡ଼ି ନାହିଁ ଗୋଟିଏ ପୋଷା ପିଟ ବୁଲ(Pet Dog) ପ୍ରଜାତିର କୁକୁର। ବର୍ତ୍ତମାନ ଭାରମୌରରେ ପରିବେଶ ଅତ୍ୟନ୍ତ ଖରାପ। ସେଠାରେ ତୁଷାର ପାତ ସାଙ୍ଗକୁ କାଲୁଆ ପରିବେଶ ସାଧାରଣ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଛି। ପରିବେଶ ଏମିତି ରହିଛି ଯେ ଲୋକମାନେ ଘରୁ ବାହାରିବାକୁ ପସନ୍ଦ କରୁନାହାନ୍ତି।
ଏପରି ସ୍ଥିତିରେ ବିଶ୍ୱସ୍ତ ପିଟ ବୁଲ ୪ ଦିନ କାଳ ତୁଷାର ପାତ ଯୋଗୁ ପ୍ରାଣ ହରାଇଥିବା ମାଲିକଙ୍କ ଶବକୁ ଜଗି ରହିଛି। ପ୍ରବଳ ତୁଷାର ପାତ ସତ୍ତ୍ୱେ ସେ ନିଜ ମାଲିକଙ୍କ ଶବ ପାଖରେ ସେମିତି ଛିଡ଼ା ହେବା ସମସ୍ତଙ୍କୁ ଭାବବିହ୍ୱଳ କରିଛି।
ଭାରମୌର ସ୍ଥିତ ଭାରମଣି ମନ୍ଦିର ନିକଟରେ ବିକଶିତ ରାଣା ଓ ପୀୟୂଷ ଭିଡିଓ ଶୁଟିଂ କରୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ତୁଷାର ପାତ ଯୋଗୁ ସୃଷ୍ଟି ହୋଇଥିବା ବରଫ ପାହାଡ଼ରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଦୀର୍ଘ ୪ ଦିନ ପରେ ଉଦ୍ଧାରକାରୀ ଟିମ ଓ ସ୍ଥାନୀୟ ଲୋକ ଖରାପ ପାଣିପାଗ ମଧ୍ୟରେ ଘଟଣା ସ୍ଥଳରେ ପହଞ୍ଚିଥିଲେ।
ହେଲେ ସେମାନେ ସେଠାକାର ଦୃଶ୍ୟ ଦେଖି ପୂରା ଚକିତ ହୋଇଛନ୍ତି। ପୀୟୂଷଙ୍କ ମୃତଦେହ ବରଫ ତଳେ ଚାପି ହୋଇ ରହିଥିବା ବେଳେ ଏହା ନିକଟରେ ବସି ରହିଥିଲା ତାଙ୍କର ପୋଷା କୁକୁର। ୪ ଦିନ ଧରି କଥା କହି ପାରୁ ନଥିବା ଏହି କୁକୁର ନା କିଛି ଖାଇଥିଲା ନା କେଉଁ ଆଡ଼େ ଯାଇଥିଲା।
ସେ ଥଣ୍ଡା ପବନ ଓ ତୁଷାର ଝଡ଼ ମଧ୍ୟରେ ନିଜ ମାଲିକଙ୍କ ମୃତଦେହକୁ ସେମିତି ଜଗି ରହିଥିଲା। କେବଳ ସେ ତୁଷାର ପାତର ମୁକାବିଲା କରି ନଥିଲା, ନିଜ ମାଲିକଙ୍କ ଶବକୁ ସ୍ଥାନୀୟ ଅଞ୍ଚଳରେ ବୁଲୁଥିବା ବଣୁଆ ଜନ୍ତୁଙ୍କ କବଳରୁ ମଧ୍ୟ ସୁରକ୍ଷା ଦେଇଥିଲା।
ଉଦ୍ଧାରକାରୀ ଟିମ ବରଫ ତଳୁ ପୀୟୂଷଙ୍କ ମୃତଦେହକୁ କାଢ଼ିବା ସମୟରେ କୁକୁଟି ପ୍ରଥମେ ପୂରା ରାଗି ଯାଇଥିଲା। ସେ ଭାବିଥିଲା ଯେ କୌଣସି ଅଜଣା ଲୋକ ତା’ ମାଲିକଙ୍କ କ୍ଷତି କରିବାକୁ ଆସୁଛନ୍ତି।
ପରବର୍ତ୍ତୀ ସମୟରେ ଉଦ୍ଧାରକାରୀ ଟିମର ଉଦ୍ୟମ ଓ ହାବଭାବ ଦେଖି କୁକୁରଟି ସବୁ ବୁଝି ଯାଇଥିଲା। ଉଦ୍ଧାରକାରୀ ଟିମ ତା’ ମାଲିକଙ୍କୁ ସହଯୋଗ କରିବାକୁ ଆସିଥିବା ବୁଝିବା ପରେ ବାଟ ଛାଡ଼ିଥିଲା। ଏହି ଦୃଶ୍ୟକୁ ଦେଖି ସମସ୍ତେ ବେଶ ଭାବବିହ୍ୱଳ ହେବା ସହ କୁକୁରକୁ ମଧ୍ୟ ସେଠାରୁ ହେଲିକପ୍ଟର ଯୋଗେ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଅଣାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/27/pet-bull-2026-01-27-16-54-03.jpg)